କନକ ବ୍ୟୁରୋ : ଯୁଦ୍ଧ ଆଡକୁ ମୁହାଁଉଛି ଋଷ-ୟୁକ୍ରେନ୍ ବିବାଦ । ଦୁଇ ଦେଶର ଏହି ବିବାଦ ମଧ୍ୟରେ ଦେଖିବାକୁ ମିଳିଛି ୟୁକ୍ରେନର କଡା ଆଭିମୁଖ୍ୟ । ୟୁକ୍ରେନ୍ ବିଦେଶମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ଯୁଦ୍ଧ ଆଶଂକାକୁ ଆହୁରି ବଢାଇଦେଇଛି । ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା କହିଛନ୍ତି, ୟୁକ୍ରେନ୍ ସେପର୍ଯ୍ୟନ୍ତ ଲଢିବ ଯେପର୍ଯ୍ୟନ୍ତ ଜିତି ନଯାଇଛି । ବିଦେଶ ମନ୍ତ୍ରୀଙ୍କ ଏହି ବୟାନ ପ୍ରମାଣ କରୁଛି କି, ଯଦି ଋଷ ଆକ୍ରମଣ କରେ ତେବେ ୟୁକ୍ରେନ୍ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ।
ୟୁକ୍ରେନ୍ ବିଦେଶ ମନ୍ତ୍ରୀ ସଫା ସଫା ଶୁଣାଇଦେଇଛନ୍ତି କି, ଆକ୍ରମଣ ଛୋଟ କି ବଡ ହୋଇନଥାଏ । ଆକ୍ରମଣ କେବଳ ଆକ୍ରମଣ ହିଁ ହୋଇଥାଏ । ପ୍ଲାନ୍ ‘ଏ’ରେ ଆମେ ପ୍ରଥମେ କୁଟନୈତିକ ଭାବରେ ଲଢିବୁ । ଏହାପରେ ପ୍ଲାନ୍ ‘ବି’ରେ ପ୍ରତିଟି ସହର, ପ୍ରତିଟି ଗାଁ ଏପରିକି ଗୋଟିଏ ଇଂଚ୍ ଜମି ପାଇଁ ଲଢେଇ କରିବୁ । ଆଉ ସେପର୍ଯ୍ୟନ୍ତ ଲଢେଇ କରିବୁ ଯେପର୍ଯ୍ୟନ୍ତ ଆମେ ଜିତି ନଯାଇଛୁ ।
ସେପଟେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୂର୍ବ ୟୁକ୍ରେନର ୨ଟି ଅଂଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର ପ୍ରତିକ୍ରିୟା ପ୍ରକାଶ ପାଇଛି । ୟୁକ୍ରେନ୍-ଋଷ ବିବାଦରେ ଆକ୍ସନକୁ ଆସିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ବିରୋଧରେ ଆର୍ଥିକ କଟକଣା ଜାରି କରିଛନ୍ତି । ପଶ୍ଚିମ ଦେଶ ସହ ଆଉ ବ୍ୟବସାୟ କରିବେ ନାହିଁ ବୋଲି କହିଛନ୍ତି ବାଇଡେନ୍ । ଏହା ସହ ଋଷକୁ ପଶ୍ଚିମ ଦେଶରୁ ମିଳୁଥିବା ସହାୟତା ଉପରେ ମଧ୍ୟ ରୋକ୍ ଲଗାଯିବ । ଋଷ ପକ୍ଷରୁ ଅର୍ନ୍ତରାଷ୍ଟ୍ରୀୟ ଆଇନର ଲଗାତର ଉଲଂଘନ କରାଯାଉଥିବା କହିଛନ୍ତି ବାଇଡେନ୍ । ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରର ନେତାମାନେ ଋଷ ବିରୋଧରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି । ଆମେରିକା ବିଦେଶ ସଚିବ ଆଂଟୋନୀ ବ୍ଲିଙ୍କେନ୍ କହିଛନ୍ତି, ଆମେରିକା ପୁଟିନ୍ଙ୍କ ନିଷ୍ପତି ବିରୋଧରେ ସଠିକ୍ ପଦକ୍ଷେପ ଗ୍ରହଣ କରାଯିବ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଜରୁରୀ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଋଷର ୧୦୦ଟି ଯୁଦ୍ଧ ଟ୍ରକ୍ ସୀମାବର୍ତ୍ତି ଅଞ୍ଚଳଆଡକୁ ପଠାଯାଉଥିବା ସୂଚନାରୁ ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/i7xkzrviyozdsthq_1644824259.jpeg)