କୋଭିଡ କଟକଣା ଭିତରେ ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥଦାଣ୍ଡରୁ ମାଉସୀ ମା’ ମନ୍ଦିର ଯାଏ ୧୪୪ ଧାରା ଜାରି

158

କନକ ବ୍ୟୁରୋ : ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆଜି ଆରମ୍ଭ ହୋଇଛି । ସମସ୍ତ କୋଭିଡ କଟକଣା ଭିତରେ ରଥଦାଣ୍ଡରୁ ଗଡିଛି ରୁକୁଣା ରଥ । ରଥ ଲିଙ୍ଗରାଜ ମନ୍ଦିରରୁ ଆସି ମାଉସୀ ମା’ ମନ୍ଦିରରେ ପହଂଚିବ । କରୋନା ମହାମାରୀ ପାଇଁ ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲଗାଯାଇଛି । ଏହାସହ ଏହି ରଥଯାତ୍ରାରେ ଭକ୍ତ ମାନଙ୍କୁ ସାମିଲ କରାଯାଇ ନାହିଁ । ରଥ ଆସୁଥିବା ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରିଦିଆଯାଇଛି । ଅନ୍ୟପଟେ ରଥଟାଣିବାକୁ ଯେତିକି ସେବାୟତଙ୍କୁ ଅନୁମତି ମିଳିଛି ସେମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । କିଛି ସେବାୟତ ଓ ପୋଲିସ କର୍ମଚାରୀ ମାନେ ରଥକୁ ଟାଣିଛନ୍ତି । ଅନ୍ୟପଟେ ଗହଳି ରୋକିବାକୁ ୨୩ ଟି ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଅନ୍ୟପଟେ ମାଉସୀ ମା’ ମନ୍ଦିରରେ ରଥ ସାଢେ ୭ ଟା ସୁଦ୍ଧା ପହଂଚିବାକୁ ନେଇ ସମୟ ନିର୍ଘଣ୍ଟ କରିଥିଲା କମିଶନରେଟ୍ ପୋଲିସ , ହେଲେ ରଥଟଣାରେ ବିଳମ୍ବ ହୋଇଥିବା ହେତୁ ନିର୍ଦ୍ଧାରିତ ସମୟରେ ମାଉସୀ ମା’ମନ୍ଦିରରେ ରଥ ପହଂଚିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ରଥଟଣା ବେଳେ ଖୋଦ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ୱର ଡିସିପି ଉମାଶଂକର ଦାସ ଉପସ୍ଥିତ ଅଛନ୍ତି ।