କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ ଏଯାବତ କୌଣସି ଦେଶ ସମର୍ଥନରେ ବାହାରି ନାହିଁ । ଆଲୋଚନା ମାଧ୍ୟମରେ ଶାନ୍ତି ଫେରାଇବା ଉପରେ ଭାରତ ଜୋର ଦେଉଛି । ଆଉ ଏସବୁ ଭିତରେ ଋଷର ବୈଦଶିକ ମନ୍ତ୍ରୀ ଏବେ ଭାରତ ଗସ୍ତରେ ଆସିଛନ୍ତି । ଋଷର ବୈଦଶିକ ମନ୍ତ୍ରୀ ଭାରତର ବିଦେଶ ନୀତିକୁ ବାରମ୍ବାର ପ୍ରଂଶସା କରିବା ସହ କହିଛନ୍ତି, ଋଷ ଠାରୁ ନୂଆଦିଲ୍ଲୀ ଯଦି କିଛି କିଣିବାକୁ ଚାହୁଁଛି ତେବେ ଏହାକୁ ଯୋଗାଇ ଦେବାକୁ ଆମେ ପ୍ରସ୍ତୁତ ।
ୟୁକ୍ରେନ୍ ସହ ଯୁଦ୍ଧକୁ ନେଇ ଲାବରୋବ କହିଛନ୍ତି, ଯାହାକୁ ବିଶ୍ୱ ଯୁଦ୍ଧ କହୁଛି ତାହା ସତ ନୁହେଁ । ଏହା ଏକ ବିଶେଷ ଅପରେସନ । ଯେଉଁଥିରେ ସୈନ୍ୟ ଶିବିର ଉପରେ ଆକ୍ରମଣ କରାଯାଉଛି । ଆମର ଉଦ୍ଦେଶ୍ୟ ହେଉଛି, ଋଷ ପାଇଁ ଆସୁଥିବା କୌଣସି ବିପଦକୁ ପ୍ରତିହତ କରିବା ।
ଋଷର ବୈଦଶିକ ମନ୍ତ୍ରୀ ସଗ୍ରେଇ ଲାବରୋବ ବୁଧବାର ଠାରୁ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି । ଚୀନ ଗସ୍ତ ଶେଷ କରି ଭାରତ ଆସିଛନ୍ତି ଋଷର ବୈଦଶିକ ମନ୍ତ୍ରୀ । ୟୁକ୍ରେନ ଉପରେ ଆକ୍ରମଣ ଭିତରେ ଏହା ହେଉଛି ଋଷ ବୈଦଶିକ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ । ଭାରତର ବୈଦଶିକ ମନ୍ତ୍ରୀ ଓ ଋଷର ବୈଦଶିକ ମନ୍ତ୍ରୀଙ୍କ ମଧ୍ୟରେ ଏଭଳି ସମୟରେ ବୈଠକ ହୋଇଛି, ଯେତେବେଳେ ଋଷର ପ୍ରତିବନ୍ଧକରେ ବାଧକ ସାଜୁଥିବା ଦେଶକୁ ଆମେରିକା ପରୋକ୍ଷରେ ଧମକ ଦେଇଛି । ତେବେ ଉଭୟ ଋଷ ଓ ଭାରତ ମଧ୍ୟରେ ଆଲୋଚନା ଶେଷ ପରେ ଭାରତ ଋଷ ଠାରୁ କମ ଦରରେ ତେଲ କିଣିପାରେ ବୋଲି ଚର୍ଚ୍ଚା ହେଉଛି ।