ପଶୁଙ୍କ ପାଇଁ ରୁଷ ଆଣିଲା କରୋନା ଟିକା । ପରୀକ୍ଷଣରେ ସଫଳତା ପରେ ଚଳିତ ମାସରେ ଆରମ୍ଭ ହେବ ଟିକା ପ୍ରସ୍ତୁତି 

80
କନକ ବ୍ୟୁରୋ : ପଶୁଙ୍କ ପାଇଁ ପ୍ରଥମ କୋଭିଡ ଟିକା ଆଣିଲା ରୁଷିଆ । ଏଣିକି କରୋନା ମହାମାରୀରୁ ପଶୁଙ୍କୁ ମଧ୍ୟ ବଞ୍ଚାଇ ହେବ । ପଶୁଙ୍କ ପାଇଁ କାର୍ଣ୍ଣିଭାକ୍-କୋଭ ନାମକ କରୋନା ଟିକା ବିକଶିତ କରିଥିବା ରୁଷ ଦାବି କରିଛି ।
ସୂଚନା ଅନୁସାରେ ଗତ ଅକ୍ଟୋବର ମାସରେ ବିଭିନ୍ନ ପଶୁଙ୍କ ଠାରେ ରୁଷିଆ ଚଳାଇଥିବା ନୈଦାନିକ ପରୀକ୍ଷଣରେ କୁକୁର, ବିରାଡି, କୋକିଶିଆଳି, ମିଙ୍କ ଭଳି ପ୍ରାଣୀଙ୍କ ଠାରେ କରୋନା ବିରୋଧୀ ଆଣ୍ଟିବଡି ବିକଶିତ ହୋଇଥିବା ସ୍ପଷ୍ଟ ହୋଇଛି । ଫଳରେ ଟିକାକରଣ ଦ୍ୱାରା ବିଭିନ୍ନ ପଶୁଙ୍କୁ କରୋନା ଭୁତାଣୁ ଦାଉରୁ ମୁକ୍ତ ରଖାଯାଇ ପାରିବ । ଏଥିସହ ପଶୁ ଠାରୁ ମଣିଷ ଦେହକୁ ଭୁତାଣୁର ରୁପାନ୍ତରୀକରଣକୁ ମଧ୍ୟ ରୋକିହେବ ବୋଲି ରୁଷୀୟ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି । ଏହି ଟିକାର ଗଣପ୍ରସ୍ତୁତି ଚଳିତ ମାସରେ ଆରମ୍ଭ ହେବ ବୋଲି ଘୋଷଣା କରିଛି ରୁଷ ।
କରୋନା ଭୂତାଣୁର ଉତ୍ପତ ସଂକ୍ରାନ୍ତକୁ ନେଇ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ପଶୁଙ୍କ ଦେହରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରାଯାଇଛି । ଏଥିରେ କୁହାଯାଇଛି ପ୍ରଥମେ ବାଦୁଡି ଦେହରୁ ଅନ୍ୟ ପଶୁଙ୍କ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ମଣିଷ ଦେହକୁ ଆସିଛି । ସିଧା ସଳଖ କରୋନା ଭୁତାଣୁ ବାଦୁଡି ଦେହରୁ ନଆସି ଖାଦ୍ୟ ଶୃଙ୍ଖଳା ଜରିଆରେ ଅନ୍ୟ ପଶୁଙ୍କ ସଂକ୍ରମଣ ପରେ ମଣିଷକୁ ଆକ୍ରାନ୍ତ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ରିପୋର୍ଟ ପରେ ପଶୁଙ୍କୁ କରୋନା ମୁକ୍ତ ରଖିବା ନେଇ ଚିନ୍ତା ପ୍ରକାଶ ପାଇଥିଲା । ଏପରି ସ୍ଥିତିରେ ରୁଷ ପଶୁଙ୍କ ପାଇଁ କରୋନା ଟିକା ବିକଶିତ କରିବା ବିଶ୍ୱବାସୀଙ୍କ ଭଲ ଖବର ।