କନକ ବ୍ୟୁରୋ: ସେ ପାଠ ପଢିବେ, ଡାକ୍ତର ହେବେ, ଆଉ ରୋଗୀ ସେବା କରିବେ । ସେ ଡାକ୍ତରଟିଏ ବନିଲେ ଆଉ ଚିକିତ୍ସା ପାଇଁ ହଇରାଣ ହେବେନି ଅସହାୟ । କଷ୍ଟରେ ରହିବେନି ଗରିବ ରୋଗୀ । ସେ ଯେତିକି ପାରିବେ ନିଜ ସକ୍ଷମ ଅନୁସାରେ ସେବା ଯୋଗାଇବେ, ଲୋକଙ୍କୁ ସହଯୋଗ କରିବାକୁ ଚେଷ୍ଟା କରିବେ । ଡାକ୍ତର ହେବା ନେଇ ଏମିତି କିଛି ସ୍ୱପ୍ନ ଦେଖୁଛନ୍ତି ବସ୍ତିରେ ବସ୍ତିରେ ବଢୁଥିବା ଛାତ୍ରୀ । ଯିଏ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ହେଲେ ତାଙ୍କ ସ୍ୱପ୍ନ ପୂରା କରିବାରେ, ମେଡିକାଲ ପାଠ ପଢିବାରେ ଅର୍ଥ ସାଜିଛି ବାଧକ । ଗରିବ ଘରେ ଜନ୍ମ ହୋଇଥିବାରୁ ଏତେବଡ ସ୍ୱପ୍ନକୁ ସାକାର କରିବା ତାଙ୍କ ପାଇଁ ଅସମ୍ଭବ ହୋଇ ପଡିଛି ।
ଭୁବନେଶ୍ୱର ପ୍ରଶାନ୍ତି ବିହାର ଦୁର୍ଗା ପଡ଼ିଆ ବସ୍ତିର ଝିଅ ରୂପଶ୍ରୀ ସେନାପତି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ପିଲାଟି ଦିନରୁ ଗରିବିକୁ ପାଖରେ ଦେଖି ଦେଖି ଆଗକୁ ବଢ଼ିଛନ୍ତି ରୂପଶ୍ରୀ । ଗରିବ ହୁଅନ୍ତୁ ପଛେ ଦିନ ଥିଲା ସେହି ଗରିବର ଗାଡି ଚଳାଇ ପେଟ ପୋଷୁଥିଲେ ବାପା । ଅଟୋ ଚଳାଇ ପରିବାର ଚଳାଉଥିଲେ । ହେଲେ ଭାଗ୍ୟର ବିଡମ୍ବନା, ୯ ବର୍ଷ ତଳେ ଏକ ଦୁର୍ଘଟଣାରେ ମେରୁଦଣ୍ଡରେ ଆଘାତ ପାଇ ବାପା କୃଷ୍ଣଚନ୍ଦ୍ର ସେନାପତି ଅକାମୀ ହୋଇପଡିଲେ । ତାପରେ ପରିବାର ଚଳିବା ଏକପ୍ରକାର କଷ୍ଟକର ହୋଇପଡିଲା । ପିଲାଙ୍କ ମୁହଁରେ ଓ ପତିଙ୍କ ମୁହଁରେ ଦାନା ଦେବାକୁ ରୂପଶ୍ରୀଙ୍କ ମାଆ ବାହାରେ କାମଧନ୍ଦା କରିବା ଆରମ୍ଭ କଲେ ।
ଏପଟେ ଘରର ପରିସ୍ଥିତି ଓ ବାପାଙ୍କ ଅବସ୍ଥା ଭିତରେ ବି ନିଜ ପରିଶ୍ରମରେ ସଫଳ ହେବାକୁ ଚେଷ୍ଟା ଚଳାଇଥିଲେ ରୂପଶ୍ରୀ । ପରିସ୍ଥିତି ଆଗରେ ମୁଣ୍ଡ ନନୁଆଁଁଇ, ହାର ନମାନି ବିନା କୋଚିଙ୍ଗ ଏବଂ ବିନା ଟିୟୁସନରେ ନିଜେ ଘରେ ପାଠ ପଢ଼ି ୨୦୨୧ରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ରୂପଶ୍ରୀ । ଏବେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜରେ ପାଠ ପଢ଼ିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ସରକାରୀ କଲେଜରେ ପାଠ ପଢ଼ା ପାଇଁ ୫ ରୁ ୭ ଲକ୍ଷ ଟଙ୍କା ଆବଶ୍ୟକ ରହିଛି । ତେଣୁ ବଦାନ୍ୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି ରୂପଶ୍ରୀ ଏବଂ ତାଙ୍କ ପରିବାର । ଝିଅକୁ ଡ଼ାକ୍ତର କରିବା ପାଇଁ ପାଖରେ ଟଙ୍କା ନ ଥିବାରୁୁ ଚିନ୍ତାରେ ସବୁବେଳେ କାନ୍ଦୁଛନ୍ତି ରୂପଶ୍ରୀଙ୍କ ମାଆ ।
ତେବେ ଗରିବ ପରିବାରରେ ଜନ୍ମ ହୋଇ ବି ଜଣେ ଏତେ ବଡ ସ୍ୱପ୍ନ ଦେଖେ କଣ ପାଇଁ ? ଡାକ୍ତର ହେବାକୁ ଇଚ୍ଛା କରେ କଣ ପାଇଁ ? କାରଣ ସେ ଦେଖିଛନ୍ତି ତାଙ୍କ ବାପାଙ୍କ ଦୁଃଖ, ଦେଖିଛନ୍ତି ନିଜ ପରିବାରର ପରିସ୍ଥିତି । ନିଜ ଅବସ୍ଥା ହିଁ ତାଙ୍କୁ ବାଧ୍ୟ କରିଛି ବଡ ସ୍ୱପ୍ନ ଦେଖିବାକୁ, ବଡ ମଣିଷଟେ ହେବାକୁ । ସେଇଥିପାଇଁ ତ ସଂଘର୍ଷ କରି ସଫଳ ହୋଇଛନ୍ତି । ହେଲେ ସେ ସ୍ୱପ୍ନ ସତହେବାକୁ ଦରକାର ଅନେକ ଟଙ୍କା । ତେଣୁ ନିଜ ପାଠପଢା ପାଇଁ ବଦାନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ ମାଗିଛନ୍ତି ରୂପଶ୍ରୀ... ଯଦି ଆପଣ ରୂପଶ୍ରୀଙ୍କୁ ତାଙ୍କ ପଢାରେ ସହାୟତା କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ଆକାଉଣ୍ଟ ନମ୍ବର...
ଆସନ୍ତୁ ଗରିବ ଝିଅକୁ ଡାକ୍ତରୀ ପଢେଇବାରେ ବଡ ଭୂମିକାଟେ ନିଭାଇବା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/36-7.jpg)
/kanak/media/post_attachments/wp-content/uploads/2022/03/vlcsnap-2022-03-16-16h35m45s257.png)