କନକ ବ୍ୟୁରୋ: ଆବଶ୍ୟକତା ଅନୁସାରେ ବର୍ଷା ନ ହେବାରୁ ଆସିକା କୃଷି ଜିଲ୍ଲାର ହଜାର ହେକ୍ଟର ଜମିରେ ହୋଇପାରିନି ଧାନ ଚାଷ । ଅନେକ ସ୍ଥାନରେ ଜମି ଫାଟି ଆଁ କରିଛି । କେତେକ ସ୍ଥାନରେ ଜମିକୁ ରୋଇବା ପାଇଁ କାଦୁଅ କରାଯାଇଛି । ହେଲେ ପାଣି ନଥିବାରୁ ଏଯାଏଁ ରୁଆ ହୋଇ ପାରିନାହିଁ । ପୁଣି କେଉଁଠି ବାଧ୍ୟ ହୋଇ ଚାଷୀ ଶୁଖିଲା ବିଲରେ ଧାନ ତଳି ରୋଉଥିବା ଦେଖିବାକୁ ମିଳିଛି ।

Advertisment

ଚଳିତ ବର୍ଷ ମୌସୁମୀର ଲୁଚକାଳି ଖେଳ । ତା ସାଙ୍ଗକୁ ନିଅଣ୍ଟିଆ ବର୍ଷାରେ ନିରାଶ ହୋଇଛି ଚାଷୀ । ଆବଶ୍ୟକ ବର୍ଷା ନହେବାରୁ ଧାନ ଚାଷ କିଭଳି କରିବ ସେ ନେଇ ଦ୍ୱନ୍ଦରେ ପଡିଛନ୍ତି ଗଞ୍ଜାମ ଜିଲ୍ଲାର ଆସିକା ଓ ଧରାକୋଟ ବ୍ଲକର ଚାଷୀମାନେ । ଶ୍ରାବଣ ସରିବାକୁ ବସିଲାଣି ହେଲେ ଅନୁକୁଳ ହୋଇପାରିନି ଧାନ ଚାଷ । ଜମିରେ ଏବେ ଗାଈ ଗୋରୁ ଓ ଛେଳି ମେଣ୍ଢା ଚରୁଛନ୍ତି । କେବଳ ଖାଲୁଆ ଅଞ୍ଚଳକୁ ଛାଡି ଦେଲେ ଅନ୍ୟ ସବୁ ଅଞ୍ଚଳରେ ଧାନ ରୁଆ ଅନୁକୁଳ ହୋଇ ପାରି ନାହିଁ । ଏପରି ସ୍ୱଳ୍ପ ବୃଷ୍ଟିପାତ ସମୟରେ ଋଷିକୁଲ୍ୟା ନଦୀର ଜଳ ଚାଷୀଙ୍କ କାମରେ ଆସୁଥିଲା । ହେଲେ ଏବେ ଗଞ୍ଜାମର ଜୀବନ ରେଖା କୁହାଯାଏଥିବା ଋଷିକୁଲ୍ୟା ନଦୀ ବି ଶୁଖିଲା ପଡିଛି । ଗଞ୍ଜାମର ପ୍ରଧାନ ଖରିଫି ଫସଲ ଧାନ ଚାଷକୁ ନେଇ ସମସ୍ୟା ଦେଖାଦେଇଛି ।

ମେଘ ଆସୁଛି ହେଲେ ଭଲ ବର୍ଷା ହେଉ ନାହିଁ । ଜଳ ଅଭାବରୁ ଚାଷ କାମ ଆରମ୍ଭ ହୋଇ ପାରୁନି, ଫଳରେ ଜମି ପଡିଆ ପଡିଛି । ଉଠା ଜଳସେଚନ ବ୍ୟବସ୍ଥା ଥିଲେ ବି କେଉଁଠି କାମ କରୁ ନାହିଁ । ଅନେକ ସ୍ଥାନରେ ଏହାର ପମ୍ପ ଘର ଗୁଡିକରେ ଗଛଲତା ମାଡିଗଲାଣି । ଉଠା ଜଳ ସେଚନର ଉପଖଣ୍ଡ କାଯ୍ୟାଳୟରେ ଚାବି ଝୁଲୁଛି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି । ସେପଟେ ପ୍ରତିଥର କିଛି ନା କିଛି ସୁବିଧା କରାଯିବାର ମିଳୁଛି ପ୍ରତିଶ୍ରୁତି, ହେଲେ କାମ ହୋଇପାରୁନି ।