ପୁଅଙ୍କ ପାଖରେ ଅଛି ବାପା ସମ୍ପତିର ଅଧା : ରୁଦ୍ର ମହାରଥୀଙ୍କ ସତ୍ୟପାଠରୁ ଜଣାପଡ଼ିଲା ତଥ୍ୟ

୩ କୋଟିର ଅସ୍ଥାବର ଓ ୩୬ ଲକ୍ଷ ସ୍ଥାବର ସମ୍ପତି ଥିବା ଦର୍ଶାଇଲେ ବିଜେଡି ପ୍ରାର୍ଥୀ; ୨୦୧୯ରେ ୬କୋଟିର ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତି ଥିବା ଦର୍ଶାଇଥିଲେ ପ୍ରଦୀପ ମହାରଥୀ

1,081

କନକ ବ୍ୟୁରୋ : ଆଜି ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ତେଣୁ ଅପରାହ୍ନ ସୁଦ୍ଧା ମୈଦାନରେ କେତେଜଣ ପ୍ରାର୍ଥୀ ରହିଲେ ତାହା ସ୍ପଷ୍ଟ ହୋଇଯିବ । ବୁଧବାର ନାମାଙ୍କନ ପତ୍ର ଯାଂଚ ପରେ ୩ ଜଣଙ୍କ ନାମାଙ୍କନକୁ ବାଦ ଦିଆଯାଇଥିଲା । ତେଣୁ ୧୨ ଜଣଙ୍କ ନାମାଙ୍କନ ପତ୍ର ବୈଧ ରହିଛି । ତେବେ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ସତ୍ୟପାଠରୁ ସେମାନଙ୍କ ସଂପତି ମୂଲ୍ୟ ଜଣାପଡିବା ପରେ ଚର୍ଚ୍ଚା ଜୋର ଧରିଛି ।

ବାପାଙ୍କ ସଂପତିର ଅଧା ପୁଅଙ୍କ ପାଖରେ ରହିଛି । ବିଜେଡିରୁ ଟିକେଟ ପାଇଥିବା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ପାଖରେ ୩ କୋଟି ୧ ଲକ୍ଷ ଟଙ୍କାର ଅସ୍ଥାବର ସଂପତି ଓ ୬୩ ଲକ୍ଷ ୭୬ ହଜାର ୪୧୧ ଟଙ୍କାର ସ୍ଥାବର ସଂପତି ରହିଛି । ସେହିପରି ୨୦୧୯-୨୦ ମସିହାରେ ରୁଦ୍ରଙ୍କ ବାର୍ଷିକ ରୋଜଗାର ୧୦ ଲକ୍ଷ ଟଙ୍କା ୯୦ ହଜାର ୨୩୦ ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି । ୨୦୧୯ ବିଧାନସଭା ନିର୍ବାଚନ ବେଳେ ବାପା ପ୍ରଦୀପ ମହାରଥୀ ଦାଖଲ କରିଥିବା ସତ୍ୟପାଠରେ ୬କୋଟି ୨୪ ଲକ୍ଷ ୩୯ ହଜାର ୬୨୭ ଟଙ୍କାର ଉଭୟ ସ୍ଥାବର ଓ ଅସ୍ଥାବର ସଂପତି ଥିବା ଦର୍ଶାଇଥିଲେ ।

ସେହିପରି ସ୍ୱର୍ଗତ ପ୍ରଦୀପ ମହରଥୀ ସତ୍ୟପାଠରେ ୧୩ ଲକ୍ଷ ୯୨ ହଜାର ୨୦୯ ଟଙ୍କାର ରୁଣ ଥିବା ଦର୍ଶାଇଥିଲେ । ପୁଅ ରୁଦ୍ର ମହାରଥୀ ମଧ୍ୟ ତାଙ୍କ ନାମରେ ୧୩ ଲକ୍ଷ ୫୦ ହଜାର ୧୪ ଟଙ୍କା ରୁଣ ଥିବା ଦର୍ଶାଇଛନ୍ତି । ରୁଦ୍ରଙ୍କ ପତ୍ନୀ ଜାଗୃତି ପଣ୍ଡାଙ୍କ ସ୍ଥାବର ସଂପତି ୨୧ ଲକ୍ଷ ୩୫ ହଜାର ୫୮୬ ଓ ଅସ୍ଥାବର ସଂପତିର ମୂଲ୍ୟ ୧୬ ଲକ୍ଷ ୫୦ ହଜାର ଟଙ୍କା । ୨୦୧୯-୨୦ରେ ରୁଦ୍ରଙ୍କ ପତ୍ନୀ ଜାଗୃତି ୪ ଲକ୍ଷ ୭୪ ହଜାର ୧୯୦ ଟଙ୍କା ରୋଜଗାର କରିଛନ୍ତି ।