୨୬ଦିନରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ । ବିସ୍ଫୋରଣରେ ଧ୍ୱଂସ ହେଲା କେମିକାଲ ପ୍ଲାଣ୍ଟ ।

140

କନକ ବ୍ୟୁରୋ : ୨୬ଦିନରେ ପହଞ୍ଚିଛି ୟୁକ୍ରେନ ଓ ରୁଷ ଯୁଦ୍ଧ । ପୁଟିନ ବାହିନୀର ଘନ ଘନ ଆକ୍ରମଣରେ ଥରୁଛି ୟୁକ୍ରେନ । ଜନବସତି ଅଞ୍ଚଳଠୁ ନେଇ ସରକାରୀ କାର୍ଯ୍ୟାଳୟ ସବୁ କିଛିକୁ ଟାର୍ଗେଟ୍ କରି ମିସାଇଲ, ବୋମା ମାଡ କରୁଛି ରୁଷ୍ । ସୋମବାର ସୁମୀ କେମିକାଲ ପ୍ଲାଣ୍ଟରେ ରୁଷ ସେନା ଆକ୍ରମଣ କରିବା ଯୋଗୁଁ ସ୍ଥିତି ଆହୁରି ଭୟଙ୍କର ହେବାରେ ଲାଗିଛି । ଯୁଦ୍ଧ ସଙ୍କଟ ଭିତରେ ଶୁକ୍ରବାର ନାଟୋ ଦେଶର ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ପୋଲାଣ୍ଡ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

୨୬ଦିନରେ ପହଞ୍ଚିଛି ୟୁକ୍ରେନ ଓ ରୁଷ ଯୁଦ୍ଧ । ଋୁଷର ଆକ୍ରମଣ, ୟୁକ୍ରେନର ମୁକାବିଲା । ରୁଷର ଆକ୍ରମଣରେ ଧ୍ୱଂସ୍ତସ୍ତୁପ ପାଲଟିଯାଇଛି ୟୁକ୍ରେନ । ଜନବସତିଠୁ ନେଇ ଶିକ୍ଷାନୁଷ୍ଠାନ, ବ୍ୟବସାୟୀକ ପେଣ୍ଠସ୍ଥଳଠୁ ନେଇ ସରକାରୀ କାର୍ଯ୍ୟାଳୟ । ସବୁଠି ଜୋରଦାର ଆକ୍ରମଣ କରୁଛନ୍ତି ପୁଟିନ ସେନା । ସୋମବାର ୟୁକ୍ରେନ୍ ସୁମିରେ ଥିବା କେମିକାଲ ପ୍ଲାଣ୍ଟ ଉପରେ ରୁଷ ସେନା ପକ୍ଷରୁ ପ୍ରଚଣ୍ଡ ଗୁଳିମାଡ କରାଯାଇଛି । ଫଳରେ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ହେଉଥିବା ସୂଚନା ମିଳିଛି । ଏହାର ପ୍ରଭାବ ୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହେଉଛି । ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ତେଣୁ ଲୋକଙ୍କୁ ବନ୍ଦ ଘରେ ଓ ଅଣ୍ଡରଗ୍ରାଉଣ୍ଡ ସେଲଟରରେ ରହିବା ପାଇଁ କୁହାଯାଇଛି । ଆବଶ୍ୟକ ହେଲେ ତୁରନ୍ତ ଗାଧୋଇବା ପାଇଁ ମଧ୍ୟ ଲୋକଙ୍କୁ କୁହାଯାଇଛି । ଆକ୍ରମଣ କରି ରାଜଧାନୀ କିଭ ଓ ଖାରକିଭକୁ ମାଟିରେ ମିଶାଇ ସାରିଥିବା ପୁଟିନ ସେନା ଏବେ ମାରିୟୁପୋଲ ସହରକୁ ନିଜ କବଜାକୁ ନେବାକୁ ଚେଷ୍ଟା ଚଳାଇଛି ରୁଷ ସେନା । ସଂଧ୍ୟା ସୁଦ୍ଧା ଅସ୍ତ୍ର ଛାଡିବାକୁ ୟୁକ୍ରେନକୁ ଚେତାବନୀ ଦେଇଥିଲା ରୁଷ ।

ରୁଷର ଅଲଟିମେଟମକୁ ଏଡାଇ ଦେଇଛି ୟୁକ୍ରେନ । ରୁଷର ଆଖି ଏବେ ମାରିୟୁପୁଲ ଉପରେ ଥିବାବେଳେ ଏହାକୁ ସହଜରେ ହାତଛଡା କରିବା ମୁଡରେ ନାହିଁ ୟୁକ୍ରେନ । ଦକ୍ଷିଣ ପୂର୍ବ ୟୁକ୍ରେନକୁ ଯୋଡୁଥିବା ଏହି ସହରକୁ ହାସଲ କରିବା ରୁଷ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ଆତ୍ମସର୍ମପଣର ପ୍ରଶ୍ନ ଉଠୁନି ବୋଲି ୟୁକ୍ରେନ ଉପପ୍ରଧାନମନ୍ତ୍ରୀ କହିଛନ୍ତି ।

ବର୍ତମାନ ମାରିୟୁପୋଲ ଉପରେ ବାରମ୍ବାର ଆକ୍ରମଣ କରୁଛି ରୁଷ ସେନା । ମାରିୟୁପୋଲରେ ଖାଦ୍ୟ, ପିଇବା ପାଇଁ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୨୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେପଟେ ଯୁଦ୍ଧ ସ୍ଥିତି ଉପରେ ପୂରା ନଜର ରଖିଛି ଆମେରିକା । ଯୁଦ୍ଧ ସଙ୍କଟ ଭିତରେ ମାର୍ଚ୍ଚ ୨୫ ତାରିଖରେ ପୋଲାଣ୍ଡ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ନାଟୋ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ବାଇଡେନ । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଯୁଦ୍ଧ ସଙ୍କଟ ଭିତରେ ରୁଷକୁ ସହଯୋଗ କରିପାରେ ବେଲାରୁଷ । ୟୁକ୍ରେନ ବିରୋଧୀ ଯୁଦ୍ଧରେ ବେଲାରୁଷ ସାଥ ଦେଇ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଯଦି କଥା ସତ ହୁଏ ତେବେ ଆଗାମୀ ୭ଦିନ ଭିତରେ ଯୁଦ୍ଧ ଆହୁରି ଭୟଙ୍କର ରୂପ ନେବା ଆଶଙ୍କା ପ୍ରକାଶ ପାଇଛି ।

ରୁଷର ଆକ୍ରମଣ ଓ ୟୁକ୍ରେନର ମୁକାବିଲା ଭିତରେ ଚାଲିଛି ଯୁଦ୍ଧ । ୟୁକ୍ରେନ ସେନା ରୁଷର ଜବରଦସ୍ତ ମୁକାବିଲା ଓ ଠିକଣାବାଟରେ ଆଗକୁ ବଢୁନଥିବା ଯୋଗୁଁ ଅଧିକ ଆକ୍ରମଣାତ୍ମକ ହେଉଛି ରୁଷ । ଦିନକୁ ଦିନ ଅତି କଠୋର ହେବା ସହ ବିଧ୍ୱଂସକାରୀ ହାଇପରସୋନିକ ମିସାଇଲ ବ୍ୟବହାର କରିବା ଆରମ୍ଭ କରିଛନ୍ତି ପୁଟିନ ସେନା ।