କନକ ବ୍ୟୁରୋ: ଜଳ ଉତ୍ସ ସଂରକ୍ଷଣ ପାଇଁ ଯେଉଁ ଜିଲ୍ଲାକୁ ଜାତୀୟ ପୁରସ୍କାର ମିଳୁଛି ସେହି ଜିଲ୍ଲାରେ ଶୁଖିଲା ପଡିଛି ନଦୀ । ଗଞ୍ଜାମ ଜିଲ୍ଲାରେ ଶୁଖିଯାଇଛି ଋଷିକୁଲ୍ୟା ନଦୀ । ସୋରଡା ଠାରୁ ଆରମ୍ଭ ହୋଇ ଗଞ୍ଜାମରେ ସମୁଦ୍ରରେ ମିଶିଛି ଋଷିକୁଲ୍ୟା ନଦୀ । ପୂର୍ବରୁ ଏହି ନଦୀକୁ ଚିରସ୍ରୋତା ବୋଲି କୁହାଯାଉଥିଲା । ଆଗରୁ ଏହି ନଦୀରେ ବର୍ଷକ ୧୨ ମାସ ପାଣି ରହୁଥିଲା । ହେଲେ ସମୟ ଚକ୍ରରେ ନଦୀର ରୂପ ବଦଳିଯାଇଛି । ବର୍ଷା ଦିନେ ବନ୍ୟା ଆଣୁଥିବା ନଦୀ ଖରା ଦିନେ ଶୁଖିଯାଉଛି । ନଦୀ ଏବେ ବାଲିଚର ପାଲଟିଯାଇଛି । ନଦୀ ଶୁଖିଯିବାରୁ ଚାଷ ଓ ପାନୀୟ ଜଳ ଯୋଗାଣ ପ୍ରଭାବିତ ହେଉଛି । ସ୍ଥାନୀୟ ଚାଷୀଙ୍କ କହିବା ଅନୁସାରେ, ଖରା ଦିନେ ଋଷିକୁଲ୍ୟାରେ ପାଣି ରହୁନଥିବାରୁ ଚାଷ କାମ ବାଧାପ୍ରାପ୍ତ ହେଉଛି ।

Advertisment

ପାନୀୟ ଜଳ ପାଇଁ ବି ପର୍ଯ୍ୟାପ୍ତ ପାଣି ମିଳୁନାହିଁ । ନଦୀର ପାଣିକୁ ସଂରକ୍ଷଣ କରିବା ପାଇଁ ନଦୀ ଉପରେ ଆନିକଟ ବ୍ୟବସ୍ଥା ହୋଇଛି, କିନ୍ତୁ ଏହା କେବଳ କାଗଜ କଲମରେ ସୀମିତ ରହିଛି । ଏପଟେ ଋଷିକୁଲ୍ୟା ଶୁଖି ବାଲଚର ପାଲଟିଥିବା ବେଳେ ଜଳଉତ୍ସ ସଂରକ୍ଷଣ ପାଇଁ ଗଂଜାମ ଜିଲ୍ଲାକୁ ଶ୍ରେଷ୍ଠ ବିବେଚିତ କରାଯାଇଛି । କେନ୍ଦ୍ର ଜଳ ସଂପଦ ବିଭାଗ ଓ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଜଳ ପୁରସ୍କାର ଦେବା ପାଇଁ ମନୋନିତ କରାଯାଇଛି । ଯେଉଁ ଜିଲ୍ଲାରେ ନଦୀ ଶୁଖିଲା ପଡିଛି, ପାଣି ଅଭବାରୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ଚାଷୀ ଅଭିଯୋଗ କରୁଛନ୍ତି, ସେହି ଜିଲ୍ଲାକୁ କେନ୍ଦ୍ର ସରକାର ପୁରସ୍କାର ଦେବାକୁ ମନୋନିତ କରିଛନ୍ତି ।