ୟୁକ୍ରେନ ସେନାଙ୍କୁ ରୁଷିଆର ଧମକ: ଅସ୍ତ୍ର ପକାଇବାକୁ ଚେତାବନୀ ଦେଲେ ରୁଷ ରକ୍ଷାମନ୍ତ୍ରୀ

264

କନକ ବ୍ୟୁରୋ: ୟୁକ୍ରେନ ଉପରେ ଅନ୍ତିମ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷିଆ । କଳା ସାଗରରେ ରୁଷିଆ ଯୁଦ୍ଧଜାହଜ ମସ୍କୋଭା ଲୀନ ହେବା ପରେ ୟୁକ୍ରେନକୁ ଚେତାବନୀ ଦେଇଛି କ୍ରେମଲିନ୍ । ସମସ୍ତ ୟୁକ୍ରେନୀୟ ସୋଲଜରଙ୍କୁ ଅସ୍ତ୍ର ପକାଇବାକୁ ଧଉଳ ଦେଇଛି ରୁଷ । କିଭ ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କରି ରୁଷ ରକ୍ଷା ମନ୍ତ୍ରୀ କହିଛନ୍ତି ତୁମ ସେନାଙ୍କୁ କୁଅ ଅଜଥା ପ୍ରତିରୋଧ କରିବା ବନ୍ଦ କରୁ ଏବଂ ଅସ୍ତ୍ର ପକାଇ ଆତ୍ମସମର୍ପଣ କରନ୍ତୁ । ନହେଲେ ପରିସ୍ଥିତି ହେବ ଭୟଙ୍କର ।

ରୁଷିଆ ୟୁକ୍ରେନ ସେନାକୁ ତୁରନ୍ତ ଅସ୍ତ୍ର ପକାଇ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଛି । ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏଫପିର ଏକ ରିପୋର୍ଟ ଅନୁସାରେ ରୁଷିଆ ରକ୍ଷାମନ୍ତ୍ରୀ କିଭ ଉଦ୍ଦେଶ୍ୟରେ କିଛି ଏହିପରି ବାର୍ତା ଦେଇଛନ୍ତି । କ୍ରେମଲିନ୍ରେ ବସି କିଭ୍ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତା ଜାରି କରିଛନ୍ତି ରକ୍ଷା ମନ୍ତ୍ରୀ ସରଗଇ ସୋଇଗୁ । ସେ କହିଛନ୍ତି “ରୁଷ ସେନା ମାରିୟୁପୋଲ ଅଧିକାର କରି ସାରିଛନ୍ତି । ତୁମ ସେନାଙ୍କୁ କୁହ ଅଜଥା ପ୍ରତିରୋଧ ନକରି ଅସ୍ତ୍ର ପକାଇବେ । ଆଉ ଯଦି ଅପରାହ୍ଣ ସୁଧା ସେମାନେ ଅସ୍ତ୍ର ପକାଇଦେବେ ତାହାଲେ ସେମାନେ ଜିବିତ ରହିବେ । ନହେଲେ କେହି ବଂଚିବେ ନାହିଁ ।..”

ସୋମବାର ପୂର୍ବ ୟୁକ୍ରେନର ଡୋନବାସ କ୍ଷେତ୍ରରେ ବଡ ଆକ୍ରମଣ କରିଛି ରୁଷ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବା କଥା ରାଜଧାନୀ କିଭକୁ ଦଖଲ କରିବାରେ ପୁଟିନ୍ଙ୍କ ସେନା ବିଫଳ ହେଉଥିବାରୁ ମାରିୟୁପୋଲ ଓ ଡୋନବାସରେ ଲଗାତାର ଆକ୍ରମଣ କରାଯାଉଛି ।

ରୁଷିଆ – ୟୁକ୍ରେନ ଯୁଦ୍ଧକୁ ୫୫ ଦିନ ହୋଇ ସାରିଲାଣି । ଏ ଭିତରେ କୌଣସି ବଡ ସଫଳତା ହାସଲ କରି ପାରିନାହାଁନ୍ତି ରାଷ୍ଟ୍ରପତି ପୁଟିନ୍ । ଆଉ କଳା ସାଗରରେ ରୁଷ ଯୁଦ୍ଧଜାହଜ ମସ୍କୋଭା ବିନାଶ ହେବା ପରେ ଯେପରି ରକ୍ତମୁଖା ହୋଇ ଯାଇଛି କ୍ରେମଲିନ୍ । ଯାହାକୁ ନେଇ ୟୁକ୍ରେନ ଉପରେ ଜବରଦସ୍ତ ଆକ୍ରମଣ କରିବାକୁ ଧମକ ପରେ ଧମକ ଦିଆ ଯାଉଛି । ସେପଟେ ଜପୋରଜିଆ ପ୍ରାନ୍ତରୁ ୧୫୫ଜଣ ନାଗରିକଙ୍କୁ ରୁଷୀୟ ସେନା ଅପହରଣ କରି ନେଇ ଯାଇଥିବା ଜପରୋଜିଆ ମେୟର ଦାବି କରିଛନ୍ତି । ଏମାନଙ୍କ ମଧ୍ୟରୁ ୮୬ ଜଣଙ୍କୁ ମୁକ୍ତ କରିଥିବାବେଳେ ଆହୁରି ୬୯ ଜଣଙ୍କୁ ବନ୍ଦୀ କରି ରଖିଛି ରୁଷ ।

ମସ୍କୋଭା ବିନାଶର ପ୍ରତିଶୋଧ ନେବା ପାଇଁ ନିଜ ସୀମାରେ ପରମାଣୁ ଅସ୍ତ୍ର ମୁତୟନ କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ରୁଷ – ୟୁକ୍ରେନ ସୀମାରେ ଟିୟୁ-୧୬୦ ଜେଟ୍ ଦେଖିବାକୁ ମିଳିଛି । ଏହି ଜେଟ୍ର ବ୍ୟବହାର କେବଳ ପରମାଣୁ ଅସ୍ତ୍ର ପ୍ରୟୋଗ ପାଇଁ କରାଯାଇଥାଏ ।

ଯୁଦ୍ଧରେ ରୁଷିଆ ନିଜର ହଜାର ହଜାର ସୈନିକ ହରାଇଥିବା ୟୁକ୍ରେନ ଦାବି କରିଛି । ଆଉ ଏହାକୁ ନେଇ ୧୬ ବର୍ଷର ଛୁଆଁଙ୍କୁ ନିଜ ସେନାରେ ଭର୍ତି କରୁଥିବା କ୍ରେମଲିନ ବିରୋଧରେ ଅଭିଯୋଗ ହୋଇଛି । ଏଭଲି ସ୍ଥିତିରେ ଯୁଦ୍ଧ ଆଗକୁ କେଉଁ ମୋଡ ନେବ ତାହାର କଳ୍ପନା କରିବା ବି ସମ୍ଭବ ପର ହେଉନାହିଁ ।