ଆଶଙ୍କା ଘେରରେ ୟୁକ୍ରେନ ସ୍ଥିତି । ଆମେରିକାର କହିଲା ଋଷ କରୁଛି ଚାଲ, କରିପାରେ ଆକ୍ରମଣ ।

216

କନକ ବ୍ୟୁରୋ : ୟୁକ୍ରେନ ଉପରୁ ଯୁଦ୍ଧ ଆଶଙ୍କା ଟଳି ଯାଇଥିବା କୁହାଯାଉଛି । କାରଣ ଋଷ ୟୁକ୍ରେନ ସୀମାନ୍ତରୁ ନିଜର ସେନା ପ୍ରତ୍ୟାହାର କରୁଛି । ସେପଟେ କିନ୍ତୁ କିଛି ଅଲଗା ଦାବି କରୁଛି ଆମେରିକା । ଏବେବି ୟୁକ୍ରେନ ଉପରୁ ସଙ୍କଟ ଟଳିନି ଓ କୌଣସି ମୁହୁର୍ତ୍ତରେ ଆକ୍ରମଣ ହୋଇପାରେ ବୋଲି କହିଛନ୍ତି ବାଇଡେନ ସରକାର । ସେପଟେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ ।

ଆଶଙ୍କା ଘେରରେ ୟୁକ୍ରେନ ସ୍ଥିତି । ଆମେରିକାର ନୂଆ ଦାବି, ଋଷ କରୁଛି ଚାଲ, କରିପାରେ ଆକ୍ରମଣ । ୟୁକ୍ରେନ ଉପରେ ଋଷ ଆକ୍ରମଣ ଆଶଙ୍କାକୁ ନେଇ ଦିନ ପରେ ଦିନ ବିତୁଛି । ୧୬ ତାରିଖରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଖବରକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଥିଲା କିନ୍ତୁ ଏହି ସମୟରେ ସ୍ଥିିତି ନୂଆ ମୋଡ ନେଇଥିଲା, ଯେଉଁ ସମୟରେ ୟୁକ୍ରେନ ସୀମାନ୍ତରୁ ଋଷ ନିଜର ୧୦ହଜାରରୁ ଅଧିକ ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ଆରମ୍ଭ କରିଥିଲା ।

ଋଷ କହିଥିଲା ୟୁକ୍ରେନ ସୀମାନ୍ତରେ ସେ ଯୁଦ୍ଧ ପାଇଁ ଯୁଦ୍ଧାଭ୍ୟାସ ପାଇଁ ସୈନ୍ୟଙ୍କୁ ପଠାଇଥିଲା ଓ ଏହା ସରିବା ପରେ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି । ଠିକ ଏହି ସମୟରେ ବଡ ଦାବି କରିଛି ଆମେରିକା । ଆମେରିକା କହିଛି ୟୁକ୍ରେନ ଉପରେ ଋଷର ଆକ୍ରମଣ କରିବା ଯଥେଷ୍ଟ ସମ୍ଭାବନା ରହିଛି । ୟୁକ୍ରେନ ସୀମାନ୍ତରେ ଏବେ ବି ୨ଲକ୍ଷ ସେନାକୁ ମୃତୟନ ରଖିଛି ଋଷ । କୌଣସି ସମୟରେ ହୋଇପାରେ ଆକ୍ରମଣ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି କି ୟୁକ୍ରେନ ସଙ୍କଟ ସମାଧାନ ପାଇଁ ସମୟ ଲାଗିବ । ଯଦି ଋଷ ଆକ୍ରମଣ କରେ ୟୁରୋପରେ ଏହା ବଡ ପ୍ରଭାବ ପଡିବ ଓ ଋଷକୁ ମଧ୍ୟ ଏହା ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ତେବେ ସ୍ଥିତି ଯାହା ବି ହେଉନା କାହିଁକି ସମସ୍ତ ମୁକାବିଲା ପାଇଁ ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବାଇଡେନ ।

ୟୁକ୍ରେନରେ ସାଇବର ଆକ୍ରମଣ । ବିଭିନ୍ନ ଦେଶର ଆଡଭାଇଜରୀ ଜାରି । ସେପଟେ ୟୁକ୍ରେନରେ ସାଇବର ଆକ୍ରମଣ ହେବା ଯୋଗୁଁ ପ୍ରତିରକ୍ଷାମନ୍ତ୍ରାଳୟ ସମେତ ପ୍ରମୁଖ ବ୍ୟାଙ୍କ ସମୁହ ପ୍ରଭାବିତ ହୋଇଛି । ୟୁକ୍ରେନ ପ୍ରତିରକ୍ଷାମନ୍ତ୍ରାଳୟ କହିଛି ସାଇବର ଆକ୍ରମଣ ଯୋଗୁଁ ଦେଶର ସଂସ୍କୃତି ମନ୍ତ୍ରାଳୟ ଓ କିଛି ବୃହତ ରାଷ୍ଟାୟତ ବ୍ୟାଙ୍କ ସମେତ ୧୦ଟି ୟୁକ୍ରେନୀୟ ୱେବସାଇଟ ଅଚଳ ହୋଇପଡିଛି । ୟୁକ୍ରେନର ଡେପୁଟି ମିନିଷ୍ଟର ଭିକ୍ଟୋର ଜୋରା ମଧ୍ୟ ଦେଶରେ ହୋଇଥିବା ସାଇବର ଆକ୍ରମଣ ଖବର ସ୍ପଷ୍ଟ କରିଛନ୍ତି । ସ୍ଥିତିକୁ ଦେଖି ଭାରତ ସମେତ ୨୦ଟି ଦେଶ ନିଜ ନାଗରିକକଙ୍କୁ ତରୁନ୍ତ ୟୁକ୍ରେନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି । ସେପଟେ ବିମାନ ଭଡା ଆକାଶ ଛ୍ରୁଆଁ ହେବା ଯୋଗୁଁ ଦେଶକୁ ଫେରିବା ନେଇ ଏବେ ଆଶାଆଶଙ୍କା ଘେରରେ ସେଠାରେ ରହୁଥିବା ଭାରତୀୟ ।