କନକ ବ୍ୟୁରୋ : ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି ରୁଷିଆ । ଅଚାନକ ଆଜି ସକାଳେ ୟୁକ୍ରେନ ଉପରେ ଆକ୍ରମଣ ହୋଇଛି । ମିଜାଇଲ ଓ ବୋମା ମାଡରେ ୟୁକ୍ରେନର ୧୩ଟି ପ୍ରମୁଖ ସହର ଦୋହଲି ଉଠିଛି । ସାରା ବିଶ୍ୱର ନେତା ଏଭଳି ଏକପାଖିଆ ଆକ୍ରମଣକୁ ନିନ୍ଦା କରିଥିଲେ ବି ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷିଆର ଆକ୍ରମଣରେ କେତେ ମୃତାହତ ହୋଇଛନ୍ତି, ସେନେଇ ସଠିକ୍ ଖବର ଆସିନଥିଲେ ବି ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଛି । ଆମେରିକା କହିଛି, ଏହାପରେ ଯାହା ଘଟିବ ସେଥିପାଇଁ ରୁଷିଆ ଦାୟୀ ରହିବ । ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଓ ଅନ୍ୟ ପ୍ରମୁଖ ନାଟୋ ଦେଶମାନେ ଏଭଳି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି । ଏଥିସହ ମିଳିତ ଭାବେ ଏହାର ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । କିନ୍ତୁ ଏସବୁ କୌଣସି କଥାକୁ ଖାତିର କରିନାହାନ୍ତି ପୁଟିନ୍ । ସେପଟେ ଚୀନ କିନ୍ତୁ ରୁଷିଆର ସମର୍ଥନରେ ବାହାରିଛି । ଅନ୍ୟପଟେ ୟୁକ୍ରେନ ଆତ୍ମସମର୍ପଣ ନକରି ଲଢେଇ କରିବାକୁ ଅଂଟା ଭିଡିଛି, ଏବଂ ବିଶ୍ୱସମୁଦାୟ ଠାରୁ ସହାୟତା ବି ଲୋଡିଛି ।

Advertisment

ୟୁକ୍ରେନ ଉପରେ ଋଷିଆର ମିଜାଇଲ ମାଡ଼ । ଧୂଆଁମୟ ହୋଇଗଲା ୟୁକ୍ରେନ ଆକାଶ, ବିସ୍ଫୋରଣ ଶବ୍ଦରେ ଥରିଲା ୟୁକ୍ରେନ । ପଇଁତରା ମାରୁଛି ଋଷ୍ ଯୁଦ୍ଧ ବିମାନ । ୟୁକ୍ରେନରୁ ଆସିବାରେ ଲାଗିଛି କିଛି ଏମିତି ଦୃଶ୍ୟ । ବିଭିନ୍ନ ଦେଶର ବିରୋଧ ସତ୍ୱେ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଛି ଋଷ୍ । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ୍ ସେନା । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନର ବିଭିନ୍ନ ସେନା ଠିକଣା ଉପରେ କ୍ଷେପଣାସ୍ତ୍ର ମାଡ କରୁଛି ଋଷ୍ ବାୟୁ ସେନା । ସକାଳୁ ସକାଳୁ ରାଜଧାନୀ ‘କିଭ୍’ ନିକଟରେ ଥିବା ୟୁକ୍ରେନର ଏକ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା ଋଷ୍ । ତାପରେ ଏକାଧିକ ସ୍ଥାନରେ ମିଜାଇଲ ମାଡ କରିଛି । ମିଜାଇଲ ମାଡ ପରେ ଆକାଶ ଧୁଆଁମୟ ହେବା ସହ ପ୍ରଚଣ୍ଡ ବିସ୍ଫୋରଣରେ ୧୩ରୁ ଅଧିକ ସହର ଥରି ଉଠିଛି ।

କେବଳ ଆକାଶ ମାର୍ଗରୁ ନୁହେଁ ୟୁକ୍ରେନକୁ ତିନି ପଟରୁ ଆକ୍ରମଣ ଆରମ୍ଭ କରି ଦେଇଛି ଋଷ୍ । କ୍ରିମିଆ ପଟରୁ ବାୟୁସେନା ଘାଟିକୁ ଟାର୍ଗେଟ କରାଯାଇଛି । ସେପଟେ ବେଲାଋଷ୍ ପଟେ ପ୍ରସ୍ତୁତ ହୋଇ ରହିଥିବା ଋଷ୍ ସେନା ୟୁକ୍ରେନ ଦଖଲ ଅଭିଯାନ ଆରମ୍ଭ କରି ଦେଇଛନ୍ତି । ଗତ କିଛି ଦିନ ହେବ ୟୁକ୍ରେନର ସୀମାରେ ବେଲାଋଷରେ ସେନାବାହିନୀକୁ ଠୁଳ କରୁଥିଲା ଋଷ୍ । ଆଉ ସମରାଭ୍ୟାସ ଜାରି ରଖିଥିଲେ । ସୀମାରେ ଠୁଳ ଥିବା ଋଷ୍ ସେନା ଏବେ ୟୁକ୍ରେନ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ।

ଋଷ୍ ବେଶ ଶକ୍ତିଶାଳୀ ହୋଇଥିବାରୁ ୟୁକ୍ରେନ ତାର ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର । ତଥାପି ନିଜ ସେନାକୁ ସକ୍ରିୟ କରିଛି ୟୁକ୍ରେନ୍ । ୟୁକ୍ରେନ ଆକାଶରେ ଉଡୁଥିବା ଋଷିୟ ବିମାନକୁ ଟାର୍ଗେଟ କରିବା ସହ ଖସାଇଥିବା ଦାବି କରିଛି । ଏଥିସହ ଋଷ୍ ଆକ୍ରମଣର ଜବାବ ଦେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଋଷ୍ ବିରୋଧରେ ଅସ୍ତ୍ର ଉଠାଇବାକୁ ଅପିଲ କରିଛନ୍ତି । ନାଟୋ ଦେଶମାନେ ମଧ୍ୟ ୟୁକ୍ରେନ ସପକ୍ଷରେ ବାହାରିଛନ୍ତି । ଏବଂ ଋଷକୁ ଚେତାବନୀ ଦେଇଛନ୍ତି । ଆମେରିକା ଓ ୟୁରୋପୀୟ ଦେଶଙ୍କ ଚେତାବନୀ ପରେ ଆହୁରି କଡା ଆଭିମୁଖ୍ୟ ରଖିଛନ୍ତି ଋଷ୍ ରାଷ୍ଟ୍ରପତି । ଏହା ତାଙ୍କ ଦେଶର ମାମଲା ତେଣୁ ଯିଏ ଏଥିରେ ହସ୍ତକ୍ଷେପ କରି ସେ ଭୟଙ୍କର ପରିଣାମ ଭୋଗିବ ବୋଲି କହିଛନ୍ତି ।