କନକ ବ୍ୟୁରୋ : ୟୁପିଏସସି ପରୀକ୍ଷା । ଯାହାକୁ ପାସ୍ କରିବା ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ । ଅନେକ ସଫଳ ହୋଇଥାନ୍ତି, ଅନେକ ଛାତ୍ରଛାତ୍ରୀଙ୍କ ଏହି ସ୍ୱପ୍ନ ଅଧୁରା ରହିଥାଏ । କାରଣ ଏହି ପରୀକ୍ଷା ପାସ୍ କରିବାକୁ ହେଲେ ଅସୀମ ଧୈର୍ଯ୍ୟ ଓ କଠିନ ପରିଶ୍ରମର ଆବଶ୍ୟକତା ରହିଥାଏ । ବର୍ଷ ବର୍ଷ ଧରି ପ୍ରସ୍ତୁତି, ଭଲ ଭଲ ସ୍ଥାନରେ କୋଚିଂ ନେଇ ମଧ୍ୟ ଅନେକ ମେଧାବୀ ଛାତ୍ରଛାତ୍ରୀ ୟୁପିଏଏସି ପରକ୍ଷା ପାସ୍ କରିପାରିନଥାନ୍ତି । କିନ୍ତୁ ଗୁରୁଦାସପୁରର ରୁକ୍ମଣୀ ରାୟର ଏ କ୍ଷେତ୍ରରେ ବ୍ୟତିକ୍ରମ । ଷଷ୍ଠ ଶ୍ରେଣୀରେ ଫେଲ୍ ହୋଇଥିବା ରୁକ୍ମଣୀ ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ରହି ନିଜର ଆଇଏଏସ ଅଫିସର ହେବାର ସ୍ୱପ୍ନ ପୂରା କରିଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
ରୁକ୍ମଣୀ ରିଆର । ଗୁରୁଦାସପୁରର ଏହି ଝିଅ ପିଲାଟି ବେଳୁ ପାଠ ପଢାରେ ଏତେଟା ଭଲ ନଥିଲେ । ଏପରିକି ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢୁଥିଲେ ସେତେବେଳେ ଫେଲ୍ ମଧ୍ୟ ହୋଇଥିଲେ । ପରିବାର, ସାଙ୍ଗସାଥୀ ଓ ଶ୍ରେଣୀ ଶିକ୍ଷକଙ୍କୁ କିଭଳି ସାମ୍ନା କରିବେ ତାହା ବୁଝିପାରୁନଥିଲେ ରୁକ୍ମଣୀ । ଲୋକମାନେ କଣ ଭାବିବେ ଏହି ଚିନ୍ତା ରୁକ୍ମଣୀଙ୍କୁ ଘାରିଥିଲା । ଆଉ ଏହା ଭିତରେ ଡ୍ରିପେସନକୁ ଚାଲି ଯାଇଥିଲେ ରୁକ୍ମଣୀ । କିନ୍ତୁ ଏହି ସମୟ ରୁକ୍ମଣୀଙ୍କ ଜୀବନରେ ବେଶି ଦିନ ରହିନଥିଲା । ଦୃଢ ଇଚ୍ଛାଶକ୍ତି ଓ କିଛି ନୂଆ କରି ଦେଖାଇବାର ଜିଦ୍ ହିଁ କେବଳ ରୁକ୍ମଣୀଙ୍କ ଡ୍ରିପେସନ ଦୂରେଇ ନଥିଲା ବରଂ ପୁଣିଥରେ ଅଣ୍ଟା ସଳଖି ଛିଡା ହେବାକୁ ସୁଯୋଗ ଆଣି ଦେଇଥିଲା । ଆଉ ଏହାଠାରୁ ଆଉ ପଛକୁ ଫେରି ଚାହିଁନଥିଲେ ରୁକ୍ମଣୀ ।
