କନକ ବ୍ୟୁରୋ: ଖୋର୍ଦ୍ଧା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଆଶୁତୋଷ ମହାପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନକୁ ରିମାଣ୍ଡରେ ନେଇଛି ପୋଲିସ । ମଙ୍ଗଳବାର ଆଶୀର୍ବାଦ କୋର୍ଟ ଚାଲାଣ ହୋଇଥିଲେ । ଯେଉଁଠାରେ ପୋଲିସ୍ କୋର୍ଟଙ୍କୁ ୫ ଦିନର ରିମାଣ୍ଡ ପାଇଁ ଆବେଦନ କରିଥିଲା । ହେଲେ ପୋଲିସକୁ ୨ ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।
ସେପଟେ ବାଣପୁର ପୋଲିସ୍ ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କରିଛି । ଆଶୁତୋଷ ଯେଉଁ ଘରେ ଭଡ଼ା ରହୁଥିଲେ, ଘର ପଛପଟେ ଥିବା କୂଅ ଭିତରେ ତାଙ୍କ ମୋବାଇଲକୁ ଫିଙ୍ଗି ଦେଇଥିବା ଆଶୀର୍ବାଦ କହିଛନ୍ତି । ଆଶୀର୍ବାଦର ବୟାନ ରେକର୍ଡ କରିବା ପରେ ପୋଲିସ୍ ଦମକଳ କର୍ମଚାରୀଙ୍କ ସହାୟତାରେ ମୋବାଇଲକୁ ଉଦ୍ଧାର କରିଥିଲା । ମୋବାଇଲରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ପୋଲିସ୍ ଏସ୍ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି । ଏହାସହ ହତ୍ୟାକାଣ୍ଡରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତା’ର ମଧ୍ୟ ତଦନ୍ତ ଚାଲିଥିବା ଏସ୍ଡିପିଓ କହିଛନ୍ତି । ଅନ୍ୟପକ୍ଷରେ ଆଶୁତୋଷଙ୍କ ଭଉଣୀ ଓ ମାଆ ହତ୍ୟାକାରୀକୁ ଫାଶୀ ଦେବା ପାଇଁ ଦାବି କରିଛନ୍ତି । ଫାଶୀ ନଦେଲେ ସପରିବାର ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ଆଶୁତୋଷଙ୍କ ପରିବାର ।
Follow Us