ଟିକାକରଣକୁ ନେଇ ତେଜିଲା ରାଜନୀତି । ରାଜ୍ୟର ବିଭିନ୍ନ ଟିକାକେନ୍ଦ୍ରରେ ଧସେଇ ପଶିଲେ ବିଜେପି କର୍ମୀ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଲେ ମୋଦୀଙ୍କ ଫଟୋ ରଖିବାକୁ ଦାବି ।

178

କନକ ବ୍ୟୁରୋ : ଦେଶରେ ଆଜିଠାରୁ ବଡଧରଣର ଟିକା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଓଡିଶାରେ ଟିକାକରଣ ସମୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆଜି ଅନୁଗୁଳ, ବାଲେଶ୍ୱର ଓ ରାୟଗଡାରେ ବିଜେପି କର୍ମୀ ଟିକାକରଣ କେନ୍ଦ୍ରରେ ଧସେଇ ପଶିଛନ୍ତି । ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା ନେଇ ପ୍ରତିବାଦ କରିଛନ୍ତି ।

ସେହିପରି ଅନୁଗୁଳ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ପକାଇଛନ୍ତି ବିଜେପି କର୍ମୀ । ବାଲେଶ୍ୱରରେ ଜୋର ଜବରଦସ୍ତ ମୋଦି ପୋଷ୍ଟର ଲଗାଇଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଟ୍ୱିଟ୍ କରି କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ହଡପ କରୁଛନ୍ତି । ସେପଟେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ଜନ ସାଧାରଣଙ୍କ ପଇସାରେ ଟିକାକରଣ ହେଉଛି, ଏହାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ।

ଟିକାକରଣର ସବୁଠାରୁ ବଡ ଅଭିଯାନ ଆରମ୍ଭ ହେଉ ହେଉ ବାଲେଶ୍ୱରର ଏକ ଟିକା କେନ୍ଦ୍ରରେ ଆରମ୍ଭ ହୋଇଯାଇଥିଲା ବିବାଦ, ଯେ ଏହି ଟିକାର ଶ୍ରେୟ କିଏ ନେବ । ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଲାଗିବାକୁ ବିରୋଧ କରିଥିଲେ ବିଜେପି କର୍ମୀ । ଟିକାକେନ୍ଦ୍ରରେ ଧସେଇ ପଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଲଗାଇଥିଲେ ।

ଏପଟେ ଅନୁଗୁଳରେ ବି ବିଜେପି କର୍ମୀଙ୍କ ବିରୋଧ । ଅନୁଗୁଳ ଷ୍ଟାଡିୟମରେ ଟିକାକରଣ କେନ୍ଦ୍ର କରାଯାଇଥିଲା ଏବଂ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବା ନେଇ ପ୍ରତିବାଦ କରିଥିଲେ । ଏପଟେ ରାୟଗଡାର କଲେଜରେ ସେମିତି ଟିକାକରଣ କେନ୍ଦ୍ରରେ ବିଜେପି କର୍ମୀ ପଶି ପ୍ରତିବାଦ ଆରମ୍ଭ କରିଦେଇଥିଲେ । ଟିକାକରଣ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ ପଚାରିଥିଲେ । ଯୁକ୍ତି କରିଥିଲେ ଯେ, ୨୧ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଛି, କିନ୍ତୁ ଏଠାରେ ବିଜେଡି ଶ୍ରେୟ ନେବାକୁ ଚେଷ୍ଟା କରୁଛି ।

ଟିକାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ବିବାଦ ତୀବ୍ର ହୋଇଛି । ବିଜେପିର କହିବା କଥା ହେଉଛି ଟିକା କେନ୍ଦ୍ର ସରକାର ଦେଉଛନ୍ତି, ତେଣୁ ଟିକାକେନ୍ଦ୍ରରେ ମୋଦିଙ୍କ ଫଟୋ ରହିବା ଦରକାର । ଏପଟେ ବିଜେଡି କହୁଛି ଟିକା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବା ଠିକ ନୁହେଁ ।