ୟୁକ୍ରେନରେ ବୋମା ବର୍ଷା । ଜନବସତି ଉପରେ ମିଜାଇଲ ମାଡ

259

କନକ ବ୍ୟୁରୋ: ଯୁଦ୍ଧର ତୃତୀୟ ଦିନରେ ୟୁକ୍ରେନର ରାଜଧାନୀ କିବରୁ ଆସିଥିବା ଏକ ଭିଡିଓ ସାରାବିଶ୍ୱକୁ ଦୋହଲାଇ ଦେଇଛି । ଋଷ୍ ବିରୋଧରେ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆସିବା ସତ୍ତେ୍ୱ ୟୁକ୍ରେନର ରାଜଧାନୀ କିବ୍ ଦଖଲ ପାଇଁ ଅଭିଯାନ ଜାରି ରଖିଛି ଋଷୀୟ ସେନା । ସାମରିକ ଘାଟିକୁ ଟାର୍ଗେଟ କରୁଥିବା କହି ଆସୁଥିବା ପୁଟିନ ସରକାର ସିଧାସଳଖ ୟୁକ୍ରେନବାସୀଙ୍କ ଭିତରେ ଭୟ ସୃଷ୍ଟ କରିବା ପାଇଁ ଆକ୍ରମଣକୁ ଜୋରଦାର କରିଛି ।

ଋଷୀୟ ସେନା କିଭଳି ୟୁକ୍ରେନକୁ ନିଜ ଦଖଲକୁ ନେବା ପାଇଁ ସବୁ ସୀମା ଟପି ଯାଇଛି । ଆଉ ସହରର ମଝିରେ ଥିବା ଏକ ଆପାର୍ଟମେଣ୍ଟ ଉପରେ ସିଧାସଳଖ ରକେଟ ମାଡ କରୁଛି ଋଷ୍ । ରକେଟ ମାଡରେ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଉଛି । ଘର ଭିତରକୁ ନିଆଁ ପିଣ୍ଡୁଳା ପଶି ଆସୁଛି । ଆଉ ଘରଟି ନିମିଷକରେ ଧ୍ୱଂସାବଶେଷରେ ପରିଣତ ହେଉଛି ।

କିବ୍ ସହର ଭିତରେ ଋଷ୍ ସେନାର ଟ୍ୟାଙ୍କର ଆହୁରି ଆତଙ୍କ ସୃଷ୍ଟି କରୁଛି । ଯେଉଁଠି ରାତି ପାହିଲେ ଲୋକଙ୍କ କୋଳାହଳ ଲାଗେ, ଗାଡି ମଟର ଯାଆସ କରେ ଆଜି ସେହି ରାସ୍ତାରେ ଗଡୁଛି ଏକାଧିକ ସଂଖ୍ୟାରେ ଶତ୍ରୁ ରାଷ୍ଟ୍ରର ଟ୍ୟାଙ୍କର । ଯାହା ଅଳ୍ପ କିଛି ସମୟ ମଧ୍ୟରେ କିବକୁ ଦଖଲ କରିନେବାର ଆଶଙ୍କା ସୃଷ୍ଟି ହୋଇଛି । ଋଷ ସେନା ମଧ୍ୟ ସହର ଭିତରେ ବୁଲିବା ଆରମ୍ଭ କରି ଦେଇଛନ୍ତି । ଅନ୍ୟପଟେ ୠଷର ପ୍ରଚଣ୍ଡ ଆକ୍ରମଣ ସତ୍ତ୍ୱେ ଲଢ଼େଇ ଜାରି ରଖିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ବୟାନ ନୂଆ ସମୀକରଣ ସୃଷ୍ଟି କରିଛି । ୟୁକ୍ରେନ ସେନା ଓ ଋଷ୍ ସେନା ମଧ୍ୟରେ ଯୁଦ୍ଧ ଅଧିକ ଦିନ ଚାଲିବାର ଆଶଙ୍କା ସୃଷ୍ଟି ହୋଇଛି ।

ୠଷ୍ ବିରୋଧରେ ସିଧାସଳଖ ଯୁଦ୍ଧ କରିବାକୁ ଆମେରିକା ମନା କରିଥିଲେ ବି ୟୁକ୍ରେନକୁ ଆର୍ଥିକ ସହାୟତାର ହାତ ବଢ଼ାଇଛନ୍ତି । ଯାହାକି ପୁଣି ଥରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ମନୋବଳକୁ ଦୃଢ଼ କରିଛି । ସେପଟେ ଜାତିସଂଘରେ ଋଷ୍ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଛି । ନିନ୍ଦା ପ୍ରସ୍ତାବକୁ ୧୧ ରାଷ୍ଟ୍ର ସମର୍ଥନ କରିଥିବାବେଳେ ଭାରତ ଭୋଟ ଦେଇନାହିଁ ଏବଂ ଆଲୋଚନା ମାଧ୍ୟମରେ ଶାନ୍ତି ଫେରାଇ ଆଣିବାକୁ ଅପିଲ କରିଛି ଭାରତ । ଯାହାକି ପୁଣି ଥରେ ଭାରତ କେମିତି ଦ୍ୱଦ୍ୱରେ ରହିଛି ତାକୁ ପଦାରେ ପକାଇଛି ।