ଚର୍ଚ୍ଚାରେ ଋଷର କରୋନା ଟୀକା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା, ୨ ସପ୍ତାହରେ ଆରମ୍ଭ ହେବ ବ୍ୟାପକ ପ୍ରସ୍ତୁତି । ଟୀକାକରଣରେ ନିଜ ଇଚ୍ଛାରେ ସାମିଲ ହୋଇପାରିବେ ଲୋକେ, ସେପଟେ ତୃତୀୟ ପ ର୍ଯ୍ୟାୟ ମାନବ ପରୀକ୍ଷଣ ହୋଇନଥିବାରୁ ବଢିଲା ସନ୍ଦେହ

259

କନକ ବ୍ୟୁରୋ: ଋଷ ରାଷ୍ଟ୍ରପତି ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତି ହୋଇଥିବା ନେଇ ଘୋଷଣା କରିବା ପରେ ବୁଧବାର ଏହାର ପ୍ରଥମ ବ୍ୟାଚ ପ୍ରସ୍ତୁତିର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଋଷ ସ୍ୱାସ୍ଥ୍ୟ ମନ୍ତ୍ରୀ ମିଖାଏଲ ମୁରାସ୍କୋ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଭ୍ୟାକ୍ସିନ୍ର ପ୍ରଥମ ବ୍ୟାଚର ଉତ୍ପାଦନ ହେବ । କୌଣସି ବ୍ୟକ୍ତି ନିଜ ଇଚ୍ଛାରେ ଏହି ଟିକାକରଣରେ ସାମିଲ ହୋଇପାରିବେ । ଦେଶର ପ୍ରାୟ ୨୦ ପ୍ରତିଶତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦେହରେ କରୋନା ପ୍ରତିଷେଧକ ସୃଷ୍ଟି ହେଲାଣି ଏବଂ ସେମାନେ ଟିକା ନେବେ ନା ନାହିଁ ତାହାର ନିଷ୍ପତି ସେମାନେ କରିବେ ।

ଋଷର ଗାମେଲ୍ୟା ଗବେଷଣା ପ୍ରତିଷ୍ଠାନ ଓ ରୁଷିୟ ପ୍ରତିରକ୍ଷା ମନ୍ତ୍ରାଳୟର ମିଳିତ ଉଦ୍ୟମରେ ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତ ହୋଇଛି ଏବଂ ଏହାର ନା ରଖାଯାଇଛି ସ୍ପୁଟନିକ୍-ଭି । ଏହି ଟିକାକୁ ରପ୍ତାନୀ କରିବା ଅପେକ୍ଷା ନିଜ ଦେଶର ଲୋକଙ୍କ ପାଇଁ ବ୍ୟବହାର କରିବା ପାଇଁ ପ୍ରାଥମିକତା ଦେବ ବୋଲି ଋଷ ସରକାର ଘୋଷଣା କରିଛନ୍ତି ।

‘ସ୍ପୁଟ୍ନିକ୍-ଭି’କୁ ନେଇ ଜାରି ରହିଛି ଦ୍ୱନ୍ଦ୍ୱ
ଟିକାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ
ଟିକା ପ୍ରସ୍ତୁତ କରୁଥିବା ଗାମେଲ୍ୟା ପ୍ରତିଷ୍ଠାନ ପ୍ରସ୍ତୁତି ପ୍ରକ୍ରିୟାକୁ ନେଇ ବହୁ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି । ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନକରି ଏଭଳି ଘୋଷଣା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଏହି ପର୍ଯ୍ୟାୟରେ ଦଶ ହଜାର ସ୍ୱେଚ୍ଛାସେବୀଙ୍କ ଦେହରେ ନିୟନ୍ତ୍ରଣ ଭିତରରେ ପରୀକ୍ଷଣ କରିବାର ନିୟମ ରହିଛି ।

ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଋଷକୁ ଟିକା ପରୀକ୍ଷଣ ପ୍ରକ୍ରିୟାରେ ଟିକାର ସୁରକ୍ଷା ଓ ପ୍ରଭାବଶାଳୀ ଗୁଣରେ ସାଲିସ ନକରିବାକୁ ଚେତାବନୀ ଦେଇଥିଲା । କିନ୍ତୁ ପୁଟିନ୍ ଯଥେଷ୍ଟ ପରୀକ୍ଷଣ କରିବାକୁ ଗୁରୁତ୍ୱ ନଦେଇ ନିଜ ଜିଦ୍ରେ ଅଟଳ ରହିଲେ ବୋଲି ନ୍ୟୁୟର୍କ ଟାଇମ୍ସ ଉଲ୍ଲେଖ କରିଛି ।

ଅନ୍ୟପଟେ ବିଶ୍ୱର ୨୦ରୁ ଅଧିକ ଦେଶରୁ କୋଟି କୋଟି ସଂଖ୍ୟାରେ ଟିକା ପାଇଁ ଯୋଗାଇବାକୁ ଅନୁରୋଧ ଆସିଥିବା ଗାମେଲ୍ୟା ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ବ୍ରାଜିଲ, ଭାରତ, ଦକ୍ଷିଣ କୋରିଆ, ସାଉଦି ଆରବ ଓ କ୍ୟୁବା ପରି ଦେଶ ନିଜ ଦେଶରେ ଏହାର ପ୍ରସ୍ତୁତି କରିବା ପାଇଁ ପ୍ରସ୍ତାବ ଦେଇଥିବା ଦାବି କରିଛି ଏହି କମ୍ପାନୀ । ସେପଟେ ୧ କୋଟି ଡୋଜ୍ ଟିକା ପ୍ରସ୍ତୁତ କରି ଯୋଗାଇବାକୁ ଆମେରିକାର ଟ୍ରମ୍ପ ସରକାର ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ନା କମ୍ପାନୀ ସହ ୧.୫ ବିଲିଅନ୍ ଡଲାର ଚୁକ୍ତି କରିଛି । ତେବେ ଯେକୌଣସି କରୋନା ଟିକା ପ୍ରସ୍ତୁତ ହେବା ପରେ ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ସ୍ୱୀକୃତି ପାଇବା ଜରୁରୀ । ଫଳରେ ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସୁରକ୍ଷିତ ହୋଇପାରିବ ।