କନକ ବ୍ୟୁରୋ : ମହାକାଶରେ ପ୍ରଥମ ଥର ପାଇଁ ସୁଟିଂ ହୋଇଥିବା ରୁଷିଆ ଫିଲ୍ମ ‘ଦ ଚ୍ୟାଲେଞ୍ଜର’ର ଟ୍ରେଲର ରିଲିଜ ହୋଇଛି । ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ସୁଟିଂ ହୋଇଥିବା ଫିଲ୍ମକୁ ନେଇ ଦର୍ଶକଙ୍କ ଅପେକ୍ଷାର ଅନ୍ତ ହୋଇଛି । ଆସନ୍ତା ଅପ୍ରେଲ ୨୩ ତାରିଖରେ ଏହି ଫିଲ୍ମ ରିଲିଜ ହେବ ବୋଲି ସୂଚନା ମିଳିଛି । ଏହି ଫିଚର ଫିଲ୍ମର ପ୍ରଥମ ଭାଗକୁ ୨୦୨୧ରେ ମହାକାଶରେ ୧୨ ଦିନ ଧରି ସ୍ପେସ ଷ୍ଟେସନରେ ସୁଟିଂ କରାଯାଇଥିଲା ।

Advertisment

ଏଥିପାଇଁ ଫିଲ୍ମର ସମସ୍ତ କଳାକାର ଓ ଟିମ୍ ମେମ୍ବରଙ୍କୁ କଡା ତାଲିମ ଦିଆଯାଇଥିଲା । ଅଲଗା ଅଲଗା ଦୃଶ୍ୟ ଅଭିନୟ କରିବା ପାଇଁ ୧୨ ଦିନ ମହାକାଶରେ ବିତାଇଥିଲେ ସମସ୍ତ କଳାକାର । ଜଣେ ମହିଳା ଡାକ୍ତରଙ୍କ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଚର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କ୍ଲିମ ସିପେଙ୍କୋ । ମହାକାଶରେ ଫସିଥିବା ମହାକାଶଚାରୀଙ୍କୁ ବଂଚାଇବାକୁ ଜଣେ ମହିଳା ଡାକ୍ତର ଦୁଃସାହାସିକ ମହାକାଶ ଯାତ୍ରା କାହାଣୀ ଏହି ଫିଲ୍ମରେ ରହିଛି ।

ରୁଷ ମହାକାଶ ଗବେଷଣା କେନ୍ଦ୍ର ରୋସ୍କୋସ୍ମୋସ୍ ଓ ଚ୍ୟାନେଲ ୱାନ ମିଳିତ ଭାବେ ଫିଲ୍ମ ‘ଦ ଚ୍ୟାଲେଞ୍ଜର’ ତିଆରି କରିଛନ୍ତି । ମହାକାଶରେ ସୁଟିଂ ପରେ ‘ଦ ଚ୍ୟାଲେଞ୍ଜର’ ନୂଆ ଇତିହାସ ରଚିଛି । ଏହାଛଡା ରୁଷର ହଲିଉଡ ଅଭିନେତା ଟମ କ୍ରୁଜଙ୍କୁ ମଧ୍ୟରେ ପଛରେ ପକାଇ ଦେଇଛି । କାରଣ ୨୦୨୦ରେ ଟମ କ୍ରୁଜ ନାସା ଓ ଏଲନ ମସ୍କଙ୍କ କଂପାନୀ ସ୍ପେସ ଏକ୍ସଙ୍କ ସହ ମିଶି ଏକ ଫିଲ୍ମର ସୁଟିଂ ମହାକାଶରେ କରିବେ ବୋଲି ଘୋଷଣା କରିଥିଲେ ।