ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା : ଷ୍ଟକ ବଜାରରୁ ବିଦେଶୀ ନିବେଶକ ପୁଞ୍ଜି ପ୍ରତ୍ୟାହାର କରୁଥିବାରୁ ରହୁଛି ଚାପ

160

କନକ ବ୍ୟୁରୋ : ଦୁର୍ବଳ ହେଉଛି ଟଙ୍କା । ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା । ଗତକାଲି ଟଙ୍କା କିଛି ପଇସା ଦୁର୍ବଳ ହୋଇ ୭୯ ଟଙ୍କା ୯୯ ପଇସାକୁ ଖସି ଆସିଛି । ଭାରତରୁ ବିଦେଶୀ ନିବେଶକମାନେ ଷ୍ଟକ୍ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ରହିଛି । ଏହା ବାଦ୍ ରପ୍ତାନୀ ତୁଳନାରେ ଆମଦାନୀ ଅଧିକ ରହିବା ଯୋଗୁ ଡଲାରର ଚାହିଦା ବଢିଛି । ସେଥିପାଇଁ ଟଙ୍କା ଦୁର୍ବଳରୁ ଆହୁରି ଦୁର୍ବଳ ହେଉଛି ।

ଗତ ଫେବ୍ରୁଆରୀ ପରଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୨୭ ଥର ଖସିଲାଣି । ଟଙ୍କା ଦୁର୍ବଳ ହେଉଥିବାରୁ ଭାରତୀୟ ଅର୍ଥନୀତି ପାଇଁ ବହୁ ବଡ଼ ସମସ୍ୟା ସୃଷ୍ଟି କରିବ । ଯେଉଁମାନେ ଡଲାର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ତାହା ପାଇବା ପାଇଁ ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଡଲାର ଦ୍ୱାରା ଯେଉଁ ସବୁ ସାମଗ୍ରୀ ଆମଦାନୀ କରାଯାଉଛି ତାହା ଦେଶ ଭିତରେ ଆହୁରି ମହଙ୍ଗା ହେବ । ଫଳରେ ଦରଦାମ୍ ସ୍ଥିତି ଆହୁରି ବିଗିଡ଼ିବ ।

ବିଶେଷ କରି ବ୍ୟାଙ୍କ, ଆମଦାନିକାରୀ ଓ ବିଦେଶରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହେବେ । ଏହା ସହ ବିଦେଶ ବୁଲିଯିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଗତ ୬ ମାସରେ ଆମେରିକାରେ ପାଠପଢା ଖର୍ଚ୍ଚ ୭ ପ୍ରତିଶତ ବୃଦ୍ଧି ପାଇଛି ।