କନକ ବ୍ୟୁରୋ : ୟୁକ୍ରେନ ରାଷ୍ଟ୍ରପତି ନିଜ ସ୍ୱର ନରମ କରିଥିବା ବେଳେ ରୁଷ୍ ମଧ୍ୟ କିଛି ନରମ ଭାବନା ଦେଖାଇଥିବା ମନେ ହେଉଛି । କାରଣ ଲଗାତର ଦୁଇ ଦିନ ପାଇଁ ୫ଟି ସହରରେ ଯୁଦ୍ଧବିରତି ଘୋଷଣା କରିଛି ରୁଷ୍ । ଏହାସହ ରୁଷ୍ କହିଛି, ୟୁକ୍ରେନ ସରକାରକୁ ଗାଦିଚ୍ୟୁତ କରିବା ଏହାର ଲକ୍ଷ୍ୟ ନୁହେଁ । ଏପଟେ ଯୁଦ୍ଧ ସ୍ଥିତି ଯୋଗୁଁ ପ୍ରାୟ ୨୦ ଲକ୍ଷରୁ ଅଧିକ ୟୁକ୍ରେନବାସୀ ଦେଶ ଛାଡ଼ିସାରିଲେଣି ବୋଲି କହିଛି ଜାତିସଂଘ ।
ସଂଘର୍ଷ ପରେ ଅସ୍ତ୍ରବିରତି । ଦିନକ ପାଇଁ ୫ ସହର ଶାନ୍ତ, ୧୪ ଦିନ ହେଲା ବୋମାବର୍ଷା, ମିଜାଇଲ ମାଡ ଓ ରକେଟ ମାଡରେ କମ୍ପୁଥିବା ୟୁକ୍ରେନ କିଛି ସମୟ ପାଇଁ ଶାନ୍ତ ପଡିଛି । ଦୁଇ ଦେଶର ସେନା ଦେଶର ୫ଟି ସହରରେ ଅସ୍ତ୍ରବିରତି ଘୋଷଣା କରିବା ପରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ସହରକୁ ପୁଣି ଥରେ କିଛି ସମୟ ପାଇଁ ଫେରିଥିଲା ଶାନ୍ତି । ଶୁଭୁନଥିଲା ବିସ୍ଫୋରଣର ଶବ୍ଦ । କି ବାଜିନଥିଲା ସାଇରନ୍ । ଆଉ ଏହାରି ଭିତରେ ଘରୁ ବାହାରିଥିଲେ ଫସିଥିବା ସାଧାରଣ ନାଗରିକ । କଡା ଯାଞ୍ଚର ସମ୍ମୁଖୀନ ହେଉଥିଲେ ବି ଟିକିଏ ଆଶ୍ୱସ୍ତ ହୋଇଥିଲେ ।
ଅସ୍ତ୍ରବିରତି ହୋଇଥିବା ସହର ଗୁଡିକ ହେଉଛି, ଖାରକିଭ୍, ମାରିୟିପୋଲ, ସୁମି, ଚେର୍ନିହିଭ୍ ଓ ଜାପୋରିଜଝିଆ । ଏହି ସବୁ ସହର ଉପରେ ଗତ କିଛି ଦିନ ହେଲା ଆକାଶ ମାର୍ଗରୁ ବୋମାମାଡ କରିବା ସହ ମିଜାଇଲ ଓ ରକେଟ ମାଡ କରୁଛି ରୁଷ୍ ସେନା । ଜବାବ ଦେବାକୁ ୟୁକ୍ରେନୀୟ ସେନା ମଧ୍ୟ ପାଲଟା ଆକ୍ରମଣ କରୁଛନ୍ତି । ଦୁଇ ସେନାର ଲଢ଼େଇ ଯୋଗୁଁ ଛାରଖାର ହୋଇଯାଇଛି ଚକଚକ କରୁଥିବା ସହର । ଭାଙ୍ଗିଯାଇଛି ବଡ ବଡ କୋଠା । ଆକ୍ରମଣରେ ଶତାଧିକ ଲୋକଙ୍କ ଜୀବନ ବି ଯାଇଛି । ଏମିତି ସ୍ଥିତିରେ ହଜାର ହଜାର ଲୋକ ଯୁଦ୍ଧଗ୍ରସ୍ତ ଅଞ୍ଚଳ ଭିତରେ ଫଶି ରହିଥିଲେ । କିନ୍ତୁ ବାହାରିବାକୁ ବାଟ ନଥିଲା । ବାହାରକୁ ବାହାରିଲେ ଜୀବନ ଯିବାର ଭୟ ଥିଲା ।
କେବଳ ୟୁକ୍ରେନୀୟ ନୁହଁନ୍ତି ବହୁ ବିଦେଶୀ ନାଗରିକ ଯୁଦ୍ଧଭୂମିରେ ଫସି ରହିବା ଖବର ସାମ୍ନାକୁ ଆସିବା ପରେ ଦୁଇ ଦେଶ ଉପରେ ଚାପ ପଡିଥିଲା । ଫସି ରହିଥିବା ଲୋକ କେମିତି ସୁରକ୍ଷିତ ଭାବେ ବାହାରକୁ ବାହାରିବେ ସେଥିପାଇଁ ପଦକ୍ଷେପ ନେବାକୁ ଅପିଲ ଭାରତ ସମେତ ଏକାଧିକ ଦେଶ ଚାପ ପକାଇଥିଲେ ।
ଭାରତୀୟ ସମୟ ୧୨ଟା ୩୦ରୁ ଏହି ଅସ୍ତ୍ରବିରତି ଲାଗୁ ହୋଇଥିଲା । ଅସ୍ତ୍ରବିରତି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଥିଲା । ଏହି କରିଡର ଦେଇ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ୟୁକ୍ରେନ୍ ସୈନ୍ୟମାନେ ବସ୍, ଟ୍ୟାକ୍ସି ଯୋଗେ ଲୋକଙ୍କୁ ନିରାପଦ ସ୍ଥାନକୁ ପଠା ଯାଇଛି । ରୁଷର ପରବର୍ତ୍ତୀ ରଣନୀତି କଣ ରହିବ । ବିଦେଶୀ ନାଗରିକମାନେ ଚାଲିଯିବା ପରେ ଆକ୍ରମଣକୁ ଆହୁରି ଅଧିକ କରିବ ନା ଦୁଇ ଦେଶର ଆଲୋଚନାରୁ ସମସ୍ୟାର ସମାଧାନର କିଛି ବାଟ ବାହାରିବ, ତା ଉପରେ ସାରା ବିଶ୍ୱର ନଜର ରହିଛି ।