ୟୁକ୍ରେନରେ ଘନଉଛି ଯୁଦ୍ଧ ଆଶଙ୍କା । ସାଟେଲାଇଟ ଫଟୋରେ ଆକ୍ରମଣର ପୂର୍ବାଭାସ, ୟୁକ୍ରେନ ସୀମାନ୍ତରେ ସେନା ଠୁଳ କରୁଛି ରୁଷ୍ ।

171

କନକ ବ୍ୟୁରୋ : ୟୁକ୍ରେନକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଆଶା ଆଶଙ୍କା ଘେରରେ ରହିଛି ପରିସ୍ଥିତି । ୟୁରୋପ ଛାତିରେ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଋଷ ଓ ଆମେରିକା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ସଙ୍କଟର ସମୟରେ ପ୍ରତ୍ୟେକ ଦିନ ୟୁକ୍ରେନ ଓ ଋଷରୁ ଆସୁଛି ବିଚଳିତ କରିବା ଭଳି ଖବର । ରବିବାର ବିଳମ୍ବିତ ରାତିରୁ ଋଷିଆ ସୈନ୍ୟ ୟୁକ୍ରେନର ଲଞ୍ଚ ପ୍ୟାଡ ନିକଟରେ ପହଞ୍ଚିଥିବା ଖବର ଏବେ ସ୍ପଷ୍ଟ କରିଛି ସାଟେଲାଇଟ ଫଟୋ । ସେପଟେ ୟୁକ୍ରେନ ଉପରେ ବଡ ଅଭିଯୋଗ ଆଣିଛନ୍ତି ପୁଟିନ ସରକାର । ୟୁକ୍ରେନର ଆକ୍ରମଣରେ ଋଷର ସୀମା ସୁରକ୍ଷା ପୋଷ୍ଟ ଧ୍ୱଂସ ହୋଇଥିବା ଦାବି ହୋଇଛି ।

ସାଟେଲାଇଟ ଫଟୋରୁ ଯୁଦ୍ଧ ସଙ୍କେତ । ଆକ୍ରମଣ ମୁଦ୍ରାରେ ଋଷ ସୈନ୍ୟ । ଯୁଦ୍ଧ ବିପଦ ଟାଳିବାକୁ ଋଷ ଓ ୟୁକ୍ରେନ କୁଟନୀତି ସ୍ତରରେ ଆଲୋଚନା ସପକ୍ଷରେ ମତ ଦେଉଛନ୍ତି । ଏବେ କିନ୍ତୁ ୟୁକ୍ରେନ ସୀମାରୁ ଆସିଛି ନୂଆ ସାଟେଲାଇଟ ଫଟୋ । ସୋମବାର ରାତିରେ ୟୁକ୍ରେନ ସୀମାନ୍ତ ଲଞ୍ଚପ୍ୟାଡରେ ଋଷ ସେନା ପହଞ୍ଚିସାରିଥିବା ସତ ଏବେ ବୟାନ କରିଛି ଏହି ସାଟେଲାଇଟ ଫଟୋ । ମାସ୍କ ପକ୍ଷରୁ ଜାରି କରାଯାଇଥିବା ଏହି ସ୍ୟାଟେଲାଇଟ ଫଟୋ ସେଠାକାର ବର୍ତମାନ ସ୍ଥିତି ବଖାଣିଛି ।

ବେଲଗୋରୋଡ, ସୋଲୋଟି, ଭାଲ୍ରୁୟକି ନିକଟରେ ଋଷ ଯୁଦ୍ଧ ସରଞ୍ଜାମ ବହନ କରୁଥିବା ସ୍ୱତନ୍ତ୍ର ଗାଡି ଓ ଟ୍ରୁପକୁ ମୃତୟନ କରିଛି । ପୂର୍ବ ଅପେକ୍ଷା ୟୁକ୍ରେନ ସୀମାର ଅତି ନିକଟରେ ପହଞ୍ଚିଗଲେଣି ଋଷ ସେନାବାହୀନି । ପୂର୍ବରୁ ହିଁ ୟୁକ୍ରେନ ସୀମାନ୍ତରେ ଋଷ ନିଜର ସୈନ୍ୟ, ହତିଆର, ଗୋଳାବାରୁଦ, ଟ୍ୟାଙ୍କ, ତୋପ, ଜମା କରିଥିଲା ଏବେ କିନ୍ତୁ ୟୁକ୍ରେନ ସୀମାନ୍ତର ଆହୁରି ନିକଟରେ ପହଞ୍ଚିଲେଣି ଋଷ ସେନା । ଏହି ସାଟେଲାଇଟ ଫଟୋ ଜାରି ହେବା ପୂର୍ବରୁ ପୁଣି ସତର୍କ କରାଇସାରିଛି ଆମେରିକା । ଋଷ ନିଜ ସେନାକୁ ଆକ୍ରମଣ ପାଇଁ ଆଦେଶ ଦେଇଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା କହିଛି ।

