ପିପିଲି ଉପ ନିର୍ବାଚନ: ଯୁବ ଚେହେରା ବାଛିଲା ବିଜେଡି । ରୁଦ୍ର ପ୍ରସାଦଙ୍କୁ ମିଳିଲା ବିଜେଡି ଟିକେଟ୍ ।

198

କନକ ବ୍ୟୁରୋ: ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହେବା ପରେ ପିପିଲିରେ ବିଜେଡିର ଦାୟିତ୍ୱ କିଏ ନେବ ତାକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିଲା । ଆଉ ଏହି ଚର୍ଚ୍ଚା ଭିତରେ ଯେଉଁ ଦୁଇଟି ଚେହେରା ସାମ୍ନାକୁ ଆସୁଥିିଲେ, ସେମାନେ ହେଲେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଏବଂ ପୁଅ ରୁଦ୍ର ପ୍ରତାପ ମହାରଥୀ । ପ୍ରଦୀପ ମହାରଥୀ ନେତୃତ୍ୱ ଦେଉଥିବା ବେଳେ ପ୍ରତିଭା, ପିପିଲି ସମସ୍ୟାର ସମାଧାନ ସହ ଜଡ଼ିତ ରହୁଥିଲେ, ତେଣୁ ପ୍ରତିଭା ବି ଟିକେଟ୍ ଦୌଡ଼ରେ ଥିଲେ । ବିଜେଡି କିନ୍ତୁ ଉପ ନିର୍ବାଚନ ପାଇଁ ଯୁବ ଚେହେରାକୁ ବାଛିଛି ।

ପ୍ରଦୀପ ମହାରଥୀ ବିଧାୟକ ଥିବା ସମୟରେ ପୁଅ ରୁଦ୍ର ମହାରଥୀ, ବାପାଙ୍କ ସହ ଅନେକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ରକ୍ତଦାନ ଶିବିର, ବୃ୍କ୍ଷରୋପଣ ଏବଂ ସାମାଜିକ କାର୍ଯ୍ୟକ୍ରମ ଆଦିରେ ସାମିଲ ହେଉଥିଲେ । ଏମିତି କି ବିଭିନ୍ନ ଯୁବ ସଂଗଠନ ଜରିଆରେ ପିପିଲି ଓ ଡେଙ୍ଗାଲ ଅଂଚଳର ବିକାଶମୁଳକ କାମରେ ସଂପୃକ୍ତ ଥିଲେ । ତେବେ ମହାରଥୀଙ୍କ ପତ୍ନୀ ଉଚ୍ଚଶିକ୍ଷିତ ହେବା ସହ କଲେଜ ଅଧ୍ୟକ୍ଷା ଥିବାରୁ ତାଙ୍କ ଉପରେ ବି ଦଳୀୟ କର୍ମୀଙ୍କ ଆସ୍ଥା ରଖିଥିଲେ । ସେଥିପାଇଁ ଉଭୟେ ଦଳୀୟ ସୁପ୍ରିମୋଙ୍କ ଉପରେ ନିଷ୍ପତି ଛାଡ଼ି ଦେଇଥିଲେ ।

ମା’ ନା ପୁଅ । କାହାକୁ ମିଳିବ ଟିକେଟ୍ । ତାକୁ ନେଇ ଯେଉଁ ଚର୍ଚ୍ଚା ଲାଗୁ ରହୁଥିଲା । ସେହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଯେତେବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କରିଛନ୍ତି । ପିପିିଲି ଅଂଚଳରେ ପ୍ରଦୀପ ମହାରଥୀଙ୍କ ଥିବା ଲୋକପ୍ରିୟତା ଆଧାରରେ ହୁଏତ ରୁଦ୍ର ମହାରଥୀଙ୍କୁ ଦଳୀୟ ଟିକେଟ୍ ମିଳିଥାଇପାରେ । କିନ୍ତୁ ନିର୍ବାଚନ ଜିତି ନିଜର ସାମର୍ଥ୍ୟ ପ୍ରମାଣିତ କରିବା ରୁଦ୍ର ମହାରଥୀଙ୍କ ପାଇଁ ଏବେ ବଡ଼ ଆହ୍ୱାନ ।