କନକ ବ୍ୟୁରୋ: ପଶ୍ଚିମବଙ୍ଗର ବୀରଭୂମ ଗଣପୋଡି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଶୁକ୍ରବାର ରାଜ୍ୟସଭାରେ ହଟ୍ଟଗୋଳ ହେବା ସହ ଗୃହକୁ ମୁଲତବୀ କରିଦିଆଯାଇଛି । ଏହା ମଧ୍ୟରେ ଶୂନ୍ୟକାଳରେ ବୀରଭୂମ ପ୍ରସଙ୍ଗ ଉଠାଇଲେ ସାଂସଦ ରୂପା ଗାଙ୍ଗୁଲି । ଟିଏମସି ସମସ୍ୟାଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ନିଜ ବକ୍ତବ୍ୟ ରଖିବା ବେଳେ ଭାବବିହ୍ୱଳ ହୋଇଯାଇଥିଲେ ରୂପା ଗାଙ୍ଗୁଲି । ଏବଂ ପଶ୍ଚିମବଙ୍ଗରେ ରାଜନୈତିକ ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଯଥାଶିଘ୍ର ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଥିଲେ ।
ଆଜି ରାଜ୍ୟସଭାରେ ବୀରଭୂମ ପ୍ରସଙ୍ଗକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଟିଏମସି ସଦସ୍ୟଙ୍କ ପାଟି ମଧ୍ୟରେ କାହାରି କୌଣସି ଉତ୍ତର ଶୁଣିବା କଷ୍ଟକର ହୋଇପଡିଥିଲା । ତଥାପି ବୀରଭୂମ ଉପରେ କହିବାକୁ ଆରମ୍ଭ କରିଥିଲେ ସାଂସଦ ରୂପା ଗାଙ୍ଗୁଲି । ‘ ପଶ୍ଚିମବଙ୍ଗ ଉପରେ ସେ ଯାହା କିଛି କହିବାକୁ ଯାଉଛନ୍ତି କହିବା ବେଳକୁ ମୁଣ୍ଡ ନଇଁଯାଉଛି । ବୀରଭୂମରେ ଦୁଇ ଶିଶୁଙ୍କ ସହ ଆଠ ଜଣଙ୍କୁ ଜୀଅନ୍ତା ପୋଡି ଦିଆଗଲା । ଏହା କ’ଣ ଯଥେଷ୍ଟ ନୁହେଁ । ପୋଲିସ ଏଥିରେ ଯେଭଳି ମନୋଭାବ ପ୍ରକାଶ କଲା ପୋଲିସ ଉପରୁ ମଧ୍ୟ ଭରଷା ତୁଟିଯାଇଛି’ ବୋଲି କହିବା ବେଳକୁ ରୂପାଙ୍ଗ କଣ୍ଠରୋଧ ହୋଇଯାଇଥିଲା ।
ରାଜନୀତିକୁ ନେଇ ପଶ୍ଚିମବଙ୍ଗରେ ୪ ଦିନରେ ୨୪ ହତ୍ୟା ହେଲାଣି । ଅନେକ ଆହତ ହେଲେଣି । ଶେଷକୁ ଲୋକଙ୍କ ହାତଗୋଡ ବାଡେଇ ବାନ୍ଧି, ତାଙ୍କୁ ଜୋରଜବରଦସ୍ତି ଘରେ ବନ୍ଦ କରି ନିଆଁ ଲଗାଇଦେଲେ । ଏହା ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ବୋଲି କହିଥିଲେ ରୂପା ଗାଙ୍ଗୁଲି । ‘ଏବେ ଏହି ଇଲାକାରେ ଲୋକ ରହିବାକୁ ଡରୁଛନ୍ତି ଆଉ ପ୍ରାଣ ବିକଳରେ ଭିଟାମାଟି ଛାଡି ପଳାଇବାକୁ ବାହାରିଲେଣି । ଏହି ରାଜ୍ୟ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏଠି ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ । ଆମକୁ ବଞ୍ଚିବାର ଅଧିକାର ଅଛି । ପଶ୍ଚିମବଙ୍ଗରେ ଜନ୍ମ ହେବା କିଛି ଅପରାଧ ନୁହେଁ’ ବୋଲି କହିବା ବେଳକୁ ରୂପାଙ୍କ ଆଖିରୁ ଝରିଆସିଥିଲା ଧାରଧାର ଲୁହ । ନିଜ କୋହକୁ ସମ୍ଭାଳିପାରିନଥିଲେ ଏବଂ ଆଉ କିଛି କହିପାରିନଥିଲେ ରୂପା ।