କନକ ବ୍ୟୁରୋ : ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଏବେ ଋଷ ଆକ୍ରମଣକୁ ଆହୁରି ଜୋରଦାର କରିଛି । ଅନେକ କଟକଣା ଲାଗିବା ପରେ ମଧ୍ୟ ଋଷ ଯୁଦ୍ଧ ଓହରିବା ପରିବର୍ତ୍ତେ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ଏହାସତ୍ତେ୍ୱ ମଧ୍ୟ ୟୁକ୍ରେନର ରାଜଧାନୀ କିବକୁ ଏଯାବତ କବଜା କରିପାରିନାହିଁ ଋଷ । ତେବେ ଏହି ଯୁଦ୍ଧକୁ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବାକୁ ଋଷ ଏବେ ନିଜର ଘାତକ ଅସ୍ତ୍ର ପ୍ରୟୋଗ କରିବା ଆରମ୍ଭ କରିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଋଷ ଏହି ଯୁଦ୍ଧରେ ପ୍ରଥମଥର ପାଇଁ ହାଇପରସୋନିକ ମିସାଇଲର ବ୍ୟବହାର କରିଛି । ଆଉ ଏହି ଘାତକ ହାଇପରସୋନିକ ମିସାଇଲର ନାଁ ହେଉଛି କିଞ୍ଜଲ ମିସାଇଲ । ମସ୍କୋର ଦାବି ଅନୁଯାୟୀ, କିଞ୍ଜଲ ମିସାଇଲ ବିଶ୍ୱରେ ଅପରାଜେୟ । କାରଣ ଏହା ଥରେ ଲଞ୍ଚ ହେବା ମାତ୍ରେ ବିଶ୍ୱର ଯେ କୌଣସି ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିବାରେ ସକ୍ଷମ ।
ରିପୋର୍ଟ ମୁତାବିକ, ଶୁକ୍ରବାର ୟୁକ୍ରେନର ଭାନୋ ଫ୍ରାନକିଭିସ୍କ ଅଞ୍ଚଳରେ ଥିବା ଅଣ୍ଡରଗ୍ରାଉଣ୍ଡ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ କିଞ୍ଜଲ ମିସାଇଲ ଜରିଆରେ ଆକ୍ରମଣ କରିଛି ଋଷ । ଏହି ଅଣ୍ଡରଗ୍ରାଉଣ୍ଡ ଅସ୍ତ୍ରଶସ୍ତ୍ର ଗୋଦାମରେ ଅନେକ ଘାତକ ଯୁଦ୍ଧାସ୍ତ୍ର ଥିବା ବେଳେ ଏହାକୁ କିଞ୍ଜଲ ମିସାଇଲ ମାଡରେ ନଷ୍ଟ କରାଯାଇଛି । ୟୁକ୍ରେନ ବିରୋଧରେ ଋଷ ପ୍ରଥମଥର ପାଇଁ ଏହାର ବ୍ୟବହାର କରିଥିଲେ ମଧ୍ୟ ଏହାପୂର୍ବରୁ ସିରିଆରେ ଆଇଏସଆଇଏସ ଆତଙ୍କବାଦୀ ଉପରେ ମଧ୍ୟ ବ୍ୟବହାର କରି ଏହାର ଟ୍ରାଏଲ ଶେଷ କରିଥିଲା ଋଷ । କିଞ୍ଜଲ ମିସାଇଲ ଏତେ ଘାତକ ଯେ, ଏହା ଶବ୍ଦର ବେଗ ଠାରୁ ମଧ୍ୟ ୧୦ ଗୁଣା ଅଧିକ ଗତିରେ ଟାର୍ଗେଟକୁ ନଷ୍ଟ କରିଥାଏ । ଆଉ ସବୁଠୁ ବଡ କଥା ହେଲା, କୌଣସି ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଏହାକୁ ନଷ୍ଟ କରିବା ସହଜ ନୁହେଁ ।
କିଞ୍ଜଲ ମିସାଇଲ ପରମାଣୁ ଶକ୍ତି ସମ୍ପନ୍ନ ମିସାଇଲ । ଅଥାର୍ତ ଏହି ମିସାଇଲ ଜରିଆରେ ମଧ୍ୟ ପରମାଣୁ ଆକ୍ରମଣ କରିହେବ । ଏହା ୧୨୫୦ ମିଲ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଆଉ ଏହି ଘାତକ ମିସାଇଲ ବଳରେ ହିଁ ଋଷ ବଳୀୟାନ ସାଜିଛି । ତେବେ ଯୁଦ୍ଧକୁ ୨୪ ଦିନ ବିତି ଯାଇଥିଲେ ମଧ୍ୟ ଏଯାବତ୍ ଏହା ବନ୍ଦ ହେବାର ସଂକେତ ମିଳୁନାହିଁ । ଏହାପୂର୍ବରୁ ଖାରକିଭରେ ଋଷ ଭ୍ୟାକୁମ ବୋମା ପକାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଭ୍ୟାକୁମ ବୋମା ମଧ୍ୟ ବେଶ ଘାତକ । ଏହି ବୋମା ଯେଉଁ ଅଞ୍ଚଳରେ ପଡେ ସେଠାରେ ଅକ୍ସିଜେନର ମାତ୍ରା କମିଯିବା ସହ ଲୋକେ ନିଶ୍ୱାସ ଅଭାବରୁ ମୃତ୍ୟୁମୁଖରେ ପଡିଥାନ୍ତି । ଯାହା ବେଶ କଷ୍ଟଦାୟକ ।
Follow Us