କନକ ବ୍ୟୁରୋ : ବ୍ଲାକ ସି’ ବା କୃଷ୍ଣ ସାଗରରେ ରୁଷିଆ ଯୁଦ୍ଧ ଜାହାଜ ମୁତୟନ କରିବା ପରେ ବନ୍ଦର ସହର ମରିୟପୋଲକୁ ଅକ୍ତିଆର କରିବାକୁ ଜୋରଦାର ଲଢ଼େଇ କରୁଛି । ଏପଟେ ୟୁକ୍ରେନ ସେନା ବି ରୁଷ୍ ଆକ୍ରମଣର ଜବାବ ଦେଉଛି । ଶନିବାର ଫସିରହିଥିବା ଲୋକଙ୍କ ଉଦ୍ଧାର ପାଇଁ ସାମୟିକ ଯୁଦ୍ଧବିରତି ପରେ ଆଜି ପୁଣି ଲଢ଼େଇ ଜୋରଦାର ଆରମ୍ଭ ହୋଇଯାଇଛି ।
ଶନିବାର ରୁଷ୍ ଓ ୟୁକ୍ରେନ ସାମୟିକ ଅସ୍ତ୍ରବିରତି ଘୋଷଣା କରିବା ପରେ ରବିବାର ପୁଣି ଆକ୍ରମଣକୁ ଜୋରଦାର କରିଛି ପୁଟିନ ସେନା । ବନ୍ଦର ସହର ମାରିଅପୋଲ ଉପରେ ବୋମାବର୍ଷା କରିଛି ରୁଷ୍ ସେନା । ଏହି ସହର ରଣନୀତି ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ବ୍ଲାକ ସି ବା କୃଷ୍ଣ ସାଗର ଅଂଚଳରେ ରୁଷ ଆଧିପତ୍ୟ ଜମାଇସାରିଥିବା ବେଳେ ମାରିଅପୋଲ ସହର ଅକ୍ତିଆର କରିନେଲେ ରୁଷ ସେନାକୁ ବଡ ସଫଳତା ମିଳିବ ।
ଯୁଦ୍ଧ ବନ୍ଦ ପାଇଁ ବୈଠକ ବସୁଛି, ହେଲେ ବାହାରିପାରୁନି ନିର୍ଯାସ । ୟୁକ୍ରେନ ରାଜଧାନୀ କିଭ୍, ଖାରକିଭ୍ ସମେତ ଅନେକ ସହରରେ ରୁଷ ଆକ୍ରମଣ ଜାରି ରଖିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବାକୁ ବୈଠକ ବସିଛି । ହେଲେ ଏଯାବତ କୌଣସି ନିର୍ଯାସ ଆସିପାରିନି । ସୋମବାର ଦୁଇ ଦେଶ ମଧ୍ୟରେ ବସିବାକୁ ଥିବା ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ରୁଷ୍ ସେନା ଆକ୍ରମଣ କରିବା ଯୋଗୁଁ ସ୍ୱତନ୍ତ୍ର କରିଡର କରି ସାଧାରଣ ନାଗରିକଙ୍କୁ ଉଦ୍ଧାର କରିବା ଯୋଜନାକୁ ବନ୍ଦ କରି ଦିଆଯାଇଛି । ରୁଷର ଆକ୍ରମଣ ଯୋଗୁଁ ୟୁକ୍ରେନରେ ରହୁଥିବା ଶରଣାର୍ଥୀ ଏବେ ଦେଶ ଛାଡି ପଡୋଶୀ ଦେଶକୁ ପଳାଉଥିବା ସୂଚନା ରହିଛି ।
ତୃତୀୟ ପାୱାର ପ୍ଲାଣ୍ଟ କବଜା କରିବାକୁ ଆଗକୁ ବଢୁଛି ରୁଷ୍ ସେନା । ହେଲେ ଲଢେଇ କରୁଛି ୟୁକ୍ରେନ । ଏହାରି ଭିତରେ ୟୁକ୍ରେନ ଦାବି କରିଛି ସେ ୧୧ ହଜାରରୁ ଅଧିକ ସେନାକୁ ମାରିଦେଇଛି । କିନ୍ତୁ ଯୁଦ୍ଧ ସମୟରେ ଏଭଳି ଦାବି କେତେ ସଠିକ ତାହା ସ୍ୱଷ୍ଟ ହୋଇନି । ଅନ୍ୟପଟେ ୟୁକ୍ରେନର ତୃତୀୟ ପାୱାର ପ୍ଲାଣ୍ଟକୁ ନିଜ କବଜାକୁ ନେବାକୁ ରୁଷ୍ ସେନା ଅଗ୍ରସର ହେଉଛନ୍ତି । ରାଜଧାନୀ କିଭ ସହରର ଦକ୍ଷିଣକୁ ଶହେ କିଲୋମିଟର ଦୂରରେ ରହିଛି କନିବ ହାଇଡ୍ରୋଲିକ୍ ପାୱାର ପ୍ଲାଣ୍ଟ । ଏବେ ରୁଷ୍ ସେନାର ଟାର୍ଗେଟରେ ରହିଛି ଏହି ପ୍ଲାଣ୍ଟ । ତେବେ ରାଜଧାନୀ କିଭ୍ ଏବେବି ୟୁକ୍ରେନ ସେନା ହାତରେ ରହିଛି । ରୁଷ୍ ପକ୍ଷରୁ ଦଖଲ ପାଇଁ ଜୋରଦାର ଆକ୍ରମଣ ହେଉଥିଲେ ବି ଏହାକୁ କଡ଼ା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା ।
ଆମେରିକା ରାଷ୍ଟ୍ରପତିଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି । ମଧ୍ୟସ୍ଥତା କରିବା ପାଇଁ ଆଗେଇ ଆସିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଯୁଦ୍ଧର ସ୍ଥିତି ଦେଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି । ୟୁକ୍ରେନକୁ ଆର୍ଥର୍ିକ ଏବଂ ସୁରକ୍ଷାଗତ ସହାୟତା ଯୋଗାଇଦେବାକୁ ବାଇଡେନଙ୍କ ନିକଟରେ ଜେଲେନସ୍କି ଦାବି କରିଛନ୍ତି । ଆଉ ୟୁକ୍ରେନର ଜାପୋରିଜିଆରେ ଥିବା ନ୍ୟୁକ୍ଳିୟର ପାୱାର ପ୍ଲାଣ୍ଟର ସ୍ଥିତି ନେଇ ଜେଲେନସ୍କିଙ୍କ ଠାରୁ ପଚାରି ବୁଝିଛନ୍ତି ବାଇଡେନ୍ । ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଯୁଦ୍ଧକୁ ନେଇ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ଅନ୍ୟପଟେ ସୋମବାର ରୁଷ ଏବଂ ୟୁକ୍ରେନ ମଧ୍ୟରେ ବସିବାକୁ ଥିବା ବୈଠକରୁ କିଛି ସମାଧାନ ବାହାରୁଛି କି ନାହିଁ, କିଛି ଶାନ୍ତିର ସଙ୍କେତ ମିଳିବ କି ନାହିଁ, ତା ଉପରେ ଯୁଦ୍ଧର ଆଗାମୀ ଭବିଷ୍ୟତ ନିର୍ଣ୍ଣୟ କରିପାରେ । ଏସବୁ ଭିତରେ ପୁଟିନଙ୍କ ସହ ସିଧାସଳଖ ଆଲୋଚନା ଚାହାନ୍ତି ବୋଲି କହିସାରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ।