ମାଆଙ୍କୁ ମୁଣ୍ଡିଆ ମାରିଲେ, ଭଉଣୀ ଭିଣୋଇଙ୍କୁ ନେଇ ଟିକେଟ ଆଣିବାକୁ ଗଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ପ୍ରତିଭା କହିଲେ, ପୁଅ ପାଇଁ ରହିଛି ଆର୍ଶୀବାଦ ।

222

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ ହାତରୁ ଦଳୀୟ ଟିକେଟ୍ ନେଇ ଯେତେବେଳେ ମା’ଙ୍କ ପାଖରେ ପହଂଚିଥିଲେ ରୁଦ୍ର ମହାରଥୀ, ପରିବେଶ ଥିଲା ଅତି ଭାବବିହ୍ୱଳପୂର୍ଣ୍ଣ । ଆଉ ମା’ଙ୍କ ପାଦ ଛୁଇଁ ରୁଦ୍ର ଯେତେବେଳେ ଆର୍ଶୀବାଦ ନେଇଥିଲେ ଉଭୟ ମା’ ଓ ପୁଅଙ୍କ ଆଖି ଛଳ ଛଳ ହୋଇଯାଇଥିଲା । ଭାବାବେଗପୂର୍ଣ୍ଣ ଏହି ମୁହୁର୍ତର ପରେ ପରେ ପୁରା ପରିବାର, ସେହି ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ, ଯାହାକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା ।

ଦଳୀୟ ଟିକେଟ୍ ନେଇ ମା’ ପ୍ରତିଭା ମହାରଥୀଙ୍କ ପାଖକୁ ଯିବା ପୂର୍ବରୁ ରୁଦ୍ର ପ୍ରତାପ ମହାରଥୀ ପହଂଚିଥିଲେ ନବୀନ ନିବାସରେ । ସାଥିରେ ଥିଲେ ଭଉଣୀ ପଲ୍ଲବୀ ଏବଂ ଭିଣୋଇ ଅର୍ଦ୍ଧେନ୍ଦୁ । ସୁପ୍ରିମୋଙ୍କଠାରୁ ଦଳୀୟ ଟିକେଟ୍ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ ରୁଦ୍ର ପ୍ରତାପ ମହାରଥୀ । ଆଉ ପ୍ରତିକ୍ରିୟାରେ କହିଥିଲେ, ବାପାଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବେ ଏବଂ ପିପିଲି ଡେଲାଙ୍ଗବାସୀଙ୍କ ବିକାଶ ପାଇଁ କାମ କରିବେ ।

ପିପିଲି ପାଇଁ ବିଜେଡିର ଏହି ପ୍ରସ୍ତୁତି ଭିତରେ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣାରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସୁରରାଉତରାୟ । କହିଛନ୍ତି ପ୍ରାର୍ଥୀ ଚୟନରେ ଏତେ ବିଳମ୍ବ ହେବାକଥା ନୁହେଁ । କମିଟି ବହୁ ପୂର୍ବରୁ ଆଶାୟୀଙ୍କ ନାଁ ଦେଇସାରିଛି । ତେଣୁ ପ୍ରାର୍ଥୀ ଚୂଡାନ୍ତ କରିବାରେ ବିଳମ୍ବ ହେବା ଉଚିତ ନୁହେଁ ବୋଲି ସୁର କହିଛନ୍ତି । ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବା ପରେ ଲୋକଙ୍କ ପାଖରେ ପହଂଚିବା ଅଭିଯାନ ଆରମ୍ଭ କରି ଦେଇଛନ୍ତି । ଏସବୁ ଭିତରେ ୩୦ ତାରିଖ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ତେବେ କଂଗ୍ରେସ ପ୍ରାର୍ଥୀ କିଏ ହେବେ, ତା ଉପରେ ବି ସମସ୍ତଙ୍କ ନଜର ରହିଛି ।