କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୮ମ ଦିନରେ ପହଞ୍ଚିଛି । ୠଷର ପ୍ରଚଣ୍ଡ ଆକ୍ରମଣର ଜବାବ ଦେଉଛି ୟୁକ୍ରେନ । ତେବେ ଏହାଭିତରେ ଚେର୍ନିହିବ ସହରରେ ଥିବା ତେଲ ଡିପୋକୁ ଟାର୍ଗେଟ କରିଛି ଋଷ ସେନା । ମିଜାଇଲ ମାଡରେ ଧ୍ୱସଂ ହୋଇଯାଇଛି ଅଏଲ ଡିପୋ । ପ୍ରଚଣ୍ଡ ବିସ୍ଫୋରଣ ପରେ ଜଳିଯାଇଛି ତେଲ ଡିପୋ । ଆଉ ଏସବୁ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଯେ, ଋଷର ମେଜର ଜେନେରାଲଙ୍କର ୟୁକ୍ରେନରେ ମୃତ୍ୟୁ ହୋଇଛି । ନ୍ୟୁଜ୍ ଏଜେନ୍ସି ନେକ୍ସଟା ପକ୍ଷରୁ ଯେଉଁ ଦାବି କରାଯାଇଛି ସେଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ୟୁକ୍ରେନରେ ଯୁଦ୍ଧ ଭିତରେ ଋଷର ମେଜର ଜେନେରାଲ ଆନ୍ଦ୍ରେଇ ସୁଖୋବସ୍ତକିଙ୍କର ମୃତ୍ୟୁ ହୋଇଛି । ଏହାଛଡା ଋଷ ସେନାର ଅନେକ ଯୁଦ୍ଧାସ୍ତ୍ର ନଷ୍ଟ କରିଥିବା ନେଇ ୟୁକ୍ରେନ ଦାବି କରିଛି । ଯୁଦ୍ଧର ଅଷ୍ଟମ ଦିନରେ ଋଷର ୩୦ଟି ବିମାନ, ୩୧ ହେଲିକପ୍ଟର, ୨୧୭ ଟ୍ୟାଙ୍କ ସମେତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ରକୁ ମଧ୍ୟ ନଷ୍ଟ କରାଯାଇଛି । ଏପରିକି ୟୁକ୍ରେନ୍ କହିଛି ଏଯାବତ୍ ଋଷର ୯୦୦୦ ସୈନିକଙ୍କୁ ମାରିଛୁ ।
ଏସବୁ ଭିତରେ ଆଲୋଚନା ମାଧ୍ୟମରେ ଯୁଦ୍ଧ ସମାପ୍ତ କରିବାକୁ ମସ୍କୋ ପ୍ରସ୍ତୁତ ଥିବା କହିଛନ୍ତି ଋଷ ବୈଦଶିକ ମନ୍ତ୍ରୀ । କିନ୍ତୁ ୟୁକ୍ରେନର ମିଲିଟାରୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବାରୁ ଋଷ ହଟିବନି ବୋଲି ଚେତାଇ ଦେଇଛି । ଉଭୟ ଋଷ-ୟୁକ୍ରେନ ମଧ୍ୟରେ ଆଜି ବେଲାରୁଷରେ ଯୁଦ୍ଧକୁ ନେଇ ବୈଠକ ହେବ । ଅନ୍ୟପଷଯ ଜାତିସଂଘ ପକ୍ଷରୁ ଦାବି କରି କୁହାଯାଇଛି ଯେ, ଏବେ ପର୍ଯ୍ୟନ୍ତ ଯୁଦ୍ଧରେ ଅତି କମରେ ୨୨୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିଭଳି ୫୨୫ ଜଣ ଆହତ ହୋଇଛନ୍ତି ।
ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ବର୍ଷିଛନ୍ତି ଋଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ଲାବରୋବ । ସେ କହିଛନ୍ତି, ୟୁକ୍ରେନର ଭବିଷ୍ୟତ ନେଇ ସେଠାକାର ଲୋକ ନିଷ୍ପତି ନେବେ । ଆମେରିକାର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଋଷ-ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ । ଏହାରି ଭିତରେ ୠଷ ବୈଦଶିକ ବ୍ୟାପାର ମନ୍ତ୍ରୀଙ୍କ ଏପରି ବୟାନ ସମାଧାନର ଆଶଙ୍କାକୁ ଆହୁରି ବଢାଇ ଦେଇଛି । କିବ୍ ଓ ଖାରକିଭକୁ ଟାର୍ଗେଟ୍ କରି ଋଷ ଲଗାତର ଆକ୍ରମଣ ଜାରି ରଖିଛି । ଗୋଳାମାଡ଼ ଯୋଗୁ ଖାରକିଭରେ ବିପୁଳ କ୍ଷୟକ୍ଷତି ହୋଇଛି । ଆକ୍ରମଣ ବନ୍ଦ କରିବାକୁ ଦାବି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । କିନ୍ତୁ ଅନ୍ୟପଟେ ଯୁଦ୍ଧକୁ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ଋଷ ସେନା । କିବକୁ ଚାରିପଟୁ ଘେରିଯିବା ସହ ବିଭିନ୍ନ ସହରକୁ କବଜା କରିଛି ଋଷ । ଏହାସହ ଆଜି ରାତିରେ ଏକ ବଡ ଧରଣର ଆକ୍ରମଣ ସହ କିବ କବଜା କରିବାକୁ ପୁଟିନ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି ।