ଆମେରିକା ଫଣ୍ଡିଂ ବନ୍ଦ । କେମିତି ଯୁଦ୍ଧ କରିବ ୟୁକ୍ରେନ ?

108

ଲାଗୁଛି ଯେପରି ରୁଷ-ୟୁକ୍ରେନ ଯୁଦ୍ଧ ଆଉ କିଛିଦିନ ଭିତରେ  ଶେଷ ହେବାକୁ ଯାଉଛି । ଏପରି ଘଡିସନ୍ଧି ସମୟରେ  ଆମେରିକା ୟୁକ୍ରେନକୁ ଏକ ଜୋର ଝଟକା ଦେଇଛି । ଆମେରିକା ୟୁକ୍ରେନକୁ ଦେଉଥିବା ଫଣ୍ଡିଂ କିଛିଦିନ ତଳେ ବନ୍ଦ କରିଦେଇଛି । ୟୁକ୍ରେନ ଅଧିକାରୀମାନେ  ଜାଣନ୍ତି ଯେ ଆମେରିକାର ଅର୍ଥ ବିନା ସେମାନେ ଋଷର ମୁକାବିଲା କରିପାରିବେ ନାହିଁ । ତଥାପି, ୟୁକ୍ରେନ ଆଶା ରଖିଛି ଯେ  ଆମେରିକା ପୁଣି ଥରେ ଟଙ୍କା ଦେବ ବୋଲି ।

ରୁଷ ବିରୋଧରେ ଯୁଦ୍ଧରେ ବର୍ତ୍ତମାନ ୟୁକ୍ରେନ ଦୁର୍ବଳ ହେବାରେ ଲାଗିଛି ।  କାରଣ ଆମେରିକା ଦେଉଥିବା  ଏହାର ପାଣ୍ଠି ବନ୍ଦ କରିଦେଇଛି । ସିନେଟରେ ରିପବ୍ଲିକାନ୍ ସିନେଟରମାନେ ୟୁକ୍ରେନକୁ ଦିଆ ଯାଉଥିବା କୋଟିକୋଟି ଡଲାରର ପାଣ୍ଠିକୁ ବନ୍ଦ କରିଦେଇଛନ୍ତି । ଯଦିଓ ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ ଚେତାବନୀ ଦେଇଛନ୍ତି ଯେ ୟୁକ୍ରେନକୁ ପାଣ୍ଠି ବନ୍ଦ କରିବାର ଫଳ ଗୁରୁତର ହେଇପାରେ । ଏହା ବାଦ ବି ୟୁକ୍ରେନ ଆର୍ଥିକ ସହାୟତା ପାଇବାକୁ ଆଶା ରଖିଛି । ଆମେରିକା ପାଣ୍ଠି ବନ୍ଦ କରିବା ବର୍ତ୍ତମାନ ୟୁକ୍ରେନ ପାଇଁ ସବୁଠାରୁ ବଡ ଆହ୍ବାନ ହେଇ ଛିଡା ହେଇଛି । ଅଧିକାଂଶ ସାମରିକ ଆବଶ୍ୟକତା ପାଇଁ ୟୁକ୍ରେନ ଆମେରିକା ଉପରେ ନିର୍ଭରଶୀଳ ଥିଲା । ଏହା ୟୁକ୍ରେନକୁ ନୂତନ ଅସ୍ତ୍ରଶସ୍ତ୍ର କ୍ରୟ କରିବା, ସାମରିକ ତାଲିମ ଏବଂ ଲଜିଷ୍ଟିକ୍ସ ପ୍ରଭାବିତ କରିପାରେ ଯାହା ସିଧାସଳଖ ରୁଷ ବିରୋଧରେ ଯୁଦ୍ଧରେ ୟୁକ୍ରେନକୁ ଦୁର୍ବଳ କରିବ ।

ଆମେରିକାର ସିନେଟରେ ପ୍ରତ୍ୟାଖ୍ୟାନ ହୋଇଥିବା ବିଲରେ ଅନ୍ତର୍ଭୁକ୍ତ ୧୧୦ ବିଲିୟନ ଡଲାର ମଧ୍ୟରୁ ୬୧ ବିଲିୟନ ଡଲାର କେବଳ ୟୁକ୍ରେନକୁ ଦିଆଯାଉଥିଲା ।  ଯାହା ଯୁଦ୍ଧ ସମୟରେ ବହୁତ ବଡ଼ ସହାୟତା ଥିଲା । ଆମେରିକାରେ ୟୁକ୍ରେନ ରାଷ୍ଟ୍ରଦୂତ ଅକ୍ସାନା ମାର୍କାରୋଭା ଆଶା କରିଛନ୍ତି ଯେ ଆମେରିକା କଂଗ୍ରେସ ଏହି ପ୍ରସଙ୍ଗରେ ପୁନର୍ବିଚାର କରିବ ବୋଲି ଆଶା ଅଛି । କୁହାଯାଉଛି ଯେ ରିପବ୍ଲିକାନ୍ ପାର୍ଟିର ସିନେଟରମାନେ ଆମେରିକାର ସୀମାର ସୁରକ୍ଷା ସହ ଜଡିତ ବିଷୟ ଉଲ୍ଲେଖ ନକରି ୟୁକ୍ରେନ ପାଣ୍ଠି କଥା ଉଠେଇବାରୁ ସେମାନେ କ୍ରୋଧିତ ହୋଇଥିଲେ । ବାସ୍ତବରେ, ସିନେଟରେ ରିପବ୍ଲିକାନ୍ ପାର୍ଟିର ପ୍ରାଧାନ୍ୟ ରହିଛି ଏବଂ ଏହି କାରଣରୁ ଡେମୋକ୍ରାଟ୍ ସରକାର ବିଲ ପାସ ପାଇଁ ରିପବ୍ଲିକାନ୍ସଙ୍କ ସମର୍ଥନ ଆବଶ୍ୟକ କରନ୍ତି ।

ତଥାପି ଅର୍ଥ ପାଇବାକୁ ଆଶା ରଖିଛି

ୟୁକ୍ରେନ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଆମେରିକା କଂଗ୍ରେସ ବୈଠକ ଜାରି ରହିବ ଏବଂ ପୁନର୍ବାର ଭୋଟ୍ କରାଯିବ ବୋଲି ଆଶା କରାଯାଉଛି । ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି ଯେ ସେ ଆମେରିକା କଂଗ୍ରେସ ସହ ଆଲୋଚନା କରୁଛନ୍ତି । ୟୁକ୍ରେନ ରାଷ୍ଟ୍ରଦୂତ ଆଶା କରିଛନ୍ତି ଯେ ଖ୍ରୀଷ୍ଟମାସ ପୂର୍ବରୁ ଆମେରିକା କଂଗ୍ରେସ କିଛି ଦୟା ଦେଖାଇବ ଏବଂ ପାଣ୍ଠି ଦେବକୁ ରାଜି ହେବ । ଅର୍ଥ ପାଇଲେ ସେମାନେ ରୁଷ ବିରୁଦ୍ଧରେ ଆକ୍ରମଣକୁ ଜୋରଦାର କରିବାକୁ ସକ୍ଷମ ହେବ । ଆମେରିକାରେ ସୀମା ସୁରକ୍ଷା ଏକ ବଡ଼ ପ୍ରସଙ୍ଗ, ଯେଉଁଠାରେ ମେକ୍ସିକୋ ସୀମାରୁ ପ୍ରତିଦିନ ଅନୁପ୍ରବେଶ ହୁଏ । ଏହା ଆମେରିକାର ଜନସଂଖ୍ୟା ଉପରେ ପ୍ରଭାବ ପକାଇଥାଏ । ବୈଠକରେ ଏ ବିଷୟରେ ଆଲୋଚନା ନହେବାରୁ ବିପକ୍ଷ ଦଳ ସଦସ୍ୟମାନେ କ୍ରୋଧିତ ହୋଇଥିଲେ ।

ଆମେରିକା ଏପର୍ଯ୍ୟନ୍ତ ୪୬  ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର  ଦେଇଛି

ହ୍ଵାଇଟ ହାଉସ ଏବଂ ୟୁକ୍ରେନ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ୟୁକ୍ରେନକୁ ଦିଆ ଯାଉଥିବା  ପାଣ୍ଠି ଧୀରେ ଧୀରେ ସରିବାକୁ ଯାଉଛି । ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ଯଦି ଅର୍ଥ ପ୍ରଦାନ କରା ନ ଯାଏ ତେବେ ୟୁକ୍ରେନ ଯୁଦ୍ଧରେ ହାରିଯିବ। ଯଦି ଏପରି ହୁଏ ତେବେ ଏଥିରୁ ରୁଷ ହିଁ  ଉପକୃତ ହେବ। ଯଦି ଆମେରିକାର ସାମରିକ ସମର୍ଥନ ବନ୍ଦ ହୋଇଯାଏ ତେବେ ରୁଷ ଯୁଦ୍ଧରେ ଜିତିବ ଏଥିରେ ସନ୍ଦେହ ନାହିଁ । ଯୁଦ୍ଧକୁ ମୁକାବିଲା କରିବା ପାଇଁ ୟୁକ୍ରେନ ପାଶ୍ଚାତ୍ୟ ଏବଂ ୟୁରୋପୀୟ ଦେଶମାନଙ୍କରୁ ଅନୁଦାନ ପାଉଛି । ଯେଉଁଥିରେ କେବଳ ଆମେରିକା ୪୬ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଦେଇଛି ।

ରୁଷ ଏହାର ଲାଭ ଉଠାଇପାରେ, ଆତ୍ମସମର୍ପଣ କରିବାକୁ ବାଧ୍ୟ କରିପାରେ

ଆମେରିକାର ଅର୍ଥ ବନ୍ଦ କରିବାର ସବୁଠାରୁ ଖରାପ ପ୍ରଭାବ ୟୁକ୍ରେନ ସେନା ଉପରେ ପଡ଼ିବ, ଯିଏ ଆଗାମୀ ଦିନରେ ଶୀତର ସମ୍ମୁଖୀନ ହେବେ । ଶୀତ ଋତୁରେ ୟୁକ୍ରେନ ସେନା ପାଇଁ ଭୂମିରେ ରହି ଯୁଦ୍ଧ କରିବା ବହୁତ କଷ୍ଟସାଧ୍ୟ ହେବ । କୁହାଯାଉଛି ଯେ ବର୍ତ୍ତମାନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ବରିଷ୍ଠ ସେନା କମାଣ୍ଡରଙ୍କ ମଧ୍ୟରେ ତାଳମେଳ ଠିକ୍ ଚାଲିନାହିଁ ।  ଆହୁରି ମଧ୍ୟ ଦାବି ରହିଛି ଯେ ଯଦି ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ଦେଖାଦିଏ ତେବେ ଏଥିରୁ ରୁଷ ନିଶ୍ଚୟ ଫାଇଦା ଉଠାଇବାକୁ ଚାହିଁବ । ୟୁକ୍ରେନ ସେନାକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିପାରିବ ।