ଧନକଡଙ୍କ ଅପମାନକୁ ବିରୋଧ କରି ଘଣ୍ଟାଏ ଛିଡାହେବେ ଶାସକ ଦଳ ସାଂସଦ । ବିରୋଧୀଙ୍କୁ ଦେବେ କଡା ଜବାବ ।

141

କନକ ବ୍ୟୁରୋ: ସଂସଦରେ ଶୀତକାଳୀନ ଅଧିବେଶରେ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ମିମିକ୍ରିକୁ ନେଇ ମାହୋଲ ପୁରା ସରଗରମ ରହିଛି । ଉପରାଷ୍ଟ୍ରପତିଙ୍କୁ ଉପହାସ କରିବା ଘଟଣାର କଡା ଜବାବ ଦେବାକୁ ଏନଡିଏ ମେଣ୍ଟ ନେଇଛି ବଡ ନିଷ୍ପତ୍ତି । ମିମିକ୍ରି କରିଥିବା ଟିଏମସି ନେତା କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ନିଆରା ବିରୋଧ କରିବାକୁ ଯାଇ ବିଜେପି ସଦସ୍ୟ ରାଜ୍ୟସଭାରେ ଘଣ୍ଟାଏ ଛିଡା ହୋଇ ବିରୋଧ କରିବେ ବୋଲି କହିଛନ୍ତି ।

ସଂସଦୀୟ କାର୍ଯ୍ୟନିର୍ବାହୀ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ବିରୋଧୀ ଲଗାତାର ପ୍ରଧାନମନ୍ତ୍ରୀଙ୍କ ଅପମାନ କରିଆସିଛନ୍ତି ଏବେ ଉପରାଷ୍ଟ୍ରପତିଙ୍କୁ ଅପମାନ କରିଛନ୍ତି । ଏହା କେବଳ ତାଙ୍କର ଅପମାନ ନୁହେଁ ବରଂ ଏକ ସାମ୍ବିଧାନୀକ ପଦର ଅପମାନ । ଏତିକି ନୁହେଁ ଉପରାଷ୍ଟ୍ରପତି ଜଣେ ଜାଠ୍ କୃଷକ ପରିବାରର । ତାଙ୍କର ଅପମାନ ସାରା ଜାଠ୍ ସମ୍ପ୍ରଦାୟର ଅପମାନ । ତେଣୁ ଧନକଡଙ୍କ ଅପମାନକୁ ହିନ୍ଦୁସ୍ତାନ କେବେବି ସହ୍ୟ କରିବ ନାହିଁ । ଏହା ବିରୋଧରେ କଠୋର କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ପ୍ରାହ୍ଲାଦ ଯୋଶୀ ।

ଅନ୍ୟପଟେ ଖୋଦ୍ କଲ୍ୟାଣ ବାନାର୍ଜୀ ନିଜ ଆଡୁ ସଫେଇ ଦେଇ କହିଛନ୍ତି ମିମିକ୍ରି ଏକ କଳା । ଏପରି କିରି ଉପରାଷ୍ଟ୍ରପତିଙ୍କୁ ଅପମାନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । କିନ୍ତୁ ଏ ଘଟଣାରେ ସେ କେବେବି କ୍ଷମା ମାଗିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।