ୟୁକ୍ରେନର ୪ ପ୍ରଦେଶରେ ଋଷ ଆରମ୍ଭ କଲା ଭୋଟିଂ । କେତେ ଲୋକ ଋଷରେ ମିଶିବାକୁ ଚାହୁଁଛନ୍ତି ତାହା ଉପରେ ହେଉଛି ମତଦାନ 

113

କନକ ବ୍ୟୁରୋ : ଯୁଦ୍ଧ କରି କବଜା କରିଥିବା ୟୁକ୍ରେନର ୪ ଟି ପ୍ରଦେଶରେ ଶୁକ୍ରବାର ଋଷ ଭୋଟିଂ ଆରମ୍ଭ କରିଛି । ଋଷ ସହ ମିଶିବା ପାଇଁ ୟୁକ୍ରେନର ଲୁହାନସ୍କ, ଡୋନଟସ୍କ, ଖେରସନ ଏବଂ ଜାପୋରଝିଆ ପ୍ରଦେଶରେ ଭୋଟିଂ କରାଯାଇଛି । ଏହି ୪ ଟି ପ୍ରଦେଶରେ ଥିବା ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ନେଇ ଋଷ ଏଭଳି ଭୋଟିଂ ଆରମ୍ଭ କରିଛି । ହେଲେ ୟୁକ୍ରେନ କହିଛି, ଏହି ୪ ଅଂଚଳରବାସୀନ୍ଦାଙ୍କୁ ଭୋଟ ଦେବା ପାଇଁ ବାଧ୍ୟ କରାଯାଉଛି । ସେଠାକାର ବାସୀନ୍ଦାଙ୍କୁ ଭୋଟ ନ ଦେଲେ ଦଣ୍ଡ ଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ଆଣିଛି କିଭ । ସେହି ପ୍ରଦେଶ ଗୁଡିକ ଋଷରେ ମିଶିବ ନା ନାହିଁ ତାହା ଉପରେ ଭୋଟିଂ କରାଯାଉଛି । ୭ ମାସର ଯୁଦ୍ଧ ଭିତରେ ଋଷ ୟୁକ୍ରେନର ଏହି ସବୁ ଅଂଚଳକୁ କବଜା କରିନେଇଛି । ୟୁକ୍ରେନର ୪ଟି ଅଂଚଳରେ ୩ଲକ୍ଷ ରିଜର୍ଭ ସୈନ୍ୟ ମୁତୟନ ପାଇଁ ରାଷ୍ଟ୍ରପତି ପୁଟିନ ବୁଧବାର ଦିନ ଘୋଷଣା କରିଥିଲେ ।

ରୁଷିଆରେ ୧୮ରୁ ୬୫ବର୍ଷୀୟ ପୁରୁଷଙ୍କୁ ଦେଶ ଛାଡି ଯିବାକୁ ଅନୁମତି ଦିଆଯାଇନାହିଁ । ଏପରିକି ସେମାନଙ୍କୁ ବିମାନ ଟିକଟ ବିକ୍ରି ନକରିବାକୁ ଏୟାରଲାଇନ୍ସଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କର ଏହି ନିଷ୍ପତିକୁ ବିରୋଧ କରି ରାଜଧାନୀ ମସ୍କୋ ଓ ସେଂଟ ପିଟସବର୍ଗ ସମେତ ୩୮ଟି ସହରରେ ବହୁ ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଳାଇ ପୁଟିନ ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି । ଗତ ସପ୍ତାହରେ ଋଷ କବଜା କରିଥିବା ୟୁକ୍ରେନର ଖାରକୀଭ ଅଂଚଳରୁ ଋଷ ସେନାକୁ ଘଉଡାଇ ସେଠାରେ ବିଜୟ ହୋଇଥିଲା ୟୁକ୍ରେନ ସେନା । ଫଳରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ସେଠାକୁ ଅଧିକ ସେନା ପଠାଇବା ସହ ପାଶ୍ଚାତ୍ୟ ଦେଶ ୟୁକ୍ରେନରେ ଶାନ୍ତି ଚାହୁଁନଥିବା କହିଥିଲେ । ଏବଂ ପାଶ୍ଚାତ୍ୟ ଦେଶଗୁଡିକୁ ପରମାଣୁ ଧମକ ଦେଇ କହିଥିଲେ ପରମାଣଙ୍କୁ ନେଇ ବ୍ଲାକମେଲ କରନି ଯବାବ ଦେବାକୁ ଯଥେଷ୍ଟ ଅସ୍ତ୍ର ଅଛି । ଏପଟେ ଭାରତ ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଯୁଦ୍ଧ ଶେଷ କରିବା ଉପରେ ଗୁରୁତ୍ୱ ଦେଇଛି । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଋଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ଉପରେ ଗୁରୁତ୍ୱ ଦେଇ ଯୁଦ୍ଧ ବନ୍ଦ କରିବା ସହ କଥାବାର୍ତା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଛି ଭାରତ ।