ଗଞ୍ଜାମ ଖଲ୍ଲିକୋଟ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ । ଟିକା ନେବା ପାଇଁ ରାତି ୧୨ଟାରୁ ଧାଡ଼ିରେ ଛିଡ଼ା ହେଉଛନ୍ତି ଉଭୟ ପୁରୁଷ ଓ ମହିଳା ।

123

କନକ ବ୍ୟୁରୋ: ଟିକା ପାଇଁ ରାତି ଅନିଦ୍ରା । କରୋନା ଟିକା ନେବା ପାଇଁ ସାରା ରାତି ଟିକାକରଣ କେନ୍ଦ୍ର ଆଗରେ ଧାଡିରେ ରହୁଛନ୍ତି ଲୋକେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଖଲ୍ଲିକୋଟର କଲ୍ୟାଣ ମଣ୍ଡପ ଓ ଏସଏମ୍ ହାଇସ୍କୁଲରେ ଚାଲିଥିବା ଟିକା କେନ୍ଦ୍ରରେ ଅନ୍ଧାର ରାତିରେ ବି ଟିକା ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ଖଲ୍ଲିକୋଟରେ ୩ଟି ଟିକା କେନ୍ଦ୍ରରେ ଟିକାକରଣ ଜାରି ରହିଥିବା ବେଳେ ୧୮-୪୪ ବର୍ଷର ଯୁବପୀଢି ଟିକା ନେବା ପାଇଁ ଗହଳି ଲଗାଉଛନ୍ତି । ଦୈନିକ ଦୁଇଟି ପର୍ଯ୍ୟାୟରେ ଟିକା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଡୋଜ ଟିକା ଦିଆଯାଉଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦ୍ୱିତୀୟ ଡୋଜ ଟିକା ଦିଆଯାଉଛି । ତେବେ ପ୍ରଥମ ଡୋଜ ଟିକା ନେବା ପାଇଁ ଲୋକଙ୍କ ଭିଡ ଲାଗୁଛି । ଶହ ଶହ ଲୋକେ ରାତି ୧୨ଟାରୁ ଧାଡି ବାନ୍ଧି ଛିଡା ହେଉଛନ୍ତି ।

ଖଲ୍ଲିକୋଟରେ ପଞ୍ଚାୟତ ସ୍ତରରେ ଟିକା କେନ୍ଦ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଖୋର୍ଦ୍ଧା ଅଞ୍ଚଳରୁ ବହୁ ଲୋକ ଖଲ୍ଲିକୋଟକୁ ଟିକା ନେବା ପାଇଁ ଆସୁଛନ୍ତି । ରାତିରୁ ଶହ ଶହ ମହିଳା ଓ ପୁରୁଷଧାଡି ବାନ୍ଧି ସକାଳ ଯାଏଁ ଛିଡା ହେଉଛନ୍ତି । ଯାହା ଫଳରେ ଟିକାକେନ୍ଦ୍ରରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି ।