ଋଷ-ୟୁକ୍ରେନ୍ ଯୁଦ୍ଧ: ଭୋଗୁଛି ୟୁରୋପର ସବୁଠୁ ବଡ଼ ଦେଶ ଜର୍ମାନୀ । ପଢ଼ନ୍ତୁ କେମିତି…

356

କନକ ବ୍ୟୁରୋ: ଥମିବାର ନାଁ ନେଉନି ଋଷ-ୟୁକ୍ରେନ୍ ଯୁଦ୍ଧ । ଦୁଇ-ଦେଶ ମଧ୍ୟରେ ଚାଲିଥିବା ଘମାଘୋଟ୍ ଯୁଦ୍ଧର ପ୍ରଭାବ ୟୁରୋପୀୟ ଦେଶ ଗୁଡ଼ିକ ଉପରେ ପଡ଼ିବାରେ ଲାଗିଛି । ଏହାରି ମଧ୍ୟରୁ ୟୁରୋପର ସବୁଠୁ ବଡ଼ ଦେଶ ତଥା ବୃହତ ଅର୍ଥବ୍ୟବସ୍ଥା ବୋଲାଉଥିବା ଜର୍ମାନୀକୁ ଭୋଗିବାକୁ ପଡୁଥିବା ରିପୋର୍ଟ କହୁଛି । କାରଣ ଏହି ଯୁଦ୍ଧରେ ଜର୍ମାନୀର ବିକାଶ ବାଟରେ ବାଧା ସୃଷ୍ଟି କରିବା ସହ ସାଧାରଣ ଜନତାଙ୍କ ମୌଳିକ ସୁବିଧାକୁ ମଧ୍ୟ ପ୍ରଭାବିତ କରିଛି । ପୂର୍ବରୁ ଋଷ-ୟୁକ୍ରେନ ଯୁଦ୍ଧ ଫଳରେ ଅନେକ ଦେଶ ଗୁଡ଼ିକରେ ଗ୍ୟାସ୍ ଦର ଆକାଶ ଛୁଆଁ ରହିଥିବାବେଳେ ଜର୍ମାନୀ ସରକାର ଗ୍ୟାସ ବିତରଣକୁ ନେଇ ଏକ ନୂଆ ନିୟମ କରିଛନ୍ତି । ଯାହା ଏବେ ଜର୍ମାନୀବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଜର୍ମାନୀ ସରକାରଙ୍କ ନୂଆ ନିଷ୍ପତି ଅନୁସାରେ, ଏଣିକି ଘଣ୍ଟାପ୍ରତି ଗ୍ୟାସ୍ ବିତରଣ କରାଯିବ । ଯାହାଫଳରେ ଏଣିକି ବିଦ୍ୟୁତ୍ ବିଲ୍ ଭଳି ଗ୍ୟାସ୍ ବିଲ୍ ମଧ୍ୟ ଉପଭୋକ୍ତାଙ୍କୁ ଦେବାକୁ ପଡ଼ିବ । ଏପରିକି ଏହି ନୂଆ ନିଷ୍ପତି ଏବେ ଜର୍ମାନୀର ପ୍ରତି ପରିବାର ଉପରେ ମାସିକ ୪୦ ହଜାର ବା ୫୦୦ ୟୁରୋ ଅଧିକ ବୋଝ ପକାଇବ । କାରଣ ଜର୍ମାନୀ ସରକାରଙ୍କ ସୂଚନା ମୁତାବକ, ୪ଜଣ ସଦସ୍ୟ ଥିବା ପରିବାର ବାର୍ଷିକ ୨୦ ହଜାର କିଲୋୱାଟ ଗ୍ୟାସ୍ ଇନ୍ଧନ ଖର୍ଚ୍ଚ କରୁଛନ୍ତି । ଯାହା ବର୍ତ୍ତମାନର ଦର ହିସାବରେ ବାର୍ଷିକ ପରିବାର ପିଛା ୩,୫୬୮ ୟୁରୋ ବା ୪ ଲକ୍ଷ ଟଙ୍କା ହେଉଛି । ଜର୍ମାନୀ ସରକାର ଏହା ମଧ୍ୟ କହିଛନ୍ତି କି, ୟୁରୋପୀୟ ଦେଶ ଗୁଡ଼ିକରେ ଏଭଳି ଗ୍ୟାସ୍ ଦର ବୃଦ୍ଧି ସଙ୍କଟ ଜାରି ରହିଛି, ଯାହା ଆଗାମୀ ୨ ବର୍ଷ ଯାଏଁ ମଧ୍ୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

ଏପଟେ ୟୁରୋପୀୟ ଦେଶଗୁଡ଼ିକୁ ୟୁରୋପୀୟ କମିଶନ ଅପିଲ କରିଛନ୍ତି । ଗ୍ୟାସ୍ ଇନ୍ଧନର ଅଭାବ ଯୋଗୁ ବ୍ୟବହାର ଆବଶ୍ୟକ ଅନୁଯାୟୀ କରିବାକୁ ନିବେଦନ କରିଛନ୍ତି । କାରଣ ଗ୍ୟାସ୍ ଇନ୍ଧନ ରପ୍ତାନୀର ରିମୋଟ୍ ଋଷ ହାତରେ ରହିଛି । ସେ କେତେବେଳେ ବି ଏହାକୁ ବନ୍ଦ ମଧ୍ୟ କରିପାରେ ବୋଲି ସତର୍କ କରାଇଛନ୍ତି । ଖାଲି ଉପଭୋକ୍ତା ନୁହେଁ ବରଂ ଜର୍ମାନୀର ଶିଳ୍ପକ୍ଷେତ୍ର ମଧ୍ୟ ଏଭଳି ଅହେତୁକ ଗ୍ୟାସ୍ ଇନ୍ଧନ ଦର ବୃଦ୍ଧିରେ ଜୁଝି ହେଉଛନ୍ତି । ତେବେ ଏନେଇ ଅର୍ଥନୀତି ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି । କହିଛନ୍ତି କି, ଦରଦାମ ଆଉ ଭାଟ୍ , ଟ୍ୟାକ୍ସ ଉପରେ ଯଦି ଜର୍ମାନୀ ସରକାର ନିୟନ୍ତ୍ରଣ ନକରିବେ ତେବେ ଆଗକୁ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିବ ।