ଅନିଶ୍ଚିତତାରେ ରୁକୁଣା ରଥଯାତ୍ରା: ରଥ ନିର୍ମାଣ ଆଗେଇ ଚାଲିଛି, ବୈଠକ ପରେ ହେବ ନିଷ୍ପତ୍ତି

ଅନିଶ୍ଚିତତାରେ ରୁକୁଣା ରଥଯାତ୍ରା: ରଥ ନିର୍ମାଣ ଆଗେଇ ଚାଲିଛି, ବୈଠକ ପରେ ହେବ ନିଷ୍ପତ୍ତି

image courtesy - www.telegraphindia.com

କନକ ବ୍ୟୁରୋ : ଆଉ ୪ଦିନ ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ। ହେଲେ ଗୋଟିଏ ପଟେ କରୋନା ସହ ସମସ୍ତେ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ଠାକୁରଙ୍କ ପରମ୍ପରା ରକ୍ଷାର ପ୍ରଶ୍ନ ଉଠିଛି। କରୋନା ପାଇଁ ଏବେ ସବୁ ଆଡ଼େ ଲକ୍‌ ଡାଉନ୍‌ ଜାରି ହୋଇଛି। ଏହି ଲକ୍‌ଡାଉନ୍‌ କାଳରେ ପଡ଼ୁଛି ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା। ଏଭଳି ସ୍ଥିତିରେ ଯାତ୍ରା ହେବ କି ନାହିଁ ସେ ନେଇ ସେବାୟତ ଓ ପ୍ରଶାସନ ଚିନ୍ତାରେ ରହିଛି। ତେବେ ୪ ନିଯୋଗ ପ୍ରମୁଖଙ୍କ ଉପସ୍ଥିତିରେ ବୈଠକ ପରେ ଏ ନେଇ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି।

ରଥଯାତ୍ରା ପରମ୍ପରା ବଜାୟ ରଖିବାକୁ କିଛି ସେବାୟତ ସହଯୋଗ କରିବୁ ‌ବୋଲି କହୁଥିବା ବେଳେ ଅନ୍ୟ କିଛି ସେବାୟତ ମୁହଁ ଖୋଲୁ ନାହାନ୍ତି। କାରଣ ସେବା କରିବାକୁ ମନା କଲେ ଭବିଷତ୍ୟରେ ପ୍ରଶାସନ ସମ୍ପୃକ୍ତ ସେବାୟତଙ୍କ ଉପରେ ସେବା କଟକଣା ଲଗାଇପାରେ। ଅନ୍ୟ ପଟେ ଯାତ୍ରା କରିବା ଦ୍ବାରା ଯଦି କେହି କରୋନାରେ ସଂକ୍ରମିତ ହୁଏ ତେବେ ସେବାୟତମାନେ ପ୍ରଶାସନକୁ ଦାୟୀ କରିବାର ଭୟ ରହିଛି। ଏହି ଦ୍ବନ୍ଦ୍ବରେ ମନ୍ଦିର ପ୍ରଶାସନ କୌଣସି ସେବାୟତ ଗୋଷ୍ଠୀଙ୍କୁ ଡାକି ଆଲୋଚନା କରିବାକୁ ସାହସ ଜୁଟାଇ ପାରୁ ନାହିଁ।

କେବଳ ପାଳିଥିବା ସେବାୟତଙ୍କୁ ପୃଥକ ପୃଥକ ଡାକି ଆଜି ଆଲୋଚନା କରିଛି। ଅନ୍ୟପଟେ ଯାତ୍ରାକୁ ନେଇ କଣ ସ୍ଥିତି ଉପୁଜିବାର ସମ୍ଭାବନା ରହିଛି ସେ ନେଇ ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ତଥ୍ୟ ସଂଗ୍ରହ କରିଛି ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି। ବରିଷ୍ଠ ସେବାୟତମାନଙ୍କ କହିବା ଅନୁଯାୟୀ ପ୍ରଥମେ ୪ ପ୍ରମୁଖ ନିଯୋଗକୁ ଡାକି ଜିଲ୍ଳା ପ୍ରଶାସନ ବୈଠକ କରିବା ଉଚିତ। ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଭ୍ୟ ତଥା ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି, କରୋନା ଭୂତାଣୁ ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏ ନେଇ ସତର୍କତା ସହ ଯାହା କିଛି କରାଯିବ।

ଅଯଥା ଭିଡ଼ କରା ନ ଯାଇ ପରମ୍ପରା ବଜାୟ ରଖିବା ପାଇଁ ଟ୍ରଷ୍ଟ ବୋର୍ଡ ଯାହା ନିଷ୍ପତ୍ତି ନେବ ତାହା କରାଯିବ। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କୁହନ୍ତି ପରମ୍ପରା ବଜାୟ ରଖିବାକୁ ଉଦ୍ୟମ ଚାଲିଛି। ଦୂରତା ରଖି ରଥ କାମ କରିବାକୁ ମହାରଣାମାନଙ୍କୁ କୁହାଯାଇଛି। ତେବେ କରୋନା ପାଇଁ କ’ଣ କେତେ କଟକଣା ହେବ ତାହ ଜଣାପଡ଼ି ନାହିଁ। କରୋନା ଯୋଗୁଁ ସମସ୍ତେ ଚିନ୍ତାରେ ଅଛନ୍ତି। ଏନେଇ ଖୁବ୍‌ ଶୀଘ୍ର ପ୍ରମୁଖ ସେବାୟତମାନଙ୍କୁ ଡକାଯାଇ ଆଲୋଚନା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe