ଋଷ-ୟୁକ୍ରେନ୍ ଯୁଦ୍ଧ ଆଶଙ୍କା ଭିତରେ ଜାତିସଂଘରେ ଭାରତର ପକ୍ଷ । କହିଲା ଆଲୋଚନା ମାଧ୍ୟମରେ ସମସ୍ୟାର କରାଯାଉ ସମାଧାନ

183

କନକ ବ୍ୟୁରୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦ ଭିତରେ ୟୁକ୍ରେନ୍ର ଦୁଇଟି ଅଞ୍ଚଳ ଲୁହାନସ୍କ ଓ ଡୋନେସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଛି ରୁଷ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପୁତିନ ସରକାର ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ କରିଥିବା ୟୁରୋପୀୟ ସଂଘ ଅଭିଯୋଗ କରିଛି । ସେପଟେ ଘଟଣାକୁ ନେଇ ଜାତିସଂଘର ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ପକ୍ଷ ରଖି ଭାରତ କହିଛି ଆଲୋଚନା ମାଧ୍ୟମରେ ସବୁକିଛି ସମାଧାନ ହୋଇପାରିବ ।

ୟୁକ୍ରେନ୍ ଉପରେ ଯୁଦ୍ଧ ସଙ୍କଟ ବଢି ବଢି ଚାଲିଛି । କୌଣସି ବି ମୁହୂର୍ତ୍ତରେ ରୁଷ ଆକ୍ରମଣ କରିପାରେ ବୋଲି ଆମେରିକା ଗୁଇନ୍ଦା ସଂସ୍ଥା ତରଫରୁ ସୂଚନା ମିଳିଛି । ପୂର୍ବ ୟୁକ୍ରେନର ଦୁଇଟି ଅଞ୍ଚଳ ଲୁହାନସ୍କ ଓ ଡୋନେସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଛି ରୁଷ । ଏହାପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଏହି ଦୁଇ ଅଞ୍ଚଳକୁ ସେନା ପଠାଇବା ପାଇଁ ଆଦେଶ ଦେଇଛନ୍ତି । ୟୁକ୍ରେନ୍ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଲାଗି ରହିଥିବା ବେଳେ ରୁଷିଆ ସରକାରଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅନ୍ୟପଟେ  ୟୁକ୍ରେନ୍ ସଙ୍କଟ ନେଇ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।  ବୈଠକରେ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛି ଭାରତ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛି ଭାରତ ।  ଏହାସହ ୟୁକ୍ରେନ୍ରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଭାରତ ଦାବି କରିଛି ।

ରୁଷିଆ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ୨ ମାସରୁ ଅଧିକ ସମୟ ହେବ ବିବାଦ ଲାଗି ରହିଛି । ବିବାଦ ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ, କେତେବେଳେ ବି ଯୁଦ୍ଧ ହୋଇପାରେ ବୋଲି କୁହାଯାଉଛି । ସେପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଦୁଇଟି ଦେଶକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ନିଷ୍ପତି ବିବାଦକୁ ଆହୁରି ବଢାଇ ଦେଇଛି । ଋଷର ଏହି ନିଷ୍ପତି ମହଙ୍ଗା ପଡିବ ବୋଲି ଆମେରିକା କହିଛି । ସେପଟେ ପୁତିନ ଅର୍ନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ କରିଥିବା ୟୁରୋପୀୟ ସଂଘ ଅଭିଯୋଗ କରିଛି । ଯଦି ଋଷ ଆକ୍ରମଣ କରେ ତାହାଲେ ତାକୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ଭିତରେ ଭାରତ ନିରପେକ୍ଷ ଭାବେ ନିଜ ପକ୍ଷ ରଖିଛି । ଜାତିସଂଘରେ ଭାରତ ୟୁକ୍ରେନ୍ରେ ଥିବା ନିଜ ନାଗରିକଙ୍କୁ ନେଇ ଚିନ୍ତା ପ୍ରକାଶ କରିଛି ।

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ଟି.ଏସ୍ ତ୍ରିମୂର୍ତୀ କହିଛନ୍ତି ଯେ, ଭାରତ ସବୁବେଳେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଚାହେଁ । ୟୁକ୍ରେନରେ ଏବେ ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ରହିଛନ୍ତି । ଏମାନେ ୟୁକ୍ରେନ୍ର ବିଭିନ୍ନ ଅଞ୍ଚଳ ଓ ସୀମାବର୍ତ୍ତୀ ଅଞ୍ଚଳରେ ରହୁଛନ୍ତି । ତେଣୁ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା  ଜରୁରୀ ବୋଲି ଜାତିସଙ୍ଘ ବୈଠକରେ ଭାରତ କହିଛି । ଅନ୍ୟପଟେ ଯୁଦ୍ଧର ଆଶଙ୍କା ଭିତରେ ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୟୁକ୍ରେନ୍ ରାଜଧାନୀ କିବରୁ ମଙ୍ଗଳବାର ରାତି ୧୦ଟା ୧୫ରେ ଏୟାର ଇଣ୍ଡିଆର ପ୍ରଥମ ବିମାନ ଦିଲ୍ଲୀରେ ଭାରତୀୟଙ୍କୁ ନେଇ ପହଞ୍ଚିବ । ସେହିପରି  ୨୪ ଓ ୨୬ ତାରିଖରେ ଆଉ ଦୁଇଟି ବିମାନ ୟୁକ୍ରେନରୁ ଭାରତୀୟଙ୍କୁ ନେଇ ଦିଲ୍ଲୀ ଆସିବ ବୋଲି ଜଣାପଡିଛି ।