ଦ୍ୱାଦଶ ଶ୍ରେଣୀ ପରେ ଅମୃତସରର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରେ ସାମାଜିକ ବିଜ୍ଞାନରେ ଗ୍ରାଜୁଏସନ ଶେଷ କରିଥିଲେ ରୁକ୍ମଣୀ । ଏହାପରେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟରୁ ସାମାଜିକ ବିଜ୍ଞାନରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିବା ସହ ଗୋଲ୍ଡ ମେଡାଲ ହାତେଇଥିଲେ । ପିଜି ପାଠପଢା ଶେଷ ହେବା ପରେ ବିଭିନ୍ନ ଏନଜିଓ ସହ କାମ କରିଥିଲେ ରୁକ୍ମଣୀ । ଆଉ ଏହି ସମୟରେ ଆଇଏଏସ ହେବାକୁ ମନ ବଳାଇଥିଲେ ରୁକ୍ମଣୀ, ଯାହାଦ୍ୱାରା ଅଧିକ ଲୋକଙ୍କ ସେବା କରିପାରିବେ । ଏହି ଇଚ୍ଛା ହିଁ ରୁକ୍ମଣୀଙ୍କ ଆଇଏଏସ ହେବାର ସ୍ୱପ୍ନକୁ ବାଟ କଢାଇ ନେଇଥିଲା ।
ତେବେ ଇଣ୍ଟନସିପ୍ ପରେ ୟୁପିଏଏସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ରୁକ୍ମଣୀ । ଆଉ ସବୁଠୁ ଆଶ୍ଚଯ୍ୟର କଥା ହେଲା ଷଷ୍ଠ ଶ୍ରେଣୀରେ ଫେଲ ହୋଇଥିବା ରୁକ୍ମଣୀ ବିନା କୋଚିଂରେ ୟୁପିଏଏସି ଭଳି କଷ୍ଟସାଧ୍ୟ ପରୀକ୍ଷାରେ ପ୍ରଥମ ପ୍ରୟାସରେ ହିଁ ସଫଳ ହୋଇଥିଲେ । ଆଉ ଏଭଳି ସଫଳତାକୁ ନେଇ ରୁକ୍ମଣୀ କୁହନ୍ତି, ୟୁପିଏଏସି ପରୀକ୍ଷା ପାଇଁ ପ୍ରଥମେ ଏନସିଇଆରଟିର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପାଠ୍ୟକ୍ରମକୁ ଭଲ ଭାବେ ପଢିଥିଲି । ସେହିଭଳି ଇଣ୍ଟରଭ୍ୟୁ ପାଇଁ ପ୍ରତିଦିନ ଖବରକାଗଜ ଓ ମାଗାଜିନ୍ ପଢୁଥିଲି । ଏପରିକି ୟୁପିଏଏସି ପରୀକ୍ଷାରେ ଯେପରି ତ୍ରୁଟି ନହେବ ସେଥିପାଇଁ କିଛି ମକ ଟେଷ୍ଟ ମଧ୍ୟ ଦେଇଥିଲି । ଆଉ ଏହା ହିଁ ସଫଳତାର ସିକ୍ରେଟ ବୋଲି କହିଛନ୍ତି ରୁକ୍ମଣୀ ।
ତେବେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ରୁକ୍ମଣୀ କହିଛନ୍ତି, ଧୈର୍ଯ୍ୟ ଓ ଯୋଜନା ଅନୁଯାୟୀ ପ୍ରସ୍ତୁତି କଲେ ଦୁନିଆର ଯେକୌଣସି ପରୀକ୍ଷାରେ ମଧ୍ୟ ସଫଳତା ମିଳିବ । ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରଥମେ ବିଫଳ ହେବା ପରେ ମଧ୍ୟ ସଫଳ ହୋଇଛନ୍ତି । ଆଉ ଏହାର ସବୁଠୁ ବଡ ଉଦାହରଣ ହେଉଛନ୍ତି ରୁକ୍ମଣୀ ରାୟର ।