ପୁରୀରେ ପୁଲିସବାବୁଙ୍କ ଦବଙ୍ଗଗିରି । ଜମିବାଡ଼ି ବିବାଦ ତୁଟାଇବାକୁ ଯାଇ ଘରେ ପଶି ବାଡେଇଲେ ଟାଉନଥାନା ପୁଲିସ, ଶୁଣିଲେନି ନାବାଳିକା ଝିଅର କାକୁତିମିନତି ।

569

କନକ ବ୍ୟୁରୋ : ଏହା ଏମିତି ଏକ ଘଟଣା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜମିବାଡି ବିବାଦକୁ ନେଇ ଆଜି ପୁରୀରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପହଞ୍ଚିଥିଲା ପୋଲିସ । ଏପରିକି ଘରୁ ଉଠାଇନେବାକୁ ଉଦ୍ୟମ କରିଥିଲା । ଗୋଟିଏ ପଟେ ପୋଲିସ, ଜନତାର ବନ୍ଧୁ ଏବଂ ଲୋକଙ୍କ ସେବାରେ ନିୟୋଜିତ ବୋଲି କୁହାଯାଉଥିବା ବେଳେ ଆଜିର ଘଟଣା କିନ୍ତୁ ଭିନ୍ନ କଥା କହୁଛି ।

ପୁରୀ ସହରରେ ଘଟିଥିବା ଏହି ଘଟଣା ଆପଣଙ୍କୁ ଚିନ୍ତାରେ ପକାଇବାକୁ ବାଧ୍ୟ କରିବ । ନାଲିରଙ୍ଗର ହାଫ ସାର୍ଟ ପିନ୍ଧି ମାଡ ମାରୁଥିବା ଏହି ବ୍ୟକ୍ତି ଜଣକ ପୁରୀ ଟାଉନ ଥାନାର ଏଏସଆଇ ଜୀତେନ୍ଦ୍ର କୁମାର ଗୁମାନସିଂ ଆଉ ପାଖରେ ଖାକି ବର୍ଦ୍ଦିରେ ଅଛନ୍ତି ଜଣେ କନେଷ୍ଟବଳ ରଣଜିତ କୁଲୁ । ଦୁଇ ପୁଲିସ ବାବୁ ଆସିଛନ୍ତି ବ୍ୟକ୍ତି ଜଣଙ୍କୁ ଥାନାକୁ ନେବା ପାଇଁ, କିନ୍ତୁ ପାଖରେ ଥିବା ଝିଅ ବାପାଙ୍କୁ ଛାଡିବାକୁ ନାରାଜ । ଆଉ ପୁଲିସ ବାବୁ କିନ୍ତୁ ନଛୋଡ ବନ୍ଧା । ଯେ କୌଣସି ପରିସ୍ଥିତିରେ ବି ଥାନାକୁ ଜୋରଜବରଦସ୍ତ ନେବେ ।

ପୁରୀ ବାନାମ୍ବର ଛକ ଚୂଡଙ୍ଗସାହିର ଶ୍ରୀଧର ସେନାପତିଙ୍କୁ ଘରୁ ଉଠାଇ ନେବାକୁ ପହଂଚିଥିଲେ ପୁଲିସ ବାବୁ । ଜମିବାଡି ବିବାଦକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ତାଙ୍କ ଭାଇ । ଆଉ ଏହି ଜମିବାଡି ବିବାଦ ପାଇଁ ଘରକୁ ପଶିଆସିଥିଲା ପୁଲିସ । ଏପରିକି ବେଡ୍ ରୁମ୍ ଭିତରେ ପଶି ଜୋର ଜବରଦସ୍ତ ଉଠାଇ ନେବାକୁ ଉଦ୍ୟମ କରିଥିଲା ।

ଆଜିକାଲି ପୁଲିସ ବିଭାଗ ପକ୍ଷରୁ ସବୁ ବେଳେ କୁହାଯାଉଛି ଯେ ବ୍ରିଟିଶ ଅମଳର ପୁଲିସର ଭାବମୂର୍ତ୍ତି ବଦଳାଯିବ ଏବଂ ଜନତାର ବନ୍ଧୁ ହୋଇ ପୁଲିସ କାମ କରିବ । କିନ୍ତୁ ବାସ୍ତବରେ କଣ ହେଉଛି ଏ ଘଟଣା ତାର ଏକ ନଜିର ।