କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଅଛି । ହେଲେ ଏବେ ଠୁ ରାଜ୍ୟ ରାଜନୀତି ଉଷ୍ଣ ହେଲାଣି । ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ନେତା ଆଗାମି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କଲେଣି । ନେତାମାନେ ଗାଁ ମୁହାଁ ହେଲେଣି । କିନ୍ତୁ ସବୁ ଦଳର ଫୋକସରେ ରହିଛି ପଶ୍ଚିମଓଡିଶା ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଲଢ଼େଇ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଶାସକ ବିଜେଡି ମାରାଥନ ବୈଠକ କରୁଥିବାବେଳେ, ବିରୋଧୀ ବିଜେପି ଓ କଂଗ୍ରେସ ଆଗାମି ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ।

ସବୁ ଦଳର ଫୋକସରେ ରହିଛି ପଶ୍ଚିମ ଓଡିଶା । ଶାସକ ଦଳ ବିଜେଡି ହେଉ କିମ୍ବା ବିରୋଧୀ ବିଜେପି, କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ରଣନୀତି । ୨୦୧୯ ନିର୍ବାଚନରେ ପଶ୍ଚିମ ଓଡିଶାର ସମସ୍ତ ୫ଟି ଲୋକସଭା ଆସନ ବିଜେଡି ହାତରୁ ଖସି ଯାଇଥିଲା । ହେଲେ, ୨୦୨୪ରେ ଯେମିତି ପାଂଚରୁ ପାଂଚ ଲୋକସଭା ଆସନ ସହ ୩୫ ବିଧାନସଭା ଆସନ ଦଖଲ କରିବ ସେଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଏଥିପାଇଁ ଗୁରୁବାର ସମ୍ବଲପୁରରେ ଏକ ସ୍ୱତନ୍ତ୍ର ବୈଠକ କରାଯାଇଛି । ବୈଠକରେ ଦଳର ଶୀର୍ଷ ନେତୃତ୍ୱଙ୍କ ସହ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ପ୍ରାୟ ୨ଶହ ବରିଷ୍ଠ ନେତା ସାମିଲ ହୋଇ ପାଂଚ ସୂତ୍ରୀ ଫର୍ମୁଲା ପ୍ରସ୍ତୁତ କରିଛନ୍ତି ।

ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ମାରାଥନ ବୈଠକ ଚାଲିଛି । ଆଗାମି ନିର୍ବାଚରେ ଦଳ କେମିତି ଲଢ଼ିବ, କଣ ରହିବ ରଣନୀତି ସେଥିପାଇଁ ଭୁବନେଶ୍ୱରରେ ପଦାଧିକାରୀ ବୈଠକ ପରେ ରାଉରକେଲାରେ ଚିନ୍ତନ ଶିବିରରେ ଏକାଠି ହୋଇଛନ୍ତି ଦଳର ବିଧାୟକ, ସାଂସଦ, ବରିଷ୍ଠ ନେତା ଓ କେନ୍ଦ୍ରରୁ ଆସିଥିବା ପ୍ରତିନିଧି । ଏକ ହୋଟେଲରେ ଆୟୋଜିତ ହୋଇଥିବା ବୈଠକରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ବିଜେପିର ଫୋକସରେ ସମସ୍ତ ୧୪୭ ବିଧାନସଭା ଓ ୨୧ଲୋକସନା ଆସନ ରହିଛି । ଏବଂ ୨୧ସଂସଦୀୟ କ୍ଷେତ୍ରକୁ ୨୧ଜଣ କେନ୍ଦ୍ର ନେତା ଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

କଂଗ୍ରେସ ମଧ୍ୟ ପଛରେ ପଡିନି । ଦିଲ୍ଲୀରୁ ବୈଠକ ସାରି ଫେରିବା ପରେ ଆଗକୁ କଂଗ୍ରେସ କେମିତି ଉଭୟ ବିଜେଡି ଓ ବିଜେପିକୁ ଟକ୍କର ଦେବ ଓ ବିଜୟୀ ହେବ ସେ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପଶ୍ଚିମଓଡିଶାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ନେତା ଲଢ଼ିବାକୁ ଥିବାରୁ ଏହି ଅଂଚଳ ସବୁ ଦଳର ଫୋକସରେ ରହିଥିବା କୁହାଯାଉଛି ।