କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଭୀଷଣ ରୂପ ନେଇଛି । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକେନର ଅଧିକାଂଶ ସହର ଏବେ ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ବେଳେ ଚାରିଆଡେ କେବଳ ଦିଶୁଛି ନିଆଁ । କେତେବେଳେ ମିଜାଇଲ ମାଡ ତ ପୁଣି କେତେବେଳେ ଟ୍ୟାଙ୍କରେ ଆକ୍ରମଣ । ଘମାଘୋଟ ଲଢେଇ ଭିତରେ ଋଷର ତାଣ୍ଡବଲୀଳା ଦେଖୁଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର । ଆଉ ଏସବୁ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ବୁଧବାର ଏକ ବଡ ବୟାନ ଦେଇଛନ୍ତି । ଗଣମାଧ୍ୟମର ଏକ ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି ଋଷ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିସାରିଛି । ଆଉ ଏହି ଯୁଦ୍ଧ ମାଧ୍ୟମରେ ମାନବ ସଭ୍ୟତାକୁ ବିପଦ ମୁହଁକୁ ଠେଲୁଛି ଋଷ । ତେବେ ଯେଉଁ ଯୁଦ୍ଧ ଆରମ୍ଭ ହୋଇଛି ତାହାର ଆହୁରି ସାଂଘାତିକ ପରିଣାମ ଆସିବା ବାକି ଅଛି । ଆଉ ଏଭଳି କରି ଋଷ ତୃତୀୟ ବିଶ୍ୱଯୁଦ୍ଧ ଭଳି ସ୍ଥିତି ଛିଡା କରିଛି ।
ଋଷ ପ୍ରଚଣ୍ଡ ଆକ୍ରମଣ କରୁଥିଲେ ମଧ୍ୟ ୟୁକ୍ରେନବାସୀ ମୁଣ୍ଡ ନୁଆଁଇ ନାହାନ୍ତି ବରଂ ସାହସର ସହ ଲଢିଛନ୍ତି ଏବଂ ନିଜ ଦେଶର ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି । ଋଷ ନିଜର ସାମରିକ ଶକ୍ତି ବଳରେ ୟୁକ୍ରେନର ବିଭିନ୍ନ ସହରକୁ ନିଜ ଅକ୍ତିଆରକୁ ନେଉଛି ସତ କିନ୍ତୁ ଏହାସତ୍ତେ୍ୱ ମଧ୍ୟ ୟୁକ୍ରେନବାସୀଙ୍କ ମନୋବଳ ଭାଙ୍ଗିବାରେ ସକ୍ଷମ ହୋଇନାହିଁ ଋଷ । କାରଣ ୟୁକ୍ରେନର ପ୍ରତିଟି ନାଗରିକ ହେଉଛନ୍ତି ଅପରାଜେୟ । ଯେଉଁମାନେ ଶତ୍ରୁ ସହ ଶେଷ ପର୍ଯ୍ୟନ୍ତ ଲଢିବେ କିନ୍ତୁ ମୁଣ୍ଡ ନୁଆଁଇବେ ନାହିଁ । ଋଷ ଏବେ ସବୁ ସୀମା ଅତିକ୍ରମ କରି ସାରିଲାଣି । ୩ ସପ୍ତାହ ଧରି ଯୁଦ୍ଧ ଲାଗି ରହିଥିଲେ ମଧ୍ୟ ଯୁଦ୍ଧବିରାମକୁ ନେଇ କୌଣସି ସଂକେତ ମିଳୁନାହିଁ । ବରଂ ସ୍ଥିତି ଆହୁରି ସଙ୍ଗୀନ ହୋଇ ଚାଲିଛି ।
ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବରୁ ହିଁ ସ୍ପଷ୍ଟ କରି ସାରିଛନ୍ତି ଯେ, ୟୁକ୍ରେନକୁ ନେଇ ଯେଉଁ ଲକ୍ଷ୍ୟ ରହିଛି ତାହା ହାସଲ କରିବା ପରେ ହିଁ ଆମେ ଅଟକିବୁ । ଆଉ ଏହି ବୟାନ ହିଁ ଦର୍ଶାଉଛି ଯେ, ଏବେ ବି ଯୁଦ୍ଧ ବନ୍ଦ କରିବା ସପକ୍ଷରେ ନାହିଁ ଋଷ । ଏସବୁ ଭିତରେ ଯୁଦ୍ଧର ୨୧ ଦିନରେ ୟୁରୋପିଆନ୍ ୟୁନିଅନର ତିନି ପ୍ରଧାନମନ୍ତ୍ରୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଛନ୍ତି । ପୋଲାଣ୍ଡ, ସ୍ଲୋଭେନିଆ ଏବଂ ଚେକ୍ ରିପବ୍ଲିକର ପ୍ରଧାନମନ୍ତ୍ରୀ ଟ୍ରେନ ଯୋଗେ ଆସି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଏପରି ସ୍ଥିତିରେ ସେମାନେ ୟକ୍ରେନ ସହ ରହିଛନ୍ତି । ଏହି ବୈଠକର ମୂଳ ଉଦ୍ଦେଶ୍ୟ ୟୁରୋପ ୟୁକ୍ରେନ ସହ ରହିଛି ବୋଲି ଚେକ୍ ରିପବ୍ଲିକର ପ୍ରଧାନମନ୍ତ୍ରୀ ପିଟର ଫିଆଲା କହିଛନ୍ତି । ଜବାବରେ ଜେଲେନସ୍କି କହିଛନ୍ତି ବିପଦ ବେଳେ ଆମ ସାଙ୍ଗରେ ଥିବାରୁ ଧନ୍ୟବାଦ । ହେଲେ ତାଙ୍କ ଦେଶ ନାଟୋରେ ସାମିଲ ହେବନି ବୋଲି କହିଛନ୍ତି ।