ଅବସର ନେଲେ ଅଲିମ୍ପିକ୍ସ ମେଡାଲ ବିଜେତା । ଅନ୍ତର୍ଜାତୀୟ ହକିକୁ ବାଏ ବାଏ କଲେ ରୂପିନ୍ଦର ପାଲ ସିଂ । 

107

କନକ ବ୍ୟୁରୋ : ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଅଲିମ୍ପିକ ମେଡାଲ ବିଜେତା ରୂପିନ୍ଦର ପାଲ ସିଂ । ଭାରତୀୟ ହକି ଦଳର ଏହି ଖେଳାଳୀ ଆଜି ଅନ୍ତର୍ଜାତୀୟ ହକିରୁ ଅବସର ନେଇ ଘୋଷଣା କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରୂପିନ୍ଦର । ଭାରତୀୟ ହକି ଟିମର ଷ୍ଟାର ଖେଳାଳୀ ଭାବେ ଜଣାଶୁଣା ରୂପିନ୍ଦର ଅବସର ଘୋଷଣା ସହ ଭାବାତ୍ମକ ପୋଷ୍ଟ ସେୟାର କରିଛନ୍ତି ।

ରୂପିନ୍ଦର ଟ୍ୱିଟରରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ଗତ କିଛି ମାସ ମୋ ପାଇଁ ବେଶ ଭଲ ଦିନ ଥିଲା । ଟୋକିଓରେ ଅଲିମ୍ପିକ୍ସ ପୋଡିୟମ ଉପରେ ଛିଡା ହେବା ମୋ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ ଥିଲା ଯାହାକୁ କେବେ ମୁଁ ଭୁଲି ପାରିବି ନାହିଁ ।  କିନ୍ତୁ ଏବେ ସମୟ ଆସିଛି ଯୁବ ଓ ପ୍ରତିଭାବାନ ଖେଳାଳୀଙ୍କୁ ସୁଯୋଗ ଦେବାର । ଗତ ୧୩ ବର୍ଷ ଧରି ଭାରତୀୟ ହକି ଦଳର ପ୍ରତିନିଧିତ୍ୱ କରି ମୁଁ ଯାହା ଅନୁଭବ କରୁଛି ସେମାନେ ମଧ୍ୟ ସେହିଭଳି ଅନୁଭବ କରନ୍ତୁ ।  ଏହାସହ ଭାରତ ପାଇଁ ୨୨୩ଟି ମ୍ୟାଚ୍ ଖେଳିବା ମୋ ପାଇଁ ଗର୍ବର ବିଷୟ । କ୍ରୀଡାକୁ ଭଲପାଉଥିବା ଭାରତ ଭଳି ଦେଶ ପାଇଁ ଖେଳିବାକୁ ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି ଗର୍ବିତ ।

ଏହାସହ ରୂପିନ୍ଦର କହିଛନ୍ତି, ମୋ କ୍ୟାରିୟରରେ ସାଥୀ ଖେଳାଳୀଙ୍କ ଭୂମିକା ଯଥେଷ୍ଟ ଅଧିକ । ସେମାନଙ୍କ ସହଯୋଗ ଓ ଭଲପାଇବା ବିନା ଏତେ ବାଟ ଆଗକୁ ଆସିବା ସମ୍ଭବପର ନଥିଲା ।  ଏହାସହ ପରିବାର, ସାଙ୍ଗସାଥୀ, କୋଚଙ୍କ ଅବଦାନ ମଧ୍ୟ କିଛି କମ ନୁହେଁ । ଏହାସହ ମୋତେ, ମୋ ଖେଳକୁ ଏବଂ ହକିକୁ ଭଲପାଇଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୂପିନ୍ଦର । ଭାରତ ହକି ଦଳର ସଫଳ ଡ୍ରାଗ ଫ୍ଲିକର ଭାବେ ଜଣାଣୁଣା ରୂପିନ୍ଦର ୨୦୦୮ରେ ଡେବ୍ୟୁ କରିଥିଲେ । ଆଉ ଏହାପରେ ପଛକୁ ଫେରି ଚାହିଁନଥିଲେ ରୂପିନ୍ଦର । ଭାରତ ପାଇଁ ୨୨୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୧୯ଟି ଗୋଲ ଦେବାରେ ସକ୍ଷମ ହୋଇଥିଲେ ରୂପିନ୍ଦର । ଏହାସହ ଚଳିତ ଅଲିମ୍ପିକ୍ସରେ ଟିମ୍ ଇଣ୍ଡିଆ ପାଇଁ ଗୋଲ କରିବା ସହ ମେଡାଲ ବିଜୟ ପଛର ବଡ ନାୟକ ସାଜିଥିଲେ ରୂପିନ୍ଦର । ଯାହାଦ୍ୱାରା ଦୀର୍ଘ ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ମେଡାଲ ବିଜୟୀ ହୋଇଥିଲା ।