କନକ ବ୍ୟୁରୋ : ୟୁକ୍ରେନ୍ ସଂକଟ ବଢିବାରେ ଲାଗିଛି । ୟୁକ୍ରେନ୍ ପଠାଗଲା ଋଷ ସେନା । ୟୁକ୍ରେନର ଦୁଇଟି ଅଂଚଳ ଲୁହାନ୍ସ ଓ ଡୋନେକ୍ସକୁ ଦେଶର ମାନ୍ୟତା ମିଳିଛି । ଏହା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଏହି ଦୁଇ ଅଂଚଳକୁ ସେନା ପଠାଇବା ପାଇଁ ଆଦେଶ ଦେଇଛନ୍ତି । ଏବେ ଋଷ ସେନା ଏହି ଦୁଇ ଅଂଚଳକୁ ଯିବେ । ପୂର୍ବରୁ ଏହି ଅଂଚଳରେ ୟୁକ୍ରେନ୍ ବିରୋଧୀ ଓ ସମର୍ଥକ ଉପସ୍ଥିତ ରହିଛନ୍ତି । ଏପଟେ ଦୁଇ ଦେଶର ସୀମାରେ ସ୍ଥିତି ଉତେଜନାପୂର୍ଣ୍ଣ ରହିଛି ।

Advertisment

ଏହାରି ଭିତରେ ସୀମା ପାର କରି ରୁଷିଆ ସୀମାରେ ପ୍ରବେଶ କରିଥିବା ୫ ୟୁକ୍ରେନ ସେନାଙ୍କୁ ମାରି ଦେଇଥିବା ରୁଷିଆ ଦାବି କରିଛି । ଏହାଛଡ଼ା ଋଷିଆ ସୀମାରେ ପ୍ରବେଶ କରୁଥିବା ୟୁକ୍ରେନର ଦୁଇ ଯୁଦ୍ଧଯାନକୁ ଧ୍ୱଂସ କରିଥିବା ଦାବି କରିଛି । ଏମାନେ ସୀମାରେ ଭଙ୍ଗାରୁଜା କରୁଥିଲେ ବୋଲି ରୁଷିଆ କହିଛି । ଏହି ଘଟଣା ରୋସ୍ତୋଭ ଅଂଚଳର ମିତ୍ୟାକିନସକ୍ୟା ଗାଁରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ୟୁକ୍ରେନ ସୀମାରେ ଏବେ ରୁଷିଆ ଦେଢ ଲକ୍ଷ ସେନା ମୁତୟନ କରିଛି ।ଏହାଛଡ଼ା ବେଲାରୁଷରେ ୩୦ହଜାର ସେନା ମୁତୟନ ହୋଇଛନ୍ତି ।

ତେବେ ଋଷର ଦାବିକୁ ଖାରଜ କରିଛି ୟୁକ୍ରେନ । ଯେଉଁ ଅଂଚଳରେ ଏହି ଘଟଣା ଘଟିଛି, ସେହି ସ୍ଥାନରେ ୟୁକ୍ରେନର ସେନା ମୁତୟନ ହୋଇନଥିଲେ ବୋଲି ୟୁକ୍ରେନ ବିବୃତି ଦେଇଛି । ତେବେ ଋଷ କହିଛି, ୟୁକ୍ରେନ ପ୍ରଥମେ ଆକ୍ରମଣ କରିବାରୁ ତା’ର ଜବାବ ଦିଆଯାଇଛି । ସେପଟେ ଋଷିଆ ଉପରେ କୌଣସି ପ୍ରକାର ଆକ୍ରମଣ କରିନଥିବା ସ୍ପଷ୍ଟ କରିଛି ୟୁକ୍ରେନ ।