କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ଆହୁରି ଉଗ୍ର ରୂପ ଧାରଣ କରିଛି । ୟୁକ୍ରେନର ରାଜଧାନୀ କିବରେ ପ୍ରଚଣ୍ଡ ଆକ୍ରମଣ କରୁଛି ଋଷ ସେନା । କିବ୍ ଠାରୁ ଅତି ନିକଟରେ ରହିଛି ଋଷ ସେନା । ଖୁବ କମ ସମୟ ମଧ୍ୟରେ କିବ୍ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଘନ ଘନ ଆକ୍ରମଣ ଓ ପ୍ରଚଣ୍ଡ ବୋମାମାଡରେ ଏବେ କିଭ ଓ ଏହାର ଆଖପାଖ ଅଞ୍ଚଳ ଥରହର ହେଉଛି । ଆଉ ଏସବୁ ଭିତରେ ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନର ଦକ୍ଷିଣରେ ଥିବା ସହର ମାଇକୋଲାଇଭରେ ବୋମାବର୍ଷା କରିଛି ଋଷ । ଆଉ ଋଷର ଏହି ବିଧ୍ୱଂସୀଲୀଳା ବଞ୍ଚିନାହିଁ କ୍ୟାନସର ହସ୍ପିଟାଲ । ଯେଉଁ ସମୟରେ ହସ୍ପିଟାଲରେ ଆକ୍ରମଣ ହୋଇଥିଲେ ସେଠାରେ ଅନେକ ରୋଗୀ ମଧ୍ୟ ଚିକିତ୍ସିତ ହେଉଥିଲେ । ତେବେ ସୌଭାଗ୍ୟବସତଃ ଏଥିରେ କାହାର ମୃତ୍ୟୁ ହୋଇନାହିଁ । ଏପରିକି ଅନେକ ବିଲ୍ଡିଂ ମଧ୍ୟ ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି ।

Advertisment

କେବଳ ଏତିକି ନୁହେଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ମେଲିଟୋପୋଲ ସହରର ମେୟରଙ୍କୁ ମଧ୍ୟ ଅପହରଣ କରିଛି ଋଷ । ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କିଛି ବ୍ୟକ୍ତି ମେୟରଙ୍କୁ ବନ୍ଧକ କରି ନେଉଥିବା ଦେଖିବାକୁ ମିଳିଛି । ଯୁଦ୍ଧ ଆରମ୍ଭରୁ ହିଁ ମୋଲିଟୋପୋଲ ସହରକୁ କବଜା କରିଥିଲା ଋଷ ସେନା ।

ଆଜି ମାଇକୋଲାଇଭ ଉପରେ ପ୍ରଚଣ୍ଡ ଆକ୍ରମଣ କରି ଋଷ ସଂକେତ ଦେଇଛି ଯେ, ଖୁବଶୀଘ୍ର କିବକୁ କବଜା କରିବାକୁ ଯାଉଛି ଋଷ ସେନା । ଅନ୍ୟପଟେ ମେଲିଟୋପୋଲ ସହରର ମେୟରଙ୍କୁ ଛାଡିବାକୁ ଲୋକେ ରାସ୍ତା ଉପରକୁ ଆସି ପ୍ରଦର୍ଶନ କରିବା ସହ ଋଷ ସେନା ବିରୋଧରେ ସ୍ଲୋଗାନ ଦେଇଥିଲେ ।