ପାରାଦୀପର ‘ରୋବଟ ବୟ’ ରୁଦ୍ର ନାରାୟଣ । ମାଆର କାମକୁ ହାଲକା କରିବାକୁ ରୋବର୍ଟ ତିଆରି କଲେ, କୁନି ହାତରେ କମାଲ ଦେଖାଇଲେ । ରୁଦ୍ରଙ୍କ ରୋବଟ କରୁଛି ଘରର ଅତିଥି ଚର୍ଚ୍ଚା

867

କନକ ବ୍ୟୁରୋ: ପୁଅ କଲା ରୋବଟ, ମାଆ ପାଇଲା ସୁବିଧା । ମାଆକୁ ଘର କାମରେ ସହଯୋଗ କରିବାକୁ ରୋବଟ ତିଆରି କଲେ ନବମ ଶ୍ରେଣୀର ଛାତ୍ର । କୁନି ହାତରେ ବଡ ଉଦ୍ଭାବନ କରି ରୋବଟ ବୟ ଭାବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ପାରାଦୀପ ଇଫକୋ ଡିଏଭି ସ୍କୁଲର ନବମ ଶ୍ରେଣୀର ରୁଦ୍ର ନାରାୟଣ ସାମଲ ।

ରୁଦ୍ର ଏମିତି ଏକ ରୋବର୍ଟ ତିଆରି କରିଛନ୍ତି ଯାହା ଜଣେ ୱେଟରର କାମ କରିପାରିବ । ଘରକୁ ଅତିଥି ଆସିଲେ ଫୁଲତୋଡା ଦେଇ ତାଙ୍କ ସ୍ୱାଗତ କରିବ ରୁଦ୍ରଙ୍କ ରୋବର୍ଟ । ଖାଲି ସେତିକି ନୁହେଁ ଘରର ନେବା ଆଣିବା କାମ ସହ ରୁଦ୍ରଙ୍କ ମାଆଙ୍କୁ କାମରେ ସାହାଯ୍ୟ କରୁଛି ଏହି ରୋବର୍ଟ ।

ସବୁଠାରୁ ବଡ କଥା ହେଉଛି ଘରର ଅଦରକାରୀ ଜିନିଷ ଆଉ କାଗଜ ପେଟି ବ୍ୟବହାର କରି ରୁଦ୍ର ନାରାୟଣ ଏହି ରୋବଟ ପ୍ରସ୍ତୁତ କରିଛନ୍ତି । ପାଖାପାଖି ୯ ମାସ କସରତ କରି ଅନଲାଇନରେ ସାମଗ୍ରୀ କିଣି ଏହାକୁ ତିଆରି କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ପେଟିରେ ରୋବଟର ବଡି ପ୍ରସ୍ତୁତ କରିଥିବା ବେଳେ ଆଗାମୀ ଦିନରେ ଏହାକୁ ଫାଇବରରେ ପରିଣତ କରିବେ । ତେବେ ରୋବଟ ପ୍ରସ୍ତୁତି ପାଇଁ ମୋଟ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

ରୋବଟଟି ପିଲାଙ୍କ ସହ ଖେଳ ଖେଲୁଥିବା ବେଳେ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରୁଛି । ଆଗାମୀ ଦିନରେ ଏହି ରୋବଟ ଚାଷୀଙ୍କୁ ଚାଷ କାମରେ ସାହାଯ୍ୟ କରିବା ସହ ମଣିଷର ଭାବନାକୁ ଯେମିତି ବୁଝି ପାରିବ ସେନେଇ କାମ ଚାଲିଛି ବୋଲି ରୁଦ୍ର କହିଛନ୍ତି । ତେବେ କମ ବୟସରେ କୁନି ପୁଅର କମାଲ ଦେଖି ବାପାମାଆ ବେଶ ଖୁସି ହେଉଥିବା ବେଳେ ସ୍କୁଲର ଶିକ୍ଷକ ଏବଂ ସାଙ୍ଗସାଥୀ ରୁଦ୍ରଙ୍କ ବାଃ ବାଃ କହିଛନ୍ତି ।