କନକ ବ୍ୟୁରୋ: ଋଷର ମିସାଇଲ୍ କ୍ରୁଜ୍ ‘ମୋସ୍କୋଭା’କୁ ଧ୍ୱଂସ କରିବାର ପ୍ରତିଶୋଧ ନେବାକୁ ବେଶ୍ ଆକ୍ରମଣାତ୍ମକ ହୋଇଉଠିଛି ଋଷ । କିଭ୍ ଉପରେ ବୋମା ବର୍ଷା କରୁଛି । ଆଗାମୀ ଦିନରେ କିଭ୍ ଉପରେ ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ଋଷର ରକ୍ଷାମନ୍ତ୍ରଣାଳୟ କହିଛି । ୨ ସପ୍ତାହ ହେବ କିଭରୁ ଋଷ ସୈନ୍ୟ ହଟିଯାଇଥିଲେ । ହେଲେ ଶୁକ୍ରବାର କିଭରେ ଥିବା ୟୁକ୍ରେନର ନେପଚ୍ୟୁନ୍ ମିସାଇଲ ତିଆରି କରୁଥିବା ପ୍ଲାଣ୍ଟ ଉପରେ ଘନଘନ ଆକ୍ରମଣ କରିଛି ଋଷ ।
ପୂର୍ବ ୟୁକ୍ରେନରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ଜାଗାକୁ ନେଇ ଯାଉଥିବା ଏକ ବସ୍ ଉପରେ ମଧ୍ୟ ଋଷ ଆକ୍ରମଣ କରିଛି । ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଛି । ୨ ଡଜନରୁ ଅଧିକ ଲୋକ ଆହତ ହୋଇଛନ୍ତି । ଚର୍ଣ୍ଣବିଲ୍ ରେ ମଧ୍ୟ ଋଷ ସୈନ୍ୟ ଗୁଳିମାଡ କରିଛନ୍ତି । ୟୁକ୍ରେନ ଯବାନଙ୍କ ଉପରେ ମୋର୍ଟାର ମାଡ କରିଛି ।
ଏହାରି ଭିତରେ ଋଷ ଆମେରିକାକୁ ଏକ ଚିଠି ଲେଖିଛି । ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନପଠାଇବାକୁ ଚେତାବନୀ ବି ଦେଇଛି । ଋଷର କହିବା କଥା ଆମେରିକା ଓ ନାଟୋ ପକ୍ଷରୁ ୟୁକ୍ରେନକୁ ଯୋଗାଇ ଦିଆଯାଉଥିବା ଅସ୍ତ୍ରଶସ୍ତ୍ର ନିଆଁରେ ଘିଅ ଜାଳିବା ପରି । ଏହାର ପରିଣତି ଭୟଙ୍କର ହେବ । ଆମେରିକା ୟୁକ୍ରେନକୁ ୮ ଶହ ମିଲିଅନ୍ ଡଲାର ଆର୍ଥିକ ସହାୟତା ସହ ଯୁଦ୍ଧାସ୍ତ୍ର ପଠାଇବାକୁ ଘୋଷଣା କରିଥିଲେ ।
ଅନ୍ୟପଟେ ୟୁକ୍ରେନ ପରେ ସ୍ୱିଡେନ୍ ଓ ଫିନଲ୍ୟାଣ୍ଡ ପ୍ରତି ବିପଦ ଘନାଉଛି । ନାଟୋରେ ସାମିଲ ହେବାକୁ ଏହି ୨ ଦେଶ ପ୍ରସ୍ତୁତି ଚଳାଇଥିବାବେଳେ ଋଷ ପରମାଣୁ ଧମକ ଦେଇଛି ।