ନାଗରିକଙ୍କୁ ଉଦ୍ଧାର ପାଇଁ ଅସ୍ତ୍ରବିରତି ଘୋଷଣା । ୟୁକ୍ରେନର ୪ ସହରରେ ଆକ୍ରମଣ ବନ୍ଦ କରିଛି ରୁଷ ।

123

କନକ ବ୍ୟୁରୋ : ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଏବେ ବି ବହୁ ସଂଖ୍ୟାରେ ଭାରତୀୟ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ଜାରି ରହିଥିବାରୁ ଓ ରୁଷ୍ ପକ୍ଷରୁ ଆକ୍ରମଣ ଜୋର ହେଉଥିବାରୁ ପ୍ରତି ମୁହୁର୍ତ୍ତରେ ଜୀବନ ପ୍ରତି ବିପଦ ରହିଛି । ଏନେଇ ଚାପ ପଡିବା ପରେ ଆଜି କିଛି ସମୟ ପାଇଁ ୟୁକ୍ରେନର ଚାରି ସହରରେ ଅସ୍ତ୍ରବିରତି ଘୋଷଣା କରିଥିଲା କ୍ରେମଲିନ୍ । ଏହି ସମୟରେ କିଛି ପିଲାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ନାଗରିକଙ୍କୁ ଉଦ୍ଧାର ପାଇଁ ଅସ୍ତ୍ରବିରତି ଘୋଷଣା । ୟୁକ୍ରେନର ୪ ସହରରେ ଆକ୍ରମଣ ବନ୍ଦ କରିଛି ରୁଷ । ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିଥିବା ନାଗରିକଙ୍କ ଉଦ୍ଧାର ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ରୁଷ । ୟୁକ୍ରେନର ରାଜଧାନୀ କିଭ୍, ଖାରକିଭ୍, ମାରିୟୋପଲ ଓ ସୁମି ସହରରେ ଅସ୍ତ୍ରବିରତି ଘୋଷଣା ହୋଇଛି । ଭାରତୀୟ ସମୟ ଦିନ ସାଢେ ୧୨ଟାରୁ ଆରମ୍ଭ ହୋଇଥିବା ଅସ୍ତ୍ରବିରତି ୧୧ ଘଣ୍ଟା ଯାଏଁ ବଳବତର ରହିବ । ଏହି ସମୟରେ ଦୁଇ ଦେଶର ସେନା ଯୁଦ୍ଧ ବନ୍ଦ କରିଥିବାରୁ, ବିଦେଶୀ ନାଗରିକଙ୍କୁ ସ୍ୱତନ୍ତ୍ର କରିଡର ଜରିଆରେ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ଅଣାଯିବ ।

ସୁମିରେ ପ୍ରାୟ ୭ ଶହ ଭାରତୀୟ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରୁଷକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ଅସ୍ତ୍ରବିରତି ଘୋଷଣା ହୋଇଥିବାରୁ ସୁମିରେ ଫଶିରହିଥିବା ଭାରତୀୟମାନେ ସେଠାରୁ ଉଦ୍ଧାର ହୋଇପାରିବା ଆଶା ସୃଷ୍ଟି ହୋଇଛି ।

ଅପରେସନ ଗଙ୍ଗା ଅଭିଯାନରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । ସୁମି ସହରରେ ଫସିଥିବା ଭାରତୀୟ ନାଗରିକଙ୍କୁ ମଧ୍ୟ ଉଦ୍ଧାର ଉଦ୍ୟମ ଆରମ୍ଭ ହୋଇଛି । ଆଜି ୮ଟି ବିମାନରେ ପ୍ରାୟ ୧୫ ଶହ ଛାତ୍ରଛାତ୍ରୀ ସ୍ୱଦେଶ ଫେରୁଛନ୍ତି ।

ଭାରତ ସରକାରଙ୍କ ‘ଅପରେସନ ଗଙ୍ଗା’ ଅଭିଯାନ
-ଫେବ୍ରୁଆରୀ ୨୨ ତାରିଖରୁ ଆରମ୍ଭ ହୋଇଛି ଅପରେସନ୍ ଗଙ୍ଗା
– ୟୁକ୍ରେନରୁ ଫେରିଲେଣି ୧୫ ହଜାର ୯୦୦ ଛାତ୍ରଛାତ୍ରୀ
– ସ୍ଲୋଭାକିଆ, ରୋମାନିଆ, ହଙ୍ଗେରି, ମୋଲଡୋଭା ଓ ପୋଲାଣ୍ଡ ଦେଇ ଅଣାଯାଉଛି
– ଅପରେସନ ଗଙ୍ଗାରେ ସାମିଲ ହୋଇଛନ୍ତି ୧୨ଟି ବେସାମରିକ ଓ ୩ଟି ବାୟୁସେନା ବିମାନ
– ହେଲେ ଏବେ ବି ସୁମିରେ ଫସିରହିଛନ୍ତି ପ୍ରାୟ ୭୦୦ ଛାତ୍ରଛାତ୍ରୀ

ରବିବାର ଅପରେସନ ଗଙ୍ଗା ଅଭିଯାନରେ ୟୁକ୍ରେନରେ ଫସି ରହିଥିବା ୨ ହଜାର ୧୩୫ ଭାରତୀୟ ସୁରକ୍ଷିତ ଫେରି ଆସିଛନ୍ତି ।