କନକ ବ୍ୟୁରୋ : ୟୁକ୍ରେନକୁ ଦଖଲ କରିବା ପାଇଁ ୧୦ଦିନ ହେଲା ଜାରି ରହିଛି ରୁଷିଆର ଆକ୍ରମଣ । ଏହାରି ଭିତରେ ଆଜି ସମସ୍ତଙ୍କୁ ଚକିତ କରି ଅସ୍ତ୍ରବିରତି ଘୋଷଣା କରିଛି ରୁଷ । ମାରିୟୁପୋଲ ଓ ଭାଲନୋଭାଖା ସହରରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି କ୍ରେମଲିନ୍ । ଯୁଦ୍ଧକ୍ଷେତ୍ରରେ ଫସି ରହିଥିବା ନାଗରିକଙ୍କୁ ହ୍ୟୁମାନଟାରିଆନ କରିଡର କରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଛି ।
ଧ୍ୱଂସଲୀଳା ପରେ ୫ଘଣ୍ଟା ଯୁଦ୍ଧବିରତି । ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ ପଦକ୍ଷେପ । ୟୁକ୍ରେନର ବିଭିନ୍ନ ସହରରେ ରୁଷ୍ ସେନା ଧ୍ୱଂସଲୀଳା ରଚିବା ପରେ ସାମୟିକ ସମୟ ପାଇଁ, କେତେକ ସ୍ଥାନରେ ଯୁଦ୍ଧବିରତି ଘୋଷଣା କରିଥିଲା ରୁଷ୍ । ଭାରତୀୟ ସମୟ ଦିନ ସାଢ଼େ ୧୧ଟାରୁ ମାରିୟୁପୋଲ ଓ ଭାଲନୋଭାଖା ସହରରେ ଅସ୍ତ୍ରବିରତି ଘୋଷଣା କରିଥିଲା କ୍ରେମଲିନ୍ । ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ଏନେଇ ଘୋଷଣା କରିଥିଲେ । କହିଥିଲେ, ଅସ୍ତ୍ରବିରତି ସମୟରେ ଯୁଦ୍ଧକ୍ଷେତ୍ରରେ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ହ୍ୟୁମାନଟାରିଆନ କରିଡର କରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ । ରୁଷର ଘୋଷଣା ପରେ ମାରିୟୁପୋଲ ଓ ଭାଲନୋଭାଖା ସହରରେ ମସ୍କୋ ସେନା ପକ୍ଷରୁ କୌଣସି ଆକ୍ରମଣ ହୋଇନଥିବା କୁହାଯାଉଛି ।
ଦଶ ଦିନ ହେବ ୟୁକ୍ରେନରେ ଘନ ଘନ ଆକ୍ରମଣ କରୁଥିବା ରୁଷ୍ ସେନା ଅଚାନକ ଅସ୍ତ୍ରବିରତି ଘୋଷଣା କରିବା ଖବର ସମସ୍ତଙ୍କ ଚକିତ କରିଛି । ଏବଂ ରୁଷ୍ ସେନା ଅନ୍ତର୍ଜାତୀୟ ଚାପ ଯୋଗୁଁ ଏମିତି ନିଷ୍ପତି ନେବାକୁ ବାଧ୍ୟ ହେଲା ନା ଆଉ କିଛି କାରଣ ରହିଛି, ତାହା ଚର୍ଚ୍ଚାର ବିଷୟ ହୋଇଛି ।
ଏକ ଘରିକିଆ ହେଉଛି ରୁଷ୍ । ବଢ଼ୁଛି ଆନ୍ତର୍ଜାତୀୟ ଚାପ । ରୁଷ୍ ଆକ୍ରମଣ ପରେ ୟୁକେନରେ ରହୁଥିବା ସାଧାରଣ ନାଗରିକଙ୍କ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରି ଆସୁଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଏଥିସହ ଶୁକ୍ରବାର ରୁଷ ସେନାର ଆକ୍ରମଣକୁ ବିରୋଧ କରି ଜାତିସଂଘ ମାନବ ଅଧିକାର ସୁରକ୍ଷା ପରିଷଦ ପକ୍ଷରୁ ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା । ଏହା ଉପରେ ଆଲୋଚନା ସହ ଭୋଟ ଗ୍ରହଣ ହୋଇଥିଲା । ନିନ୍ଦା ପ୍ରସ୍ତାବ ସପକ୍ଷରେ ୩୨ଟି ଦେଶ ଭୋଟ ଦେଇଥିଲେ । କିନ୍ତୁ ଭାରତ ସମେତ ୧୩ଟି ଦେଶ ଏହି ଭୋଟ ଦାନରୁ ନିବୃତ ରହିଥିଲା । ହେଲେ, ରୁଷ୍ ଆକ୍ରମଣ ପରେ ସେଠାରେ ଫସି ରହିଥିବା ଲୋକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯାଇପାରିବ, ତାହା ନିଶ୍ଚିତ କରିବାକୁ ଆଲୋଚନା ସମୟରେ ପୁଟିନଙ୍କୁ କହିଥିଲେ ମୋଦି । ରୁଷ୍–ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ମଧ୍ୟ ଫସିଥିବା ଲୋକଙ୍କ ସୁରକ୍ଷିତ ଉଦ୍ଧାରକୁ ଗୁରୁତ୍ୱ ଦିଆଯାଇଥିଲା ।
ରୁଷ୍ ପ୍ରଥମ ଥର ପାଇଁ ସାରବିଶ୍ୱରେ ଏତେ ବଡ ବିରୋଧର ସମ୍ମୁଖୀନ ହେଉଛି । ରୁଷ୍ ବିରୋଧରେ ସିଧାସଳଖ ଯୁଦ୍ଧକୁ ଓହ୍ଲାଇନଥିଲେ ବି ବିଶ୍ୱର ଅଧିକାଂଶ ଦେଶ ରୁଷ୍ ବିରୋଧରେ ସ୍ୱର ଉଠାଇଛନ୍ତି । ଏପରିକି ରୁଷ୍ ଭିତରେ ମଧ୍ୟ ପ୍ରବଳ ଚାପର ସମ୍ମୁଖୀନ ହେଉଛନ୍ତି ପୁଟିନ ସରକାର ।