ପାକ୍ ମହିଳା ବନ୍ଧୁଙ୍କୁ ନେଇ ଅଡୁଆରେ କ୍ୟାପଟେନ୍, ରନ୍ଧୱା କହିଲେ ଆଇଏସଆଇ ସଂପର୍କ ନେଇ ହେବ ଯାଂଚ

179

କନକ ବ୍ୟୁରୋ : ଗୋଟିଏ ପଟେ କଂଗ୍ରେସ ସହ ବାଦ ବିବାଦ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ସେପଟେ ପଞ୍ଜାବରେ ନିଜର ଶକ୍ତି ବୃଦ୍ଧି କରୁଥିବା ଆମ୍ ଆଦମୀ ପାର୍ଟି କ୍ୟାପଟେନଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣି ପୁରା ମୋର୍ଚ୍ଚା ଖୋଲିଛି । ବିଜେପି ନେତାମାନେ କିଛିଦିନ ହେବ କ୍ୟାପଟେନଙ୍କ ଉପରେ ରାଷ୍ଟ୍ରବାଦୀ ମୋହର ଲଗାଉଥିବା ଦେଖିବାକୁ ମିଳିଥିବା ବେଳେ ସେପଟେ ଆପ୍ ଏବେ କ୍ୟାପଟେନଙ୍କ ଦେଶଭକ୍ତି ଉପରେ ପ୍ରଶ୍ନ ଉଠାଇଛି । ପଞ୍ଜାବ ବିଧାନସଭାର ବିରୋଧୀଦଳ ନେତା ହରପାଲ ସିଂ ଯାଦବ କହିଛନ୍ତି କି କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ବାସଭବନରେ ଆଇଏସଆଇର କଥିତ ଏଜେଣ୍ଟ ଆରୁସା ଆଲମ ଆସି ରହୁଥିଲେ ।

ହରପାଲ ସିଂଙ୍କ ଏଭଳି ଅଭିଯୋଗ ଉପରେ ମତ ରଖିଛନ୍ତି ପଞ୍ଜାବର ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା । ସେ କହିଛନ୍ତି କି ଏକଥା ଯଦି ସତ ହୋଇଥାଏ ତେବେ କ୍ୟାପଟେନଙ୍କର ଆଇଏସଆଇ ସହ କି ପ୍ରକାର ସଂପର୍କ ରହିଛି ତା ଉପରେ ସରକାର ଯାଂଚ କରିବେ ।

ଅନ୍ୟପଟେ ଜଣେ ଆପ୍ ନେତା କହିଛନ୍ତି କି ଯେତେବେଳେ କୃଷକମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ବିଜେପି ଆତଙ୍କବାଦୀ କହୁଥିବା ବେଳେ ଜଣେ ଆଇଏସଆଇ ଏଜେଣ୍ଟଙ୍କୁ ନିଜ ବାସଭବନରେ ରଖିଥିବା ଜଣେ ନେତାଙ୍କୁ ବିଜେପି କିଭଳି ଭାବେ ଦେଶଭକ୍ତର ସାର୍ଟିଫିକେଟ୍ ଦେଉଛି ତାହା ହିଁ ପ୍ରଶ୍ନବାଚୀ ।

ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ୟାପଟେନଙ୍କ ପାଇଁ ନୂଆ ବିବାଦ ଦେଖା ଦେଇଛି । ଏହାକୁ ନେଇ ଉପ ମୁଖ୍ୟମନ୍ତ୍ରୀ ରନ୍ଧୱା କହିଛନ୍ତି କି, କ୍ୟାପଟେନଙ୍କୁ ବାରମ୍ବାର ଏବାବଦରେ କହିବା ପରେ ବି ସେ ତାଙ୍କ ପାକ୍ ମହିଳା ମିତ୍ରଙ୍କୁ ୪.୬ ବର୍ଷ ପର୍ଯ୍ୟନ୍ତ ନିଜ ବାସଭବନରେ ରହିବାର ସୁଯୋଗ ଦେଇଥିଲେ । ଏହି ଘଟଣାରେ ସେ ଡିଜିପି ଇକବାଲପ୍ରୀତ ସିଂହଙ୍କୁ ଯାଂଚ ନିର୍ଦ୍ଦେଶ ଦେବେ ବୋଲି ରନ୍ଧୱା କହିଛନ୍ତି । ରନ୍ଧୱା କ୍ୟାପଟେନଙ୍କୁ ଟାର୍ଗେଟ୍ କରି କହିଛନ୍ତି କି ଇଡି ମାମଲାର ସାମ୍ନା କରିବା ଓ ପାକିସ୍ତାନୀ ନାଗରିକଙ୍କୁ ଶରଣ ଦେବା ଭଳି ଅପରାଧରୁ ମୁକ୍ତି ପାଇବାକୁ କ୍ୟାପଟେନ ଏବେ ବିଜେପି ଶରଣରେ ରହିଛନ୍ତି ।