ଚମକାଇଦେବ ଋଷିଆ ଟିକାର କଳା ରହସ୍ୟ…! ସାମ୍ନାକୁ ଆସିଲା ବିଶ୍ୱର ପ୍ରଥମ କରୋନା ଟିକାର ସାଂଘାତିକ ସତ: ୩୮ ଜଣଙ୍କ ଶରୀରରେ ଟିକାର ହୋଇଥିଲା ମାନବ ପରୀକ୍ଷଣ; ଟେଷ୍ଟିଂର ମାତ୍ର କିଛି କ୍ଷଣ ଭିତରେ ହିଁ ଦେଖାଦେଇଥିଲା ଘାତକ ସାଇଡ୍ ଇଫେକ୍ଟ

2,303

କନକ ବ୍ୟୁରୋ: ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ମହମାରୀ ଯୋଗୁଁ ବର୍ତ୍ତମାନ ସାରା ବିଶ୍ୱରେ ହାହାକାର ଖେଳିଯାଇଛି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିଚାଲିଛି । ତେବେ ଗତ ବର୍ଷ ଡିସେମ୍ବରରେ ଆରମ୍ଭ ହୋଇଥିବା ଏହି କରୋନା ମହାମାରୀ ଆଜିକୁ ୯ ମାସ ହେଲା ସାରା ବିଶ୍ୱରେ ରଚିଚାଲିଛି ଆତଙ୍କ । କିନ୍ତୁ ବିଡମ୍ବନାର ବିଷୟ ହେଲା ବର୍ତ୍ତମାନ ସୁଦ୍ଧା ଏହି ମହାମାରିକୁ ରୋକିବା ପାଇଁ କୌଣସି ପ୍ରକାରର ଫଳପ୍ରଦ ଟିକା ବାହାରିପାରିନାହିଁ । ତେବେ ଇତି ମଧ୍ୟରେ କରୋନା ଟିକା ବାହାରିବା ନେଇ ଋଷିଆ ସରକାର  ଯୁକ୍ତି ବାଢିଛନ୍ତି । ହେଲେ କରୋନା ଭ୍ୟାକସିନକୁ ନେଇ ଋଷର ଏହି ଦାବିକୁ ବାକି ଦେଶ ମାନିବାକୁ ନାରାଜ୍ ।

କାରଣ କରୋନା ଟିକାର ପରୀକ୍ଷଣ ଏବଂ ତାର ଫଳାଫଳ ଓ ଭ୍ୟାକସିନ ସହ ଜଡିତ ସେଭଳି କୌଣସି ବି ତଥ୍ୟ ସଂପର୍କରେ ସୂଚନା ଦେଇନାହାନ୍ତି ଋଷ ସରକାର । ଆଉ ଏଭଳି ପରିସ୍ଥିତିରେ ଜାତୀୟ ଗଣମାଧ୍ୟମ ଡେଲି ମେଲରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ତେବେ ଏହି ରିପୋର୍ଟ ଦାବି କରାଯାଇଛି ଯେ, କୋଭିଡ ଭ୍ୟାକସିନକୁ ଋଷ ମାତ୍ର ୩୮ ଜଣଙ୍କ ଉପରେ କରିଥିଲା ଏବଂ ପରୀକ୍ଷଣ ବେଳେ ସଂପୃକ୍ତ ବ୍ୟକ୍ତିଙ୍କଠାରେ ଅନେକ ଘାତକ ସାଇଡ୍ ଇଫେକ୍ଟ ମଧ୍ୟ ସାମ୍ନାକୁ ଆସିଥିଲା । ଋଷର ଆଧିକାରୀକ ଦସ୍ତାବିଜରୁ ଜଣାପଡିଛି ଯେ, ମାତ୍ର ୩୮ ଜଣଙ୍କ ଉପରେ ଏହି ଭ୍ୟାକସିନର ମାନବ ପରୀକ୍ଷଣ କରାଯାଇଥିଲା ଏବଂ ଯେଉଁମାନଙ୍କଠାରେ ଏହି ଟିକା ପ୍ରୟୋଗ କରାଯାଇଥିଲା ସେମାନଙ୍କୁ ଜ୍ୱର, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଦୁର୍ବଳ ଲାଗିବା, ହାଲିଆ ଲାଗିବା, ଭୋକ ନହେବା, ମୁଣ୍ଡ ବିନ୍ଧା, ଝାଡା, ନାକରୁ ପାଣି ଗଡିବା ଏବଂ ଗଳାରେ ଯନ୍ତ୍ରଣା ଅନୁଭବ କରିବା ଆଦି ସମସ୍ୟା ଦେଖାଦେଉଛି ।

ତେବେ ଟିକା ପଂଜିକରଣ ସମୟରେ ଦିଆଯାଇଥିବା କାଗଜପତ୍ରରେ ଏହା ଉଲ୍ଲେଖ ମଧ୍ୟ ରହିଛି କି,  କରୋନା ମହାମାରୀ ଉପରେ ଭ୍ୟାକସିନର ପ୍ରଭାବକୁ ନେଇ କୌଣସି ପ୍ରକାରର କ୍ଲିନିକାଲ ଷ୍ଟଡି ହୋଇ ନାହିଁ । ଅପରପକ୍ଷରେ, ରାଷ୍ଟ୍ରପତି ପୁଟିନଙ୍କ କହିବାନୁସାରେ , ଏହି ଟିକା ସମସ୍ତ ଆବଶ୍ୟକୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି । ତେବେ ଏହି ଭ୍ୟାକସିନ ଲଗାଇବା ଦ୍ୱାରା ମଣିଷ ଶରୀରରେ ତିଆରି ହେଉଥିବା ଆଂଟିବଡି କରୋନା ସହ ଲଢିବା ପାଇଁ ଯଥେଷ୍ଟ କି ନୁହେଁ ଏନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।