କନକ ବ୍ୟୁରୋ: ଆଫଗାନିସ୍ତାନରେ ସତ୍ତା ପରିବର୍ତ୍ତନ ପରେ ଏଠିକାର ସ୍ଥିତିକୁ ନେଇ ଅନେକ ରାଷ୍ଟ୍ର ଚିନ୍ତା ବ୍ୟକ୍ତ କରିଥିବାବେଳେ ଋଷ କିନ୍ତୁ ଭିନ୍ନ ମନୋଭାବ ପୋଷଣ କରୁଛି । ବର୍ଷା ଯେଉଁଆଡେ ଛତା ସିଆଡେ ନୀତିରେ ନିଜ ସ୍ୱାର୍ଥ ଦୃଷ୍ଟିରୁ ତାଲିବାନକୁ ସମର୍ଥନ ବାଟରେ ଆଗେଇ ଚାଲିଛି ଋଷ । ପୂର୍ବରୁ ତାଲିବାନୀଙ୍କୁ ସମର୍ଥନ ଦେବାକୁ ଚର୍ଚ୍ଚା ହେଉଥିବାବେଳେ ଏବେ ତାଲିବାନୀ ନେତାଙ୍କୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମସ୍କୋ ଯିବାକୁ ନିମନ୍ତ୍ରଣ କରିଥିବା ସୂଚନା ଦେଇଛନ୍ତି ଆଫଗାନିସ୍ତାନରେ ଥିବା ଋଷର ସ୍ୱତନ୍ତ୍ର ଦୂତ ଜାମିର କାବୁଲାବ୍ ।
ଆଫଗାନିସ୍ତାନକୁ ତାଲିବାନି କବଜା କରି ସରକାର ଗଢିବା ପରେ ଅନେକ ରାଷ୍ଟ୍ର ଏଠାରୁ ନିଜ ନିଜ ରାଷ୍ଟ୍ରଦୂତଙ୍କୁ ନିଜ ନିଜ ଦେଶକୁ ଫେରାଇ ନେବା ସହ ନିଜ ନାଗରିକଙ୍କୁ ମଧ୍ୟ ଫେରାଇ ନେଇଛନ୍ତି । ହେଲେ ଋଷର ରାଷ୍ଟ୍ରଦୂତ ଏବେବି ଆଫଗାନିସ୍ତାନରେ ରହିଛନ୍ତି । ସୂଚନା ମୁତାବକ, ଅକ୍ଟୋବର ୨୦ ତାରିଖରେ ମସ୍କୋଠାରେ ଆୟୋଜିତ ହେବାକୁ ଯାଉଛି ଏକ ଅନ୍ତରାଷ୍ଟ୍ରିୟ ସମ୍ମିଳନୀ, ଯେଉଁଥିରେ ଆଫଗାନିସ୍ତାନର ସ୍ଥିତି ଉପରେ ଆଲୋଚନା ହେବ । ଏହା ପୂର୍ବରୁ ମାର୍ଚ୍ଚରେ ମଧ୍ୟ ଏପରି ବୈଠକ କରିଥିଲା ଋଷ । ଏଥିରେ ଋଷ ସମେତ, ଆମେରିକା, ଚୀନ ଓ ପାକିସ୍ତାନ ଯୋଗ ଦେଇ ସେଠାରେ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ କରିବାକୁ ବାର୍ତ୍ତା ଦେଇଥିଲେ ।
ଏହି କ୍ରମରେ ଆଫଗାନିସ୍ତାନକୁ ଋଷ ସହଯୋଗର ହାତ ବଢାଇବ ବୋଲି ଗଣମାଧ୍ୟମ ପ୍ରତିନିଧି ପଚରାଯିବାରୁ ଋଷ ରାଷ୍ଟ୍ରଦୂତ ଜାମିର କାବୁଲାବ କହିଥିଲେ ଯେ ଯଦିଓ ଏଭଳି ପ୍ରସ୍ତାବ ରହିଛି କିନ୍ତୁ ଏଯାଏଁ କିଛି ସ୍ପଷ୍ଟ କୁହାଯାଇପାରିବ ନାହିଁ । ପୂର୍ବରୁ ତାଲିବାନକୁ ଋଷ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିଥିବାବେଳେ ଏବେ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ବର୍ତ୍ତମାନ ଯାହା ସ୍ଥିତି ରହିଛି ତରବରିଆ ଭାବେ କିଛି ବି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ଜାମିର କହିଛନ୍ତି ।
ଅନ୍ୟପଟେ ଋଷର ରାଜନୈତିକ ବିଶେଷଜ୍ଞଙ୍କ ମତକୁ ନେଇ ମଧ୍ୟ ଆଲୋଚନା ହେଉଛି । ଆଫଗାନିସ୍ତାନରୁ ଆମେରିକା ସେନା ହଟିଯିବା ପରେ ସେଠାରେ ଋଷ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିବା କୁହାଯାଉଛି । ଯାହା ଆମେରିକା ପାଇଁ ଭଲ ତାହା ଋଷ ପାଇଁ ଖରାପ । ଆଉ ଯାହା ଆମେରିକା ପାଇଁ ଖରାପ ତାହା ଋଷ ପାଇଁ ଭଲ । ତେଣୁ ଆଫଗାନିସ୍ତାରନ ବର୍ତ୍ତମାନ ସ୍ଥିତି ଆମେରିକା ପାଇଁ ଭଲ ନୁହେଁ କିନ୍ତୁ ଏହା ଋଷର ହିତରେ ଥିବା ସ୍ୱାଭାବିକ ବୋଲି ମତ ଦେଇଛନ୍ତି ଋଷ ରାଜନୈତିକ ବିଶେଷଜ୍ଞ ଆର୍କାଦି ଦୁବନୋବ ।