କନକ ବ୍ୟୁରୋ : ୟୁକ୍ରେନ ବିରୁଦ୍ଧରେ ଋଷର ଯୁଦ୍ଧ ଘୋଷଣା ପରେ ଆରମ୍ଭ ହୋଇଛି ଘନଘନ ଆକ୍ରମଣ । ୟୁକ୍ରେନର ୧୩ଟି ସ୍ଥାନରେ ବାଲାଷ୍ଟିକ ମିସାଇଲ ଓ ମାନବବିହୀନ ଡ୍ରୋନ ଦ୍ୱାରା ଆକ୍ରମଣ ସହ କଡା ଆଭିମୁଖ୍ୟ ରଖିଛି ଋଷ । ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କୁ ଧମକ ଦେବା ସହ କହିଛି, ୟୁକ୍ରେନ ମାମଲାରେ କେହି ମୁଣ୍ଡ ନ ଖେଳାନ୍ତୁ । ଯଦି କେହି ଏହି ମାମଲାରେ ମୁଣ୍ଡ ଖେଳାଇବେ ତେବେ ପରିସ୍ଥିତି ଭୟାବହ ହେବ । ଏମିତି ଅବସ୍ଥା ହେବ ଯେପରି ପୂର୍ବରୁ ଇତିହାସରେ କେହି କେବେ ଦେଖିନଥିବେ । ଅନ୍ୟପଟେ ୟୁକ୍ରେନ ମଧ୍ୟ ଦେଶରେ ମାର୍ଶଲ ଆଇନ ଲାଗୁ କରିଛି । ଯାହାଦ୍ୱାରା ସମସ୍ତ ଦାୟିତ୍ୱ ଏବେ ସେନାବାହିନୀ ହାତକୁ ଚାଲି ଯାଇଛି ।
ଏଭଳି ସଙ୍କଟଜନକ ସ୍ଥିତି ଭିତରେ ଚୀନ ଓ ଆମେରିକାର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଚୀନ୍ କହିଛି, ଧୈର୍ଯ୍ୟର ସହ ସ୍ଥ୍ିତିକୁ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ସେହିଭଳି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଏହି ଯୁଦ୍ଧରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଋଷ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବ । ଆମେରିକା ଓ ଏହାର ସହଯୋଗୀ ଏକାଠି ହୋଇ ଏହାର ଜବାବ ଦେବେ । ଆଉ ପୂରା ବିଶ୍ୱ ଏଥିପାଇଁ ଋଷକୁ ଦାୟୀ କରିବ । ଅନ୍ୟପଟେ ତୁର୍କୀକୁ ସୈନ୍ୟ ସହାୟତା ମାଗିଛି ୟୁକ୍ରେନ । ବିପଦ ବେଳେ ସୈନ୍ୟ ସହାୟତା କରିବାକୁ ଅପିଲ କରିଛି ୟୁକ୍ରେନ । ଏପରିକି ୟୁକ୍ରେନ ଆକାଶରେ ଏବେ ଫାଇଟର ଜେଟ ଉଡିବା ଆରମ୍ଭ କରିଛି ।