ପୁନୀଥ୍ ରାଜକୁମାରଙ୍କ ମୃତ୍ୟୁ ପରେ ଲୋକଙ୍କ ମନରେ ଭୟ, ହାର୍ଟ ଯାଂଚ କରିବାକୁ ମେଡିକାଲରେ ଭିଡ

130

କନକ ବ୍ୟୁରୋ : କନ୍ନଡ ସିନେମା ଅଭିନେତା ପୁନୀଥ ରାଜକୁମାର ଗତ ଶୁକ୍ରବାର ଦିନ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ମୃତ୍ୟୁପରେ ବେଙ୍ଗାଲୋରରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି । ନିଜ ନିଜର ହାର୍ଟ ଚେକଅପ୍ କରିବାକୁ ଶହ ଶହ ଲୋକ ମେଡିକାଲରେ ଭିଡ ଲଗାଇଛନ୍ତି । ଗଣମାଧ୍ୟମର ରିପୋର୍ଟ ମୁତାବକ ‘ଜୟଦେବ ଇନଷ୍ଟିଚ୍ୟୁଟ ଅଫ କାଡିଓଭାସ୍କୁଲାର ସାଇନ୍ସ ଆଣ୍ଡ ରିସର୍ଚ୍ଚ’ ର ଓପିଡିରେ ହାର୍ଟ ରୋଗୀମାନେ ବହୁ ସଂଖ୍ୟାରେ ପହଂଚି ସେମାନଙ୍କ ହାର୍ଟ ଚେକଅପ୍ କରିବାରେ ଲାଗିଛନ୍ତି ।

ଏନେଇ ଉକ୍ତ ମେଡିକାଲର ଡାକ୍ତରମାନେ କହିଛନ୍ତି କି ପୁନୀଥଙ୍କ ମୃତ୍ୟୁ ପରେ ମେଡିକାଲରେ ହାର୍ଟ ରୋଗୀଙ୍କ ଭିଡ ବଢିବାରେ ଲାଗିଛି । ଲୋକମାନେ ଏଠାକୁ ହାର୍ଟ ଚେକଅପ୍ କରିବାକୁ ଆସୁଛନ୍ତି । ‘ଜୟଦେବ ଇନଷ୍ଟିଚ୍ୟୁଟ ଅଫ କାଡିଓଭାସ୍କୁଲାର ସାଇନ୍ସ ଆଣ୍ଡ ରିସର୍ଚ୍ଚ’ ର ନିର୍ଦ୍ଦେଶକ ସିଏନ ମଞ୍ଜୁନାଥ କହିଛନ୍ତି କି ପୂର୍ବ ୩ ଦିନ ଭିତରେ ହସ୍ପିଟାଲକୁ ବହୁ ସଂଖ୍ୟାରେ ଲୋକ ହାର୍ଟ ଚେକଅପ୍ କରିବାକୁ ଆସୁଛନ୍ତି । ଦୈନିକ ପାଖାପାଖି ୧୦୦୦ ରୋଗୀ ଆସୁଥିବା କଥା ମଞ୍ଜୁନାଥ କହିଛନ୍ତି । ଏହା ଫଳରେ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ବଢୁଥିବା ଦେଖିବାକୁ ମିଳିଛି ।

କେବଳ ବେଙ୍ଗାଲୋର ନୁହେଁ ପୁରା କର୍ଣ୍ଣାଟକର ସମସ୍ତ ହସ୍ପିଟାଲରେ ଏଭଳି ଭିଡ ବଢିବାରେ ଲାଗିଛି । ଲୋକମାନେ ଭୟଭିତ ହୋଇ ନିଜ ନିଜର ହାର୍ଟ ଚେକଅପ୍ କରାଇବାକୁ ମେଡକାଲ ଆଗରେ ଭିଡ ଜମାଉଛନ୍ତି ।
ଏନେଇ ଡାକ୍ତରମାନେ ଆସୁଥିବା ରୋଗୀମାନଙ୍କୁ ପରାମର୍ଶ ଦେଇ କହୁଛନ୍ତି ଯାହାର ପରିବାର ଲୋକଙ୍କର ଏଭଳି ସମସ୍ୟା ଥିବ ସେମାନଙ୍କ ପାଇଁ ଏହା ଚେକଅପ୍ କରିବା ଜରୁରୀ । ଏହାସହ ଉକ୍ତ ରକ୍ତଚାପ, ମଧୁମେହ, ଧୁମ୍ରପାନ ଓ ମାନସିକ ଚିନ୍ତାରେ ଥିବା ଲୋକମାନେ ହାର୍ଟ ଚେକଅପ୍ କରାଇ ନେବା ନିହାତି ଜରୁରୀ ।