ପୁରୀ ଜିଲ୍ଲାରେ ପ୍ରଚାର ହେଉଛି ଗୁଜବ । ଓନିଡା କିମ୍ବା କୋଣାର୍କ ଟିଭି ବଦଳରେ ଲୋକଙ୍କୁ ମିଳିବ ଲକ୍ଷାଧିକ ଟଙ୍କା, ଏମିତି ଗୁଜବ ପ୍ରଚାର କରୁଛି କିଏ ?

4,292

କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ଏକ ଗୁଜବ ଚାଲିଛି । ଆଉ ଗୁଜବଟି ହେଲା, ଆପଣଙ୍କ ପାଖରେ ଯଦି ୯୦ ଦଶକର ଓନିଡା କିମ୍ବା କୋଣାର୍କ ଟିଭି ଅଛି ତେବେ ଟିଭି ବଦଳରେ ଆପଣଙ୍କୁ ଲକ୍ଷାଧିକ ଟଙ୍କା ମିଳିବ । କିଛି ଦଲାଲ ଲୋକଙ୍କୁ ଭେଟି ଏଭଳି ଲୋଭନୀୟ ଅଫର ଶୁଣାଉଛନ୍ତି । କହିଛନ୍ତି ଏହି ଟିଭିରେ ଏମିତି ଯନ୍ତ୍ରାଂସ ରହିଛି ଯାହା ଅମୁଲ ମୁଲ । ଜାଣନ୍ତୁ କେମିତି ଚାଲିଛି ଏହି ଗୁଜବ ।

ହଠାତ ପୁରୁଣା ଟିଭିର ଅହେତୁକ ଚାହିଦାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଲକ୍ଷାଧିକ ଟଙ୍କା ଦେଇ କିଣିବା ପାଇଁ କିଛି ବ୍ୟକ୍ତି ବୁଲୁଛନ୍ତି । ଗତ କିଛି ଦିନ ଧରି ପୁରୀ ଜିଲ୍ଲାରେ ଖୋଜାପଡିଛି ପୁରୁଣା ଟିଭି । ଏହି ପୁରୁଣା ଟିଭିରେ ଥିବା ନାଲି ବଲବ ଅତ୍ୟନ୍ତ ଦରକାରୀ ଦର୍ଶାଇ ଲୋକେ ଏହି ଟିଭି ନେବାକୁ ଚାହୁଁଛନ୍ତି । ୧୯୯୪ ମସିହା ପୂର୍ବର ଟିଭିକୁ ଖୋଜିବା ଆରମ୍ଭ କରିଦେଇଛନ୍ତି କିଛି ଦଲାଲ । ବିଶେଷ କରି ଓନିଡା ଏବଂ କୋଣାର୍କ ଟିଭିକୁ ଖୋଜୁଛନ୍ତି ଏହି ଦଲାଲମାନେ ।

ଦଲାଲଙ୍କ କହିବା କଥା, ଏହି ପୁରୁଣା ଟିଭିର ମଦର ବୋର୍ଡରେ ଏକ ନାଲି ବଲବ ରହିଛି । ଯେଉଁଥିରେ କିଛି ତରଳ ପଦାର୍ଥ ରହିଛି, ଯାହାକି ଅମୁଲ ମୁଲ । ଖାସ ଏଥିପାଇଁ ଏହି ଟିଭି ଏବେ ଖୋଜାପଡିଛି ।

ତେବେ ନାଲି ବଲବ ଭିତରେ ଥିବା ତରଳ ପଦାର୍ଥ କାହିଁକି ଅମୁଲ ମୁଲ ସେନେଇ କିଛି ସଠିକ ତଥ୍ୟ ମିଳିନାହିଁ । ଏପରି ଟିଭି ଚାହିଦା ପଛରେ ଏକ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି । ତେଣୁ ପୋଲିସ ପ୍ରଶାସନ ଏ ଦିଗରେ ତଦନ୍ତ କରିବାକୁ ଦାବି ହୋଇଛି ।