ସେପଟେ କିନ୍ତୁ ଋଷ ନିଜ ସେନାକୁ ୟୁକ୍ରେନରୁ ପ୍ରତ୍ୟାହାର କରୁଥିବା କହି ଆସୁଛି । ପୂର୍ବରୁ ଜାରି ହୋଇଥିବା ଆଉ କିଛି ସାଟେଲାଇଟ ଫଟୋରୁ ଜଣାପଡିଥିଲା କି ୟୁକ୍ରେନକୁ ୩ପଟୁ ଘେରି ରହିଛି ଋଷ । ଯେକøଣସି ମୁହୁର୍ତରେ ଆକ୍ରମଣ ପାଇଁ ସମରସଜ୍ଜା କରିଛି ।

ଗୋଟେ ପଟେ ଯୁଦ୍ଧ ବିପଦ ଘନଉଥିବାବେଳେ ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିବାଦ କମ କରିବା ପାଇଁ ବୈଠକ ଡାକିବା ଉପରେ ସହମତି ପ୍ରକାଶ କରିଛନ୍ତି । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଏ ମାର୍କନ ମଧ୍ୟ ରବିବାର ପୁଟିନଙ୍କ ସହ ଫୋନରେ ୟୁକ୍ରେନକୁ ନେଇ ଆଲୋଚନା କରିଛନ୍ତି ।

ଗୋଟେ ପଟେ ୟୁକ୍ରେନରେ ଋଷର ଆକ୍ରମଶ ଆଶଙ୍କା ଘନଉଥିବାବେଳେ ଅନ୍ୟପଟେ ପୂର୍ବ ୟୁକ୍ରେନର ସ୍ଥିତି ସଂଗୀନ ହେବାରେ ଲାଗିଛି । ୟୁକ୍ରେନ ସେନା ଓ ଋଷ ସମର୍ଥିତ ବିଦ୍ରୋହୀଙ୍କ ମଧ୍ୟରେ ଲଢେଇ ଚାଲିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୀମାରେ ତୁରନ୍ତ ଅସ୍ତ୍ରବିରତି ଉଲ୍ଲ୍ଂଘନ କରିବାକୁ ଦାବି କରିଛନ୍ତି । ଏସବୁ ଭିତରେ ଋଷ ଶନିବାରଠୁ ୟୁକ୍ରେନ ସୀମାନ୍ତରେ ଆରମ୍ଭ କରିଥିବା ଆଣବିକ ସମରଭ୍ୟାସ ଆଶଙ୍କାକୁ ଦ୍ୱିଗୁଣିତ କରିଛି ।

ମିସାଇଲ ପରୀକ୍ଷଣ ଭିତରେ ଋଷକୁ ୟୁକ୍ରେନ ବିଚ୍ଛିନତାବାଦୀଙ୍କ ସମର୍ଥନ ଓ ୟୁକ୍ରେନ ସୀମାନ୍ତରୁ ଆସିଥିବା ଏହି ନୂଆ ସାଟେଲାଇଟ ଫଟୋ ହୁଏତ ଯୁଦ୍ଧର ପୂର୍ବାଭାସ ହୋଇପାରେ । ଫଟୋ କହୁଛି ଆକ୍ରମଣ ମୁଦ୍ରାରେ ରହିଛନ୍ତି ଋଷ ସେନା । ଅନ୍ୟପଟେ ଆମେରିକା ଯେଉଁ ଦାବି କରୁଛି ସେକଥା ଯଦି ସତ ହୁଏ, ତେବେ ବିଶ୍ୱ ୩ୟ ଯୁଦ୍ଧ ଦେଖିବା ନେଇ ଆଶଙ୍କା ହୁଏତ ସତର ରୂପ ନେଇପାରେ